ପ୍ରଧାନମନ୍ତ୍ରୀ ସଡକ କାମରେ ଦୁର୍ନୀତି ଅଭିଯୋଗ ଆଣିଲେ ଆପ୍‌ ସଂଯୋଜକ ସୁରଥ ବେହେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ସଡକ କାମରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଆପ୍‌ର ସଂଯୋଜକ ସୁରଥ ବେହେରା । ମିଳିଥିବା ତଥ୍ୟ ଅନୁସାରେ, ଆମ ଆଦମୀ ପାର୍ଟି କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସଂଯୋଜକ ସୁରଥ ବେହେରା ଗତ ତା-୧୩/୦୯/୨୨ରେ ଆର୍‌ଟିଆଇ ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଟିଟିଲାଗଡ ଠାରେ ଆବେଦନ କରିଥିଲେ ଯେ, ବଙ୍ଗୋମୁଣ୍ଡା, ତୁରେକେଲା ଓ ମୁରିବାହାଲ ବ୍ଲକରେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ସଡକର ସୁରକ୍ଷା କାମରେ କେଉଁ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତହିଁର ତଥ୍ୟ ଦେବା ସହ ସଂପୃକ୍ତ ସଡକର ପରିଦର୍ଶନ କରିବାର ସୁଯୋଗ ଦିଆଯାଉ । କିନ୍ତୁ ନିର୍ଦ୍ଧାରିତ ସମୟ ଅତିବାହିତ କରିଥିଲେ ମଧ୍ୟ ସୂଚନା ଅଧିକାରୀ ତଥ୍ୟ ଦେଲେ ନାହିଁ କି କ୍ଷେତ୍ର ପରିଦର୍ଶନର ସୁଯୋଗ ଦେଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଶ୍ରୀ ବେହେରା ଏ ସଂପର୍କରେରେ କେନ୍ଦ୍ର ସରକାରଙ୍କ ‘ମେରି ସଡକ’ ଆପ୍‌ରେ ଅଭିଯୋଗ କରିବା ସହ ସଂପୃକ୍ତ ସଡକମାନଙ୍କୁ ଯାଇ ଲମ୍ବା, ଚଉଡା, ଗଭୀରତା ଏବଂ ନିୟମାନୁଯାଇ ସାମଗ୍ରୀ ବ୍ୟବହାର ହୋଇଛି କି ନାହିଁ ତାହା ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଜଣାପଡିଲା ଯେ, ମୋଟ ୧୫୧ କିଲୋମିଟର ମଧ୍ୟରୁ ୨୦ କିଲୋମିଟର ସଡକ ହିଁ ନାହିଁ । ଅର୍ଥାତ ବିନା କାମରେ ୨୦ କିଲୋମିଟର ବାବଦକୁ ଟଙ୍କା ଦିଆଯାଇଛି । ସୂଚନା ଅନୁସାରେ, କିଲୋମିଟର ପିଛା ୯ ଲକ୍ଷ ଟଙ୍କା ହିସାବରେ ୧ କୋଟି ୮୦ ଲକ୍ଷ ଟଙ୍କା ବିନା କାମରେ ବିଲ୍‌ ଉଠିଛି । ଏହା ବାଦ ଏହି କାମର ଥିକ୍‌ନେସ୍‌ ୨୫ ମିଲିମିଟର ଆକାରରେ ବିଲ୍‌ ହୋଇଥିବା ବେଳେ ପ୍ରକୃତରେ ୧୨ରୁ ୧୫ ମିଲିମିଟରରେ କାମ ହୋଇଛି । ଏହି କାମରେ ଜାଗା ଜାଗାରେ ସୂଚନା ଫଳକ, ପଥର ଖୁଣ୍ଟ, ମୁରୁମ ବିଛା କାମ ହେବା କଥା ତାହା ଆଦୌ ହୋଇନାହିଁ । ତେବେ ସମୁଦାୟ କାମକୁ ଦେଖିଲେ ବହୁ କୋଟି ଟଙ୍କାର ଘୋଟାଲା ହୋଇଛି । ଏନେଇ ଆପ୍‌ ତରଫରୁ ସଂପୃକ୍ତ ଯନ୍ତ୍ରୀ ଓ କେନ୍ଦ୍ର ସରକାର, ଜିଲ୍ଲାପାଳ ବଲାଙ୍ଗିର, ଇଞ୍ଜିନିୟର ଚିଫ ତଥା ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଭୁବନେଶ୍ୱରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏହାର ତଦନ୍ତ କରି ସଂପୃକ୍ତ ଅଧିକାରୀ, ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଜି ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ସୁପରିଟେଣ୍ଡେଣ୍ଟ ଅଫ ଇଞ୍ଜିନିୟରଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ଦେଇ ଉଚିତ୍ ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି । ଆଜି ଆମ୍ ଆଦମୀ ପାର୍ଟି ବଲାଙ୍ଗିର ତରଫରୁ ବଲାଙ୍ଗିର ସ୍ଥିତ ଯାଦବ ଭବନ ଠାରେ ପ୍ରେସ ରିଲିଜ୍ କରି ଯନ୍ତ୍ରୀ, ପ୍ରଶାସନ ଏବଂ ନେତା ମନ୍ତ୍ରୀ ସମସ୍ତେ ସଡକ ମହାଦୁର୍ନୀତିରେ ସଂପୃକ୍ତ ଅଛନ୍ତି, ତେଣୁ ୧୦ ଦିନ ମଧ୍ୟରେ ଏହାର ତୁରନ୍ତ ସଠିକ୍ ତଦନ୍ତ କରାଯାଉ ଏବଂ ସମ୍ପୃକ୍ତ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉ ନଚେତ୍ ଆସନ୍ତା ୧୦ ଦିନ ଭିତରେ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆମରଣ ଅନଶନ ସହିତ ଧାରଣା ଦେବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ଆପ୍ ନେତା ଶ୍ରୀ ପାଣ୍ଡେ । ଆଜିର ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାନସଭା ଆବାହକ ସୁରଥ ବେହେରା ବଲାଙ୍ଗିର ଟାଉନ୍ ଇନ୍‌ଚାର୍ଜ ସଦାଶିବ ମେହେର, ଛାତ୍ରନେତା ହିତେଶ ବଗର୍ତ୍ତୀ, ଅମନ ମହାପାତ୍ର, ମୁକେଶ ବଗର୍ତ୍ତୀ, ଅମ୍ଲାନ ପାଳ, ଆଡ୍‌ଭୋକେଟ ସୁଧୀର ପଧାନ, ଅଜୟ ତ୍ରିପାଠୀ, ଗଙ୍ଗାରାମ ପଟେଲ, ଶଶିକାନ୍ତ ଜାଲ, ରାମକୃଷ୍ଣ ଜାଲ ଜ୍ୟୋତିକାନ୍ତ ସାଗର, ଜୟ ପ୍ରକାଶ ମିଶ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.