ବଡଉଡେନ ଗାଁରେ ମହାତ୍ମାଗାନ୍ଧୀ ଜାତୀୟ ସୁନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମରେ ଦୁର୍ନୀତି ଅଭିଯୋଗ

  • ଶ୍ରମିକ ଭାବେ କାମ କରୁନଥିବା ଲୋକଙ୍କ ଏକାଉଣ୍ଟରେ ଟଙ୍କା ପଡ଼ୁଥିବା ଅଭିଯୋଗ

ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଦମାଇପାଲି ପଞ୍ଚାୟତ ବଡଉଡେନ ଗାଁରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମରେ ଦୁର୍ନୀତି ହୋଇଥିବା ନେଇ ଶ୍ରମିକ ମାନେ ସୋମବାର ବ୍ଲକ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଗାଁ ଜଙ୍ଗଲରେ ଟ୍ରେଞ୍ଜ କମ ବଣ୍ଡ ନିର୍ମାଣ କାମ ଚାରି ଲକ୍ଷ ଦଶ ହଜାର ଟଙ୍କାରେ ଚାଲିଛି ଯାହାର ଆର୍ଥିକ ବର୍ଷ – ୨୦୨୧-୨୨, କାର୍ଯ୍ୟ କୋଡ ନମ୍ବର- ୨୪୦୯୦୦୩୦୦୪/ଡି ପି/୧୦୪୦୩୬୪୮ ଅଟେ । ଉକ୍ତ କାମରେ ଶ୍ରମିକମାନଙ୍କୁ ଦୈନିକ ୩୨୬ ଟଙ୍କା ପାଉଣା ସରକାର ଦେଉଥିବା ସୂଚନା ଫଳକରେ ଲେଖା ଅଛି । ସେହିପରି ଜଙ୍ଗଲ ମୁଣ୍ଡା ଟ୍ୟାଙ୍କର ମାଟି ଉନ୍ନତି କାମ ନଅ ଲକ୍ଷ ସତାନବେ ହଜାର ଟଙ୍କା ବ୍ୟୟରେ ମନରେଗା ଯୋଜନାରେ ହେଉଅଛି ଯାହାର ଆର୍ଥିକ ବର୍ଷ ୨୦୨୨-୨୩, କାର୍ଯ୍ୟ କୋଡ ନମ୍ବର- ୨୪୦୯୦୦୩୦୦୪/ଡବ୍ଳୁସି / ୧୦୫୫୨୫୦୬ ହୋଇଥିବା ବେଳେ ସରକାର ଦୈନିକ ଶ୍ରମିକ ମଜୁରୀ ଦୁଇ ଶହ ବାଇଶି ଟଙ୍କା ଦେଉଥିବା ସୂଚନା ଫଳକରେ ଲେଖା ଅଛି । ଉଭୟ ମନରେଗା କାମରେ ଶ୍ରମିକ ଭାବେ ନିଯୋୟିତ ହୋଇନଥିବା ଶ୍ରମିକ ମାନଙ୍କ ଏକାଉଣ୍ଟରେ କାମ କରିଥିବା ଦର୍ଶାଇ ପଞ୍ଚାୟତ ଅଧିକାରୀମାନେ ଟଙ୍କା ପକାଇଥିବା ଅଭିଯୋଗ ହେଉଛି । ଏହା ସହ ପ୍ରକୃତରେ ଉକ୍ତ କାମରେ ନିୟୋଜିତ ହୋଇଥିବା ଶ୍ରମିକ ମାନଙ୍କ ଏକାଉଣ୍ଟରେ ପାଉଣା ପଡିନଥିବା ଅଭିଯୋଗ ହେଉଛି । ଏନେଇ ଏକ ଅଭିଯୋଗ ପତ୍ର ଖଗେଶ୍ୱର ମାଝୀ, ଚନ୍ଦ୍ରମଣି ଡାଙ୍ଗ, ଚନ୍ଦ୍ରଶେଖର ବେହେରା, ଫକୀର ରଣା ଓ ଅନ୍ୟାନ୍ୟ ଶ୍ରମିକ ମାନେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ରାଉତଙ୍କଠାରେ ଅଭିଯୋଗ ପତ୍ର ଦେଇଥିବା ଜଣାପଡ଼ିଛି । ଏନେଇ ବିଡ଼ିଓ ରାଉତଙ୍କୁ ପଚାରିବାରୁ ଅଭିଯୋଗ ହୋଇଛି ତଦନ୍ତ କରି ଘଟଣାର ସତ୍ୟାସତ୍ୟ ପରେ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.