- ତଦନ୍ତ କଲେ ଯୋଗାଣ ବିଭାଗ, ପେକ୍ସ ସମ୍ପାଦକଙ୍କ ସମ୍ପର୍କୀୟଙ୍କ ଦଦାଗିରି ଅଭିଯୋଗ
ସଇଁନ୍ତଲା, (କେପିଏନ୍ଏସ୍) : ସଇଁନ୍ତଲା ବ୍ଲକର ଜଣେ ପେକ୍ସ ସଂପାଦକ ମଣ୍ଡିରୁ ଧାନ ଆଣିଥିବା ଚାଷୀଙ୍କ ଟଙ୍କା ଆତ୍ମସାତ ଉଦ୍ୟମ ପରେ ଧରାପଡ଼ିବା ଚଞ୍ଚାଳ୍ୟ ସୃଷ୍ଟି କରିଛି । ଏହାସହ ଜଣେ ଚାଷୀଙ୍କ ଅଜାଣାତରେ ଉକ୍ତ ସଂପାଦକ ଧାନ ବିକ୍ରୟ ପାଇଁ ତାଙ୍କ ନାମ ବର୍ଷ ବର୍ଷ ଧରି ଅନଲାଇନରେ ପଞ୍ଜିକୃତ କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଦୁଇଜଣ ଚାଷୀ ଗଣମାଧ୍ୟମକୁ ସଂପାଦକଙ୍କ କଳାକାରନାମା ବିଷୟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ସଇଁନ୍ତଲା ବ୍ଲକ ଆମପାଲି ପଞ୍ଚାୟତ ଘଣ୍ଟମାଲ ଗ୍ରାମର ଚାଷୀ ବୁଲୁ ଗହିର ଗତ ଡ଼ିସେମ୍ବରରେ ଡୁଙ୍ଗୁରିପାଲି ମଣ୍ଡିରେ ନିଜ ୬୦ କ୍ଵିଣ୍ଟାଲ ଧାନ ବିକ୍ରି କରିଥିଲେ । ତାଙ୍କ ୪୭ କ୍ଵିଣ୍ଟାଲ କ୍ରୟର ରସିଦ ମିଳିଲା । ଏନେଇ ସେ ସଂପାଦକଙ୍କୁ କହିବାରୁ କ୍ଵିଣ୍ଟାଲ ପ୍ରତି ୬ କେଜି ଲେଖାଏ କଟନି ହେଲା ବୋଲି କହି ୨୫ ହଜାର ଟଙ୍କା ଫେରାଇଥିଲେ । ତେବେ ଧାନର ସରକାରୀ ଦରରେ ସେ ଆହୁରି ଟଙ୍କା ପାଇବାକୁ ଅଛି ବୋଲି ଚାଷୀ ବୁଲୁ କହିଛନ୍ତି । ଅନ୍ୟ ପଟେ ଚାଷୀ ବୁଲୁ ଗତ ୨୬ ତାରିଖରେ ମଣ୍ଡିରେ ଧାନ ବିକ୍ରୟ କରିଥିଲେ ମଧ୍ୟ ତାଙ୍କୁ ଏହାର ପ୍ରାପ୍ୟ ମିଳିନାହିଁ । ଏନେଇ ବୁଲୁ ବଲାଙ୍ଗିର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରିବାରୁ ଧାନ ଟଙ୍କା ଦିଆ ସରିଛି ଯଦି ପାଇ ନାହିଁ ତାହେଲେ ପେକ୍ସ ସଂପାଦକ ହାତରୁ ଦେବେ ବୋଲି କହିଥିବା ଜଣାପଡିଛି । ସେ ବାରମ୍ବାର ସଂପାଦକକୁ ଯୋଗାଯୋଗ କଲେ ମୁଁ କାଗଜ ପତ୍ରକୁ ପଠେଇ ଦେଇଛି ବୋଲି କହିଥିବା ଚାଷୀ ଅଭିଯୋଗ କରିଛନ୍ତି । ସେହିପରି ଘଣ୍ଟମାଲ ଗାଁର ଚାଷୀ ବାବୁଲାଲ ଭୋଇ କେବେ ମଣ୍ଡିରେ ଧାନ ବିକ୍ରୟ ପାଇଁ ନିଜ ନାମ ପଞ୍ଜିକରଣ କରି ନଥିବା ବେଳେ ପେସ୍କ ସଂପାଦକ ତାଙ୍କ ନାମ ପଞ୍ଜିକରଣ କରି ଧାନ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି । ୨ ଚାଷୀଙ୍କ ସମ୍ପର୍କରେ ଡୁଙ୍ଗୁରିପାଲି ପେକ୍ସ ସଂପାଦକ ତେଜଭୂଷଣ ଭୋଇଙ୍କୁ ପଚାରିବାରୁ ସନ୍ତୋଷ ଜନକ ଉତ୍ତର ଦେଇ ନ ଥିଲେ । ଟିଟିଲାଗଡ ଉପଖଣ୍ଡ ସମବାୟ ସମିତି ସମୂହ ଉପନିବନ୍ଧକ ରାଧାକୃଷ୍ଣ ମେହେରକୁ ଯୋଗାଯୋଗ କରିବାରୁ ସଂପାଦକ ଭୁଲ୍ରେ ଚାଷୀଙ୍କ ନାଁରେ ୪୩ କ୍ଵିଣ୍ଟାଲ ଏଣ୍ଟ୍ରି କରିଥିଲେ । ବକେୟା ଧାନ ଉକ୍ତ ଚାଷୀଙ୍କ ନାମରେ ଆଉ ଏଣ୍ଟ୍ରି କରାଯାଇପାରିବ ନାହିଁ । ତେଣୁ ଅନ୍ୟ ଜଣେ ଚାଷୀଙ୍କ ନାମରେ କ୍ରୟ କରିଥିବା ଦେଖାଇ ପ୍ରଥମ ଦଫାରେ ୨୫ ହଜାର ଟଙ୍କା ଦେଇଛନ୍ତି । ସଂପୃକ୍ତ ଚାଷୀଙ୍କ ନାମରେ ଏଣ୍ଟ୍ରି ହୋଇଥିବା ୪୩ କ୍ଵିଣ୍ଟାଲ ଧାନର ଟଙ୍କା ଭୁବନେଶ୍ଵରକୁ ଫୋନ କରିବାରୁ ତାହା ଜମା ହୋଇନାହିଁ ବୋଲି ଜଣାପଡିଛି । ଚାଷୀ ନିଜ ଏକାଉଣ୍ଟ୍ ଷ୍ଟେଟ୍ମେଣ୍ଟ ଦେଲେ ତାହାକୁ ବଲାଙ୍ଗିର ଜିଲ୍ଲା ସମବାୟ ପ୍ରବନ୍ଧକ ଜରିଆରେ ଭୁବନେଶ୍ଵର ପଠାଇ ଟଙ୍କା ଜମା କରିବା ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ମେହେର କହିଛନ୍ତି । ଜଣେ ନୀରିହ ଚାଷୀ ସରକାରଙ୍କ ଠାରୁ ଟୋକନ ପାଇ ଧାନ ବିକ୍ରି କରିବାକୁ ଆସିଲେ ତାଙ୍କ ନାମରେ ଏଣ୍ଟ୍ରି କାହିଁକି କରାଯାଉନାହିଁ ? ଚାଷୀଙ୍କ ଅଭିଯୋଗ ପରେ ହିଁ କେମିତି ସତ କଥା ଧରାପଡ଼ି ସଂପାଦକ ଟଙ୍କା ଭରଣା କଲେ ତାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ଏହି ମଣ୍ଡିରେ ବର୍ଷ ବର୍ଷ ଧରି ଏହିଭଳି ବହୁ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ ଭିଜିଲାନ୍ସ ତଦନ୍ତ ହେଲେ ପ୍ରକୃତ କଥା ପଦାକୁ ଆସିବା ସହ ପେକ୍ସ ସଂପାଦକଙ୍କ ଗୁମର ଖୋଲିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ଅନ୍ୟପଟେ ଖବର ପାଇବା ପରେ ବ୍ଲକ ଯୋଗାଣ ବିଭାଗ ଅଧିକାରୀ ପ୍ରଭାତ ଦାସ ଆସି ତଦନ୍ତ ଆରମ୍ଭ କରିଥିବା ବେଳେ ସେହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ପେକ୍ସ ସମ୍ପାଦକଙ୍କ ସମ୍ପର୍କୀୟ ଜଣଙ୍କ ଦାଦାଗିରି କରିଥିବା ଅଭିଯୋଗ ହୋଇଛି । ତେବେ ଘଟଣାକୁ ଚପେଇ ଦେବା ପାଇଁ ଏଭଳି କାଣ୍ଡ କରାଯାଉ ନାହିଁ ତ ବୋଲି ବୁଦ୍ଧିଜୀବୀ ମହଲରେ ଅନେକ ଚର୍ଚ୍ଚା ମଧ୍ୟ ଲାଗି ରହିଛି ।