- ଏହି ଅଦ୍ଭାବନୀୟ ଘଟଣାରେ ବ୍ରହ୍ମପୁର ବିଧାୟକଙ୍କ ଦୁଃଖ ପ୍ରକାଶ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସର୍ଟ-ସର୍କିଟ ଯୋଗୁଁ ବ୍ରହ୍ମପୁର ସହର ଲୋଚ୍ଚାପଡା ମୁଖ୍ୟ ରାସ୍ତା ରେଡ଼ିଓ ଷ୍ଟେସନ ନିକଟରେ ଗୋଟିଏ ଘରେ ଗତକାଲି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ଏହି ଅଦ୍ଭାବନୀୟ ଘଟଣାରେ ଓଡ଼ିଶା ଷୌଣ୍ଢିକ କୁଳ ସମାଜର ସଭାପତି ପ୍ରଭାକର ସାହୁ ଓ ତାଙ୍କ ସ୍ତ୍ରୀ ଉତ୍ତରା ସାହୁ ଗୁରୁତର ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବ୍ରହ୍ମପୁର ସିଟି-ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଘଟଣାସ୍ଥଳରୁ ଉଦ୍ଧାର ବେଳେ ପ୍ରଭାକର ସାହୁ ଶ୍ୱାସରୁଦ୍ଧ ହୋଇ ଗୁରୁତର ହୋଇପଡ଼ିଥିବା ବେଳେ ତାଙ୍କ ପତ୍ନୀ ଉତ୍ତରାଙ୍କ ଶରୀର ୮୦ ପ୍ରତିଶତ ଜଳିଯାଇଥିଲା । ଅଗ୍ନିଶ୍ରମବାହିନୀଙ୍କ ସହ ସ୍ଥାନୀୟ କର୍ପୋରେଟର ଦୁର୍ଗା କୁମାର ନାୟକ ଘର ଭିତରେ ପଶି କୋଠରୀ ଭିତରୁ ଉଭୟଙ୍କୁ ଉଦ୍ଧାର କରିଥିଲେ । ଗୁରୁତରଙ୍କୁ ବ୍ରହ୍ମପୁର ସିଟି-ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଇବା ପରେ ବ୍ରହ୍ମପୁର ବଡ଼ମେଡ଼ିକାଲ (ଏମ୍କେସିଜି)କୁ ସ୍ଥାନାନ୍ତର କରାଯାଇଥିଲା । ଏସି ସର୍ଟ-ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଚିକିତ୍ସାଧୀନ ଦମ୍ପତିଙ୍କ ଅବସ୍ଥା ସମ୍ପର୍କରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ବଡ଼ମେଡ଼ିକାଲ ପହଞ୍ଚି ଡାକ୍ତରୀ ବିଶେଷଜ୍ଞ ସହ ଉପଯୁକ୍ତ ପରାମର୍ଶ କରିଥିଲେ । ପରେ ଗତକାଲି ରାତ୍ରିରେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯିବା ବାଟରେ ଖୋର୍ଦ୍ଧା ନିକଟରେ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା । ପ୍ରଭାକର ସାହୁ ଜଣେ ଦକ୍ଷ କୁଳ ସମାଜର ସଭାପତି ଭାବେ ବେଶ ଜଣାଶୁଣା ଅଟନ୍ତି । ତାଙ୍କୁ ଓ ତାଙ୍କ ପତ୍ନୀ ଉତ୍ତରା ସାହୁଙ୍କୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ବହୁ ଲୋକ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଆସିଥିଲେ । ପ୍ରଭାକର ସାହୁଙ୍କ ସ୍ତ୍ରୀ ଉତ୍ତରାଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ମର୍ମାହତ ଓ ଦୁଃଖ ପ୍ରକାଶ କରିଛନ୍ତି । ବାସ୍ତବିକ ଦକ୍ଷିଣ ଓଡ଼ିଶାର ଏକ ନିର୍ଭରଶୀଳ ମେଡ଼ିକାଲ ଭାବେ ପରିଚିତ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ବର୍ଣ୍ଣ-ସେଣ୍ଟର ନଥିବା ହେତୁ ଜଣେ ମହିଳାଙ୍କ ମୃତ ଘଟିଗଲା ବୋଲି ବ୍ରହ୍ମପୁର ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି । ବିଭିନ୍ନ ମହଲରେ ଏନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ବିରୋଧୀ ବିଜେପି ଦଳ ଏବଂ ବିଭିନ୍ନ ମହଲରେ ଅଶାନ୍ତିର ବହ୍ନି ଜଳି ଉଠିଛି । ବ୍ରହ୍ମପୁର ବଡ଼ମେଡ଼ିକାଲ (ଏମ୍କେସିଜି)ରେ ବର୍ଣ୍ଣ ୟୁନିଟ ଆଜି ପର୍ଯ୍ୟନ୍ତ ଖୋଲି ନଥିବା ସାଂଗକୁ ବଡ଼ ମେଡ଼ିକାଲର ବହୁ ଅବ୍ୟବସ୍ଥା ନେଇ ଉତ୍ତେଜନା ପ୍ରକାଶ ପାଇଛି । ବ୍ରହ୍ମପୁର ଭଳି ଜନଗହଳି ପୂର୍ଣ୍ଣ ସହର ତଥା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ରରେ ଖୁବଶୀଘ୍ର ବର୍ଣ୍ଣ-ୟୁନିଟ ଖୋଲିବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି । ବ୍ରହ୍ମପୁର ବଡ଼ ମେଡ଼ିକାଲରେ ସମସ୍ତ ଆଶୁ ସୁବିଧା ଓ ଅନ୍ୟ ସମସ୍ତ ବିଭାଗ ଖୋଲିବାକୁ ସାଧାରଣରେ ଦୃଢ଼ ଦାବୀ ହୋଇଛି ।