ପିଆଇବି ପକ୍ଷରୁ ‘ତମାଖୁ ମୁକ୍ତ ଯୁବସମାଜ ଅଭିଯାନ’ କର୍ମଶାଳା

  • ତମାଖୁର କୁପ୍ରଭାବ ସମ୍ପର୍କରେ ତୃଣମୂଳସ୍ତରରେ ଜନ ସଚେତନତାର ଆବଶ୍ୟକତା ରହିଛି : ପିଆଇବି ଏଡିଜି

କଟକ, (ପିଆଇବି) : ଭାରତୀୟ ଯୁବସମାଜ ତମାଖୁ ନିଶାରେ ପଡ଼ି ଶାରୀରିକ ଏବଂ ମାନସିକ କ୍ଷତିର ଶିକାର ହେଉଛନ୍ତି । ବିଶେଷ କରି କିଶୋରାବସ୍ଥାରେ ତମାଖୁ ନିଶା ବିଭିନ୍ନ ପ୍ରକାର ଗୁରୁତର ବ୍ୟାଧି ସୃଷ୍ଟି କରୁଛି । ଦେଶର ଯୁବପିଢ଼ିଙ୍କୁ ତମାଖୁ ନିଶା କବଳରୁ ରକ୍ଷା କରିବା ଲାଗି ବ୍ୟାପକ ସଚେତନତା ସହିତ ତମାଖୁ ସଂକ୍ରାନ୍ତ ଆଇନର କଡ଼ାକଡ଼ି ଅନୁପାଳନର ଆବଶ୍ୟକତା ରହିଛି ବୋଲି ଆଜି କଟକଠାରେ ଆୟୋଜିତ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତା’ ରେ ବିଶିଷ୍ଟ ଅତିଥିମାନେ ମତପ୍ରକାଶ କରିଛନ୍ତି । ‘ତମାଖୁ ମୁକ୍ତ ଯୁବସମାଜ ଅଭିଯାନ’ର ତୃତୀୟ ପର୍ଯ୍ୟାୟ ଅଧୀନରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଆଜି କଟକଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଆଇବି/ସିବିସିର ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର (ଓଡ଼ିଶା ଏବଂ ଝାଡ଼ଖଣ୍ଡ କ୍ଷେତ୍ର) ଅଖିଳ କୁମାର ମିଶ୍ର ଉଦବୋଧନ ଦେଇ ତମାଖୁ ମୁକ୍ତ ସମାଜ ଗଠନ ପାଇଁ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ତମାଖୁ ସେବନର ଅପକାରିତା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କ୍ଷେତ୍ରରେ ଗଣମାଧ୍ୟମ, ବିଶେଷ କରି ସାମାଜିକ ଗଣମାଧ୍ୟମର ବେଶ୍ ଗୁରୁତ୍ୱ ରହିଛି । ଗ୍ରାମୀଣ ଏବଂ ତୃଣମୂଳସ୍ତରରେ ସାମାଜିକ ସଚେତନତାର ମଧ୍ୟ ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । କଟକ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ କାର୍ଯ୍ୟକ୍ରମକୁ ସେମ୍ବାଧିତ କରି କହିଥିଲେ, ସାମ୍ପ୍ରତିକ ସମାଜରେ ଅଧିକ ସଂଖ୍ୟାରେ ଯୁବବର୍ଗ ନିଶା କବଳରେ ପଡ଼ୁଛନ୍ତି । ନିଶା ନିବାରଣ ଏବଂ ଏହାର କୁପ୍ରଭାବକୁ ରୋକିବା ଲାଗି ସରକାର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏଥିପାଇଁ କଠୋର ଆଇନ ପ୍ରଣୟନ ଏବଂ ପ୍ରବର୍ତ୍ତନ କରାଯାଉଛି । ତେବେ ତମାଖୁ ଏବଂ ଅନ୍ୟ ନିଶାଦ୍ରବ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ସରକାରଙ୍କ ପଦକ୍ଷେପକୁ ବ୍ୟାପକ ମାତ୍ରାରେ ପ୍ରଚାରପ୍ରସାର କରିବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ଚିକିତ୍ସା ପ୍ରତିଷ୍ଠାନର ପ୍ରାଧ୍ୟାପକ ଡାକ୍ତର ସୁରେନ୍ଦ୍ର ନାଥ ସେନାପତି ତାଙ୍କ ଅଭିଭାଷଣରେ ତମାଖୁ ନିଶାର କୁପ୍ରଭାବ ସମ୍ପର୍କରେ ତଥ୍ୟାତ୍ମକ ଅବତାରଣା କରିଥିଲେ । ସେ କହିଥିଲେ, ଭାରତରେ ପ୍ରତ୍ୟେକ ବର୍ଷ ପ୍ରାୟ ୧୪ ଲକ୍ଷ ୬୧ ହଜାର ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୨୦% ତମାଖୁ ଜନିତ କର୍କଟ ରୋଗରେ ପୀଡ଼ିତ ହୋଇଥା’ନ୍ତି । ସେହିପରି ଓଡ଼ିଶାରେ ବାର୍ଷିକ ପ୍ରାୟ ୫୨,୯୬୦ କର୍କଟ ରୋଗୀଙ୍କ ମଧ୍ୟରୁ ୩୦ ପ୍ରତିଶତ ତମାଖୁ ଜନିତ କର୍କଟ ଆକ୍ରାନ୍ତ ଥିବା ଅଧ୍ୟୟନରୁ ଜଣାପଡ଼ିଛି । ୧୦ ପ୍ରତିଶତ ରୋଗୀ କିଶୋରାବସ୍ଥାରେ ତମାଖୁ କବଳରେ ପଡ଼ି ରୋଗାକ୍ରାନ୍ତ ହେବା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ପ୍ରଫେସର ସେନାପତି କହିଥିଲେ । ସେ ଆହୁରି କହିଥିଲେ, ତମାଖୁ ସେବନ କାରଣରୁ ବିଶ୍ୱରେ ପ୍ରତି ୨୬ ସେକେଣ୍ଡରେ ଜଣେ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ୁଛନ୍ତି । ତମାଖୁ ଏକ ନିରବ ଘାତକ । ଏଥିରେ ଲକ୍ଷ ଲକ୍ଷ ଲୋକ ରୋଗାକ୍ରାନ୍ତ ହେବା ସହିତ ମୃତ୍ୟୁବରଣ କରୁଛନ୍ତି । ତମାଖୁ ଓ ଅନ୍ୟାନ୍ୟ ନିଶା ନିବାରଣ ପାଇଁ କାର୍ଯ୍ୟକାରୀ ହେଉଥିବା ଆଇନର ପ୍ରଭାବୀ କାର୍ଯ୍ୟକାରିତା ସହିତ ଜିଲ୍ଲା ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଶାମୁକ୍ତି କେନ୍ଦ୍ର ଖୋଲିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ । କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ହୋତା କହିଥିଲେ, ତମାଖୁ ମୁକ୍ତ ଭାରତ ଗଠନ ଦ୍ୱାରା ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ । ସେ କହିଥିଲେ, ବର୍ତ୍ତମାନ ୧୦ରୁ ୧୫ ବର୍ଷ ବୟସର ପିଲା, ବିଶେଷ କରି ବିଦ୍ୟାଳୟର ଛାତ୍ରଛାତ୍ରୀ ସେମାନଙ୍କର ଆଦ୍ୟ କିଶୋରାବସ୍ଥାରେ ସାଙ୍ଗସାଥୀଙ୍କ ପ୍ରଭାବରେ ତମାଖୁ ନିଶା କବଳରେ ପଡ଼ିବା ଚିନ୍ତାର ବିଷୟ । ଗଣମାଧ୍ୟମ, ବିଶେଷ କରି ସେଲିବ୍ରିଟିମାନେ ମଧ୍ୟ ତମାଖୁ ଉତ୍ପାଦର ପ୍ରଚାରପ୍ରସାର କରିବା ଦ୍ୱାରା ପିଲାମାନେ ଅଧିକ ପ୍ରଭାବିତ ହେଉଛନ୍ତି । ସେମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ଲାଗି ସୂଚନା, ଶିକ୍ଷା ଏବଂ ସଚେତନତାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ଗତ ୯ ଅକ୍ଟୋବରରୁ ଆରମ୍ଭ ହୋଇଥିବା ନିଶାମୁକ୍ତି ଅଭିଯାନକୁ ଆହୁରି ବ୍ୟାପକ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ସମାଜର ସମ୍ପାଦକ ତପନ କୁମାର ମିଶ୍ର କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନିଜ ବ୍ୟକ୍ତିଗତ ଅଭିଜ୍ଞତାରୁ କହିଥିଲେ, ତମାଖୁ ନିଶାର ଏକ ସାମାଜିକ ଓ ପାରିବାରିକ ଆଧାର ରହିଛି । ସାମାଜିକ ଓ ସାଂସ୍କୃତିକ ପ୍ରଭାବରେ ମଧ୍ୟ ଅଧିକାଂଶ ଲୋକ ତମାଖୁ ନିଶା କବଳରେ ପଡ଼ିଥା’ନ୍ତି । ନିଶାମୁକ୍ତି ଏକ ସାମୂହିକ ସାମାଜିକ ଉତ୍ତରଦାୟିତ୍ୱ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସିବିସିର ସହାୟକ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପିଆଇବି ଭୁବନେଶ୍ୱରର ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୂରଦର୍ଶନ ସମାଚାର ବିଭାଗ ମୁଖ୍ୟ ଡା. ଅଭିଷେକ ମିଶ୍ର, ଆକାଶବାଣୀ ସମାଚାର ବିଭାଗ ମୁଖ୍ୟ ଡ. ସତ୍ୟ ନାରାୟଣ ପଟ୍ଟନାୟକ, ବାର୍ତ୍ତା ସମ୍ପାଦକ ନିର୍ମାଲ୍ୟ ବେହେରା, କ୍ଷେତ୍ର ପ୍ରଚାର ଅଧିକାରୀ ସସ୍ମିତା ପାଇକରାୟ, ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ନିଶାମୁକ୍ତି ଶପଥ ପାଠ କରାଯାଇଥିଲା । ନିଶା କବଳରୁ ମୁକ୍ତି ପାଇଥିବା କେତେଜଣ ବ୍ୟକ୍ତି ସେମାନଙ୍କର ଅଭିଜ୍ଞତା ପ୍ରକାଶ କରିଥିଲେ । କର୍ମଶାଳାରେ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ଓ ଯୁବବର୍ଗ ଉପସ୍ଥିତ ଥିଲେ ।

Leave A Reply

Your email address will not be published.