- ବର୍ଜ୍ୟବସ୍ତୁ ପ୍ଲାଣ୍ଟ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଛି
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୧୨ ନମ୍ବର ୱାର୍ଡ ବିନୋଦ ବିହାର କ୍ଲବ ପରିସରରେ ସ୍ଥାପିତ ହୋଇଥିବା ଅଳିଆ ଆବର୍ଜନା ତଥା ବର୍ଜ୍ୟବସ୍ତୁ ପ୍ଲାଣ୍ଟରୁ ନିର୍ଗତ କଟୁ ଦୁର୍ଗନ୍ଧ ଗ୍ୟାସ ପ୍ରବାହିତ ହେଉଥିବା ନେଇ ଅଭିଯୋଗ ହୋଇଛି । ଉକ୍ତ ବର୍ଜ୍ୟବସ୍ତୁ ପ୍ଲାଣ୍ଟରୁ ଦୁର୍ଗନ୍ଧଯୁକ୍ତ ଗ୍ୟାସ ବାହାରି ରିକାପଲ୍ଲୀ ଅଞ୍ଚଳ ପରିସର ପରିବେଶକୁ ପ୍ରଦୂଷଣ କରୁଛି । ଏଠାକାର ଜନସାଧାରଣ ଅପରିଷ୍କାରପୂର୍ତ୍ତି ଗନ୍ଧ ବାରି ପାରୁ ନାହାଁନ୍ତି । ଏଠାକାର ବାସିନ୍ଦା ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଦୈନିକ ଶିକାର ହେଉଛନ୍ତି, ବୋଲି କ୍ଷୋଭ ପ୍ରକାଶ ପାଉଛି । ଏହି ଅଞ୍ଚଳକୁ ଦୁର୍ଗନ୍ଧ ବ୍ୟାପିବା ନେଇ ଏଠାକାର ଜନସାଧାରଣ ଅତିଷ୍ଠ ହେଲେଣି । ଏହି ପ୍ଲାଣ୍ଟ ଏଠାରୁ ସ୍ଥାନାନ୍ତର କରି ସହରର ଜନବସତି ଠାରୁ ବହୁଦୂରକୁ ଘୁଞ୍ଚାଇବା ନିମନ୍ତେ ଜନସାଧାରଣରେ ଦାବୀ ହେଉଛି । ଛତ୍ରପୁର ଏନ୍ଏସି ତରଫରୁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଉଦ୍ୟମରେ ଅନ୍ୟତ୍ର ଜାଗା ସର୍ଭେକ୍ଷଣ କରି ଏହି ବର୍ଜ୍ୟବସ୍ତୁ ପ୍ଲାଣ୍ଟ ବସାଇବା ନିମନ୍ତେ ଚିନ୍ତା କରିବା ଆବଶ୍ୟକ ବୋଲି ପରିବେଶବିତ୍ମାନେ ମତ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଡ଼. ହରେକୃଷ୍ଣ ମହାତାବଙ୍କ ଉଦ୍ୟମରେ ଗାନ୍ଧାର୍ବକଳା, ଶାସ୍ତ୍ରୀୟ ନୃତ୍ୟକଳାର ବିକାଶ ନିମନ୍ତେ ଏବଂ ସେ ସମୟର ଲୋକଙ୍କ ମନୋରଞ୍ଜନ, ଚିତ୍ତବିନୋଦନ ଉଦ୍ଦେଶ୍ୟରେ ଡ଼. ମହାତାବ ଛତ୍ରପୁର ଠାରେ ବିନୋଦ ବିହାର କ୍ଲବ ପ୍ରତିଷ୍ଠା କରିଛନ୍ତି । ଅଧୂନା ଏଠାରେ ଓଡ଼ିଶା ପ୍ରସିଦ୍ଧ ନୃତ୍ୟ ଓ ସଙ୍ଗୀତକଳା ଅନୁଷ୍ଠାନ କଳାବିକାଶ କେନ୍ଦ୍ର, ରୁବିସ-ମେଲୋଡ଼ି, ବ୍ୟାୟାମଶାଳା ଏବଂ ପୁରୁଣା ରଙ୍ଗମଞ୍ଚ କୋଠାରେ ବାଲାଜୀ ଶିଳ୍ପ ତାଲିମ ଅନୁଷ୍ଠାନ କାର୍ଯ୍ୟ କରୁଛି । ବିନୋଦ ବିହାର କ୍ଲବ ସମ୍ମୁଖରେ ବହୁପ୍ରାଚୀନ ଚନ୍ଦ୍ରଶେଖର ମନ୍ଦିର ଏବଂ ସହରର ମୁଖ୍ୟ ସଡ଼କପଥ ରହିଛି । ଏଭଳି ଗୁରୁତ୍ତ୍ୱପୂର୍ଣ୍ଣ ଆଦର୍ଶମୟ ପରିସରରେ ଏହି ବର୍ଜ୍ୟବସ୍ତୁ ପ୍ଲାଣ୍ଟ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଛି ।