
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଚଳପ୍ରଚଳ ହେଉଥିବା ବେସରକାରୀ ଯାତ୍ରୀବାହୀ ବସ୍ର କଣ୍ଡକଟର୍ମାନେ ବସ୍ରେ ଯାଉଥିବା ନିରୀହ ସାଧାରଣ ଲୋକମାନଙ୍କ ଠାରୁ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା କିଲୋମିଟର ପିଛା ୮୯ ପଇସା ଠାରୁ ଅଧିକ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ବଲାଙ୍ଗିର ଠାରୁ ଭଇଁଷା ୩୦ କିଲୋମିଟର ଏବଂ ପାଟଣାଗଡ଼ର ଦୂରତା ହେଉଛି ୪୦ କିଲୋମିଟର । ଏହି ହିସାବରେ ୨୬ ଟଙ୍କା ୭୦ ପଇସା ଓ ୩୫ ଟଙ୍କା ୬୦ ପଇସା ହେବା କଥା, କିନ୍ତୁ କଣ୍ଡକଟର୍ମାନେ ଭଇଁଷାକୁ ୪୦ ଟଙ୍କା ଓ ପାଟଣାଗଡ଼କୁ ୫୦ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ଏପରିକି ସେମାନଙ୍କୁ ରିସିଭ୍ ମାଗିଲେ ନଦେଇ ନାଳି ଆଖି ଦେଖାଉଥିବାର ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ଏହା ବ୍ୟତୀତ ବଲାଙ୍ଗିର ଜିଲ୍ଲାର ଅନ୍ୟ ଅଞ୍ଚଳକୁ ଯାଉଥିବା ବେସରକାରୀ ବସ୍ମାନଙ୍କରେ ମଧ୍ୟ ଏହା ଦେଖାଯାଉଥିବା ସର୍ବସାଧାରଣରେ ଅଭିଯୋଗ ହୋଇଛି । ଏଣୁ ଏ କ୍ଷେତ୍ରରେ ପରିବହନ ବିଭାଗର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ନେଇ ଲୋକମାନଙ୍କ ଭିତରେ ଉଦ୍ବେଗ ପ୍ରକାଶ ପାଇଛି ।
