ଟଙ୍କା ଲୋଭରେ ନିଜ ଝିଅକୁ ତିରପୁର ଅଞ୍ଚଳରେ ବିକ୍ରି ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ବେଳପଡା ଥାନା ମଣ୍ଡଳ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ବାପା ନିଜ ଝିଅକୁ ଟଙ୍କା ପାଇଁ ତିରପୁର ଅଞ୍ଚଳର ୨ ଜଣ ଦଲାଲଙ୍କଠାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବେଲପଡା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସମସ୍ତଙ୍କୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ବେଲପଡା ଥାନା ମଣ୍ଡଳ ଗାଁର ଜଣେ ଦାଦନ ଦଲାଲ ସର୍ଦାର ନୀରନ ବାଗକୁ ବଇନା ଦେଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନେଇଥିଲା । ସେଠାରେ ନୀରନ ନିଜ ପରିବାର ସହ ୩ରୁ ୪ ବର୍ଷ ରହିଲା ପରେ କିଛିଦିନ ହେବ ଗାଁକୁ ଫେରିଥିଲେ । ସାଙ୍ଗରେ ୨ ଜଣ ଅଣଓଡିଆ ଲୋକେ ମଧ୍ୟ ଆସିଥିଲେ । ଗାଁରେ ସମସ୍ତେ କିଛିଦିନ ରହିବା ପରେ ଝିଅକୁ ଅଣଓଡ଼ିଆମାନେ ନିଜ ସାଥୀରେ ତିରପୁର ନେଇଯିବାକୁ ଯୋଜନା କରୁଥିବା ଗାଁ କିଛି ଲୋକ ଖବର ପାଇଥିଲେ । ଏହି ଖବର ଗାଁରେ ପ୍ରଚାର ହେବା ପରେ ପୋଲିସ ପାଖରେ ଖବର ପହଞ୍ଚିଲା ।ଏହାପରେ ଗାଁରେ ପୁଲିସ ମା’, ବାପା, ଝିଅ ଏବଂ ୨ ଜଣ ଅଣଓଡିଆଙ୍କୁ ଥାନାକୁ ନେଇ ପଚରାଉଚରା କରୁଥିବା ଜଣାପଡିଛି ।ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇନଥିବା ବେଳେ ସମସ୍ତଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.