ଅମ୍ପାୟାରଙ୍କୁ ଛୁରାମାଡ ପରେ ବ୍ୟାଟରେ ପିଟି ହତ୍ୟା ଅଭିଯୋଗ

କଟକ : କ୍ରିକେଟ ପଡିଆ ପାଲଟିଲା ରଣକ୍ଷେତ୍ର । ଅମ୍ପାୟାରଙ୍କୁ ଛୁରାମାଡ ପରେ ବ୍ୟାଟରେ ପିଟି ହତ୍ୟା
କରାଯାଇଥିବା ଅଭିଯୋଗ ହୋଇଛି । ଏମିତି ହୃଦୟ ବିଦାରକ ଘଟଣା ଘଟିଛି କଟକ ଚୌଦ୍ଵାର ଥାନା ମହିଁଶାଲଣ୍ଡା ଗାଁରେ । ଛୁରାମାଡ କରି ଅଭିଯୁକ୍ତ ଫେରାର ହୋଇଯାଇଛି । ତେବେ ପୋଲିସ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଗାଁ ପଡିଆରେ ଚାଲିଥିଲା ଖେଳ । ମ୍ୟାଚ ଥିଲା ବ୍ରହ୍ମପୁର ଓ ଶଙ୍କରପୁର ଗାଁ ମଧ୍ୟରେ । ଅମ୍ପାୟାର ଥିଲେ ମହିଶାଲଣ୍ଡା ଗାଁର ଲକି ରାଉତ । ପ୍ରଥମେ ବ୍ୟାଟିଂ କରୁଥିଲେ ବ୍ରହ୍ମପୁର ଦଳ । ପ୍ରଥମ ବଲରେ ଆଉଟ ହୋଇଗଲେ ବ୍ରହ୍ମପୁରର ବୋଲର । ଅମ୍ପାୟାର ଉକ୍ତ ଖେଳାଳିଙ୍କୁ ଆଉଟ ଘୋଷଣା କରିଥିଲେ । ବାସ୍ ! ଏହାକୁ ନେଇ ଆରମ୍ଭ ହୋଇ ଯାଇଥିଲା ଯୁକ୍ତିତର୍କ । ପରେ ଏହି ଯୁକ୍ତିତର୍କ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା । କଥା ଧସ୍ତାଧସ୍ତି ଓ ମୁଥା ମରାମରି ଯାଏଁ ଯାଇଥିଲା । ଶେଷରେ କାହିଁକି ଆଉଟ ନିଷ୍ପତ୍ତି ଦେଲେ ବୋଲି କହି ଅମ୍ପାୟାରଙ୍କୁ ଛୁରା ମାଡ ସହ ବ୍ୟାଟରେ ନିସ୍ତୁକ ମାଡ ମାରିଥିଲେ । ଫଳରେ ଚାଲି ଯାଇଥିଲା ଯୁବ ଅମ୍ପାୟାରଙ୍କ ଜୀବନ ।

ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲ ନିଆ ଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୁକ୍ତଙ୍କ ନାମ ସ୍ମୃତି ରଞ୍ଜନ ରାଉତ ବୋଲି ଜଣାପଡିଛି । ପୋଲିସ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି । ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି । ଗାଁରେ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.