ପାଇକମାଲ ତହସିଲ ଅଞ୍ଚଳରୁ ବହୁ ମାତ୍ରାରେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ଆଣିଲେ ଅଞ୍ଚଳବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ ଅଞ୍ଚଳରୁ ବହୁ ମାତ୍ରାରେ ବାଲି ଚୋରା ଚାଲାଣ ହେବା ସହ ବାଲି ଘାଟରୁ ବାଲି ଆଣି ଅନ୍ୟତ୍ର ଡମ୍ପ କରି ରଖାଯାଇ ରାତିରେ ତାକୁ ବିନା ଚାଲାଣରେ ଅଧିକ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ କରିଛନ୍ତି ପାଇକମାଳ ତହସିଲ ଅଞ୍ଚଳବାସୀ । କିଛି ଦିନ ଆଗରୁ ପାଇକମାଲ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି ସମୟରେ ଏନେଇ ଜନସାଧାରଣ ତଥା ପାଇକମାଳର ସଚେତନ ନାଗରିକ ଗଣ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଜନ ସାଧାରଣଙ୍କ କହିବା ମୁତାବକ ପାଇକମାଳର ପୂର୍ବତନ ତହସିଲଦାର ମନୋଜ କୁମାର ମେହେରଙ୍କ ଜାଣତରେ ଏହି ସବୁ ବାଲି ଚୋରା ଚାଲାଣ କରାଯାଉଥିଲା । ଶ୍ରୀ ମେହେର ଥିବା ସମୟରେ ପାଇକମାଲ ତହସିଲ ଅଧିନରେ ଥିବା କଟଙ୍ଗପାଲି, ଚୁହାପାଲି (୨), କୁତ୍ରାମାଲ, ମୁନିକେଲ, ନିଲାଥର ଓ କୁଦୋଗୁଚ୍ଛା ପ୍ରମୁଖ ବାଲି ଘାଟରେ ପ୍ରଶାସନ ତରଫରୁ ବାଲି ଘାଟର ସୀମା ନିର୍ଦ୍ଧାରଣ ନକରି ସେହି ବାଲି ଘାଟ ମାନଙ୍କରୁ ବିନା ଚାଲାଣରେ, ପୁରୁଣା ଚାଲାଣରେ ଓ ଅଧିକ ଟଙ୍କା ନେଇ ବାଲି ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା ଜନ ଶୁଣାଣି ସମୟରେ । ଅଞ୍ଚଳବାସୀ କରିଥିବା ଅଭିଯୋଗ ମୁତାବକ ପୂର୍ବତନ ତହସିଲଦାର ଶ୍ରୀ ମେହେର ଯିବା ଆଗରୁ ଅନେକ ସ୍ଥାନରେ ବାଲି ସଂରକ୍ଷିତ ବା ଡମ୍ପ କରି ରଖାଯାଇଥିଲା । ଯାହା ଏବେ ମଧ୍ୟ ଅନେକ ସ୍ଥାନରେ ପଡ଼ି ରହିଥିବା ଲୋକେ କହୁଛନ୍ତି । ରାତି ୧୨ ଟା ପରଠାରୁ ସକାଳ ପାଖାପାଖି ୪ଟା ପର୍ଯ୍ୟନ୍ତ ସେହି ଡମ୍ପ କରାଯାଇଥିବା ସ୍ଥାନରୁ ବାଲି ଲୋଡର ମେସିନ (ଜେସିବି) ସାହାଯ୍ୟରେ ଡମ୍ଫର ଗାଡ଼ିରେ ଲୋଡ କରି ଅଧିକ ଟଙ୍କାରେ ଓ ବିନା ଚାଲାଣରେ ବିକ୍ରି କରାଯାଉଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ଟ୍ରାକ୍ଟରରେ ବାଲି ଆଣିଲେ ପ୍ରଥମେ ୫୦୦ରୁ ୮୦୦ ଟଙ୍କା ରୟାଲ୍ଟୀ ବାବଦକୁ ଦେବାକୁ ପଡୁଛି । ଏକ ତଦନ୍ତରୁ ଜଣାପଡିଛି ଯେ ତିନି ହଜାର (୩୦୦୦) ଟଙ୍କା ଦେଲେ ଏକ ବିନା ତାରିଖ ଲେଖାଥିବା ରୟାଲ୍ଟୀ ରସିଦ ଦିଆଯାଉଛି । ଯାହା ଟ୍ରକ୍ଟରରେ ଛଅ ଥର ନେଇ ପାରିବେ ଏହି ଭଳି ବ୍ୟବସ୍ଥା ମଧ୍ୟ ରହିଛି । ଯଦି ଏହି ସବୁ ଅତି ଶୀଘ୍ର ବନ୍ଦ କରାନଯାଏ ତା’ହେଲେ ଆଗାମୀ ଦିନରେ ସଚେତନ ନାଗରିକମାନଙ୍କ ପକ୍ଷରୁ ପାଇକମାଳ ବନ୍ଦ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.