କଟାପାଲିରେ ଦୁର୍ବୁତ୍ତମାନେ ଧାନ ଖରିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ କଟାପାଲି ଗାଁର ଥବିର ପୁଟେଲ(୪୦)ଙ୍କ ଖଳାରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଧାନଖରି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । କେହି ଦୁର୍ବୁତ୍ତ ରାତିରେ ନିଆଁ ଲଗାଇ ଦେଇଥିବା ଥବିର ପୁଟେଲ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁସାରେ, ସେ ଧାର କରଜ କରି ୨ ଏକର ଜମିରେ ଧାନ ଚାଷ କରିଥିଲେ । ଅମଳ ଧାନକୁ ଖଳାରେ ଗଚ୍ଛିତ କରି ରଖିଥିଲେ । ଏଥିରୁ ପ୍ରାୟ ୩୦ କ୍ୱିଣ୍ଟାଲ ଅମଳ ହୋଇଥାନ୍ତା । ସୋମବାର ରାତିରେ କେହି ଧାନ ଖରିରେ ନିଆଁ ଲଗାଇ ଦେଇଥିଲେ । ମଙ୍ଗଳବାର ସକାଳେ ରଞ୍ଜନ କଠାର ନାମକ ଜଣେ ବ୍ୟକ୍ତି ଖରି ଜଲୁଥିବା ଦେଖି ଥବିରଙ୍କୁ ଖବର ଦେଇଥିଲେ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ଧାନ ଖରି ପୋଡ଼ି ପାଉଁଶ ହୋଇ ଯାଇଥିଲା । କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଦେବାକୁ ଦାବୀ ହୋଇଛି । ଏନେଇ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ଯଦି ସରକାରଙ୍କ ତରଫରୁ ସହାୟତା ରାଶି ରହିଥିବ ତାହେଲେ ଉପରିସ୍ଥ ଅଧିକାରୀଙ୍କୁ ପଚାରି ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଉକ୍ତ ବିଷୟରେ ପ୍ରଶାସନ ଧ୍ୟାନ ଦେଇ ଚାଷୀଙ୍କୁ ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଅଞ୍ଚଳରେ ଦାବୀ ହେଉଛି ।

Leave A Reply

Your email address will not be published.