
ଛତ୍ରପୁର “ସମର୍ଥ”ର ପ୍ରତିଷ୍ଠାତା ଡ଼ଃ.କେ.ଆନନ୍ଦରାଓଙ୍କ ନାମରେ ଯୌନ-କେଳେଙ୍କାରୀ ଅଭିଯୋଗ, ଉଭା ହେଲେଣି ଆଉ ଜଣେ ଆଣ୍ଠୁଆ ଗୋପାଳ : ତଦନ୍ତ ପରିସର ଭୁକ୍ତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସତରେ ସେ ଜଣେ ଅନ୍ୟତମ କଳିଯୁଗର ଆଣ୍ଠୁଆ ଗୋପାଳ ! ଆଜୀବନ ବାଳ ବ୍ରହ୍ମଚାରୀ, ଆଉ ଭିନ୍ନକ୍ଷମ ଅଟନ୍ତି । ଛୋଟପିଲା ଭଳି ହାମ୍ବୁଡାନ୍ତି, ଆଣ୍ଠେଇ ଆଣ୍ଠେଇ ଚାଲନ୍ତି । କିନ୍ତୁ ଯାନ୍ତ୍ରିକ ଚକଲଗା ଚୌକିରେ ବସି, ଘରଦ୍ୱାର, ସଭା-ସମିତି ପରିସରରେ ଭଲ ନିଆରା ଢଙ୍ଗରେ ବୁଲି କଥା ହୋଇପାରନ୍ତି । ସଭାରେ ଓଜସ୍ୱିନୀ ଭାଷଣ ମାରି ସ୍ରୋତାଙ୍କୁ ବେଶ ଚମତ୍କୃତ କରିଦିଅନ୍ତି । ହାତ ଠିକ୍ ଭାବେ ଚାଲୁ ନଥିବା, ଗୋଡ଼ ଦୁଇଟି ସମ୍ପୂର୍ଣ୍ଣ ଅଚଳ ଥିବା ଏଭଳି ଦିବ୍ୟାଙ୍ଗ ବ୍ୟକ୍ତିକୁ ଦରକାର ହେଉଛି, ରସ-ରଂଜକ । ଆଉ ସେଥିରେ ଯିଏ ନ ପଡ଼େ, ଅବା’ ତାଙ୍କୁ କିଏ ଅଭିଯୋଗ କଲେ, ସେ ତାଙ୍କ ନାଲି ଆଖିର ଚମକ ଦେଖାନ୍ତି, ଗାଳି ଦେଇ ମାନସିକ ନିର୍ୟାତନା ଦେଉଥିବା ଭଳି ସଙ୍ଗୀନ ଅଭିଯୋଗ ଏବେ ପ୍ରଘଟ ଓ ଚର୍ଚ୍ଚାର ବିଷୟ ହୋଇଛି ।

ଖାଲି ସେତିକି ନୁହଁ, ସେ ଏବେ ଅତି ନିକଟରେ ଅର୍ଥାତ ଜୁଲାଇ ପହିଲାରେ ଛତ୍ରପୁର ନିକଟ ସାମିଆପଲ୍ଲୀଠାରେ ଏକ ନୂତନ ଆଶ୍ରମର ପ୍ରତିଷ୍ଠା କରି ବେଶ ଖୁସି ମନାଇଛନ୍ତି । ଭିନ୍ନକ୍ଷମ ହୋଇ ସେ କିମିତି କୋଟିପତି ହୋଇଯାଇଛନ୍ତି ତାହା ଜନ ସାଦାରଣରେ ଆଶ୍ଚର୍ୟ୍ୟ ସୃଷ୍ଟି କରୁଛି । ସୂଚନା ଅନୁସାରେ ଅଗ୍ରଣୀ “ସମର୍ଥ” ଏକ ଭିନ୍ନକ୍ଷମ ଅନୁଷ୍ଠାନ ଆଜକୁ ପ୍ରାୟ ୨୨ବର୍ଷର ବୋଲି ଜଣାଯାଏ । ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରଠାରେ ଅବସ୍ଥାପିତ ଗଞ୍ଜାମ ଜିଲ୍ଲା ଶାରୀରିକ ଅକ୍ଷମ ମହାସଂଘ କାର୍ଯ୍ୟାଳୟ ତଥା ଭିନ୍ନକ୍ଷମ ସଂଗଠନ “ସମର୍ଥ” ଅନୁଷ୍ଠାନର ପ୍ରତିଷ୍ଠାତା ଡ଼ଃ. କେ.ଆନନ୍ଦରାଓଙ୍କ ନାମରେ ଯୌନ-କେଳେଙ୍କାରୀ ଭଳି ଏକ ବିରାଟ ସଙ୍ଗୀନ ଅଭିଯୋଗ ଆସିଛି । ଛତ୍ରପୁରଠାରେ ଗଞ୍ଜାମ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରା ମିଳିତ ଅଭିଯୋଗ ଶୁଣାଣିରେ ସୋମବାର ଏ ସମ୍ପର୍କିତ ଏକ ଲିଖିତ ଅଭିଯୋଗ ହୋଇଛି । ଏନେଇ ଛତ୍ରପୁର ଥାନାରେ କେସ୍ ନମ୍ବର ୩୭୨ ପ୍ରକାରେ ଉକ୍ତ କେସ୍ ରୁଜୁ ହୋଇଛି । ଏହା ତଦନ୍ତ ପରିସରଭୁକ୍ତ ଥିବା ଛତ୍ରପୁର ଥାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । “ସମର୍ଥ” ଅନୁଷ୍ଠାନ କାର୍ଯ୍ୟକ୍ଷେତ୍ରରେ ସଂଶ୍ଳିଷ୍ଟ ଥିବା ଦୁଇଜଣ ଝିଅ ଏହି ଯୌନ-କେଳେଙ୍କାରୀ ଭଳି ଏକ ବୃହତ୍ତର ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ରାତିରେ ଫୋନ କଲ୍ କରି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା, ଏହାକୁ ବାଧ୍ୟତାମୂଳକ କରିବା, ଅନ୍ୟଥା ନାନା ପ୍ରକାର ଶାରୀରିକ ଓ ମାନସିକ ଚାପ-ପ୍ରୟୋଗ କରିବା, ଅନେକ ନିର୍ଯାତନା ଦେବା, ଏପରିକି ଛତ୍ରପୁର ଥାନାରେ ଦିଆଯାଇଥିବା ଏତଲା ପ୍ରକାରେ ଉକ୍ତ ଅନୁଷ୍ଠାନରେ ନିୟୋଜିତ ସମସ୍ତ ବର୍ଗର କର୍ମଚାରୀଙ୍କୁ ଶ୍ରମିକଭାବେ ନିୟୋଜିତ କରିବା, ମାସିକପ୍ରାପ୍ୟ ଦରମାରୁ ୩୦ରୁ ୪୦ପ୍ରତିଶତ (କମିଶନ/ ଲାଞ୍ଚ ଆକାରରେ) କାଟିଦେବା, କଥା ନ ମାନିଲେ ଦରମା ବନ୍ଦ କରିଦେବ, ଉପସ୍ଥାପନା ରେଜିଷ୍ଟାରରେ ଛକି ମାରିଦେବା ସାଂଗକୁ ବହିଷ୍କାର କରିଦେବା ଭଳି ଅଶ୍ଳୀଳ ଭାଷାରେ ଗାଳିଦେବା ସହ ଧମକ ଦେବା ଅଭିଯୋଗ ହୋଇଛି । ଏସମ୍ପର୍କିତ ଅନେକ ବିଷୟରେ ଲିଖିତ ଅଭିଯୋଗକୁ ଭିତ୍ତିକରି ସ୍ୱତନ୍ତ୍ର ପୋଲିସ ସ୍କ୍ୱାର୍ଡ ତଦନ୍ତ ଜାରୀ ରଖିଥିବା କୁହାଯାଏ ।

ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବରୁ ଦୀର୍ଘ ୧୦ ବର୍ଷ ଧରି ଏହି ଅନୁଷ୍ଠାନର ମୁଖ୍ୟ ଓ ତାଙ୍କ ସହଯୋଗୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅନେକ କନ୍ଦଳ ଘଟି ଅନେକ ସଙ୍ଗୀନ ଅଭିଯୋଗ ସମ୍ପର୍କରେ ଚାପା ଉତ୍ତେଜନା ଦେଖାଦେଇଆସିଛି । ସେ ଦୀର୍ଘଦିନ ଧରି ପ୍ରାୟତଃ ୨୦ବର୍ଷ ହେଲା ସେ ଏକ ସରକାରୀ କୋଠାକୁ ଜବର ଦଖଲରେ ରଖିଥିଲେ । ତାହାକୁ ଭିତ୍ତିକରି ତାଙ୍କୁ ବହୁବାର ନୋଟିସ ହୋଇଥିଲା । ପ୍ରାକ୍ତନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜବରଦଖଲ ହଟାଇବା ପାଇଁ ଦୃଢ଼ ପ୍ରୟାସ ଜାରୀ ରଖିଥିଲେ । ସେ ସମୟରେ ମଧ୍ୟ ଏଭଳି ସଙ୍ଗୀନ ଅଭିଯୋଗ କ୍ରମେ ଚାପା ଉତ୍ତେଜନା ଦେଖାଦେଇଥିଲା ବୋଲି କୁହାଯାଇଛି । ଉକ୍ତ ଅନୁଷ୍ଠାନର କର୍ମକର୍ତ୍ତା ମଧ୍ୟରେ ଜଣେ ସରକାରୀ ଅଫିସର ଥାଇ ନୂତନ କର୍ମକର୍ତ୍ତା ଚୟନ କରାଯିବା ସାଂଗକୁ ଦଳିତ ବହିସ୍କୃତଙ୍କୁ ପୁନଃ କାର୍ଯ୍ୟରେ ନିୟୋଜିତ କରିବା ଏବଂ ଉକ୍ତ ଦୋଷୀ ସମ୍ପୃକ୍ତଙ୍କ ବିରୁଦ୍ଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରିବା ପାଇଁ ଦାବୀ ହୋଇଛି । ସର୍ବୋପରି ଉକ୍ତ ଅନୁଷ୍ଠାନକୁ ସରକାରଙ୍କୁ ହସ୍ତାନ୍ତର କରି ଏହାକୁ ସଫଳ ଓ ପରିମାର୍ଜିତ କରିବାକୁ ଦାବୀ ହୋଇଛି ।