ଝଲପ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରୟାସରେ ସ୍ୱଚ୍ଛତା ଅଭିଯାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଝଲପ ବିଦ୍ୟାଳୟ ପ୍ରାଙ୍ଗଣରେ ସ୍ୱଚ୍ଛତା ଅଭିଯାନର ଏକ ଅଲୋକମୟ ଉଦାହରଣ ସୃଷ୍ଟି ହୋଇଛି । ଝଲପ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ସାମୁହିକ ପ୍ରୟାସରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯାହାର ଅଧ୍ୟକ୍ଷତା କରିଥିଲେ ଝଲପ ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ଝସକେତନ ବାରିକ । କାର୍ଯ୍ୟକ୍ରମରେ ତପନ ବାରିକ, ଶେଷଦେବ ପୁଟେଲ, ରାଧାକାନ୍ତ ଜାଲ, ନରସିଂହ ରାଣା, ଚରଣ ବାରିକ, ବସୁଦେବ ସାହୁ, ଦିନବନ୍ଧୁ ସାହୁ, ସିଧାନ୍ତ ପୁଟେଲ, ଗୁପ୍ତେ ପୁଟେଲ, କାନୁ ଭୋଇ, ରାଜେଶ ପୁଟେଲ ଓ ମହେଶ ଜୁଗନିଆଙ୍କ ସହିତ ଅନେକ ପୁରାତନ ଛାତ୍ରଛାତ୍ରୀମାନେ ଉତ୍ସାହିତ ହୋଇ ଯୋଗଦେଇଥିଲେ । ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମସ୍ତେ ମିଶି ବିଦ୍ୟାଳୟ ପ୍ରାଙ୍ଗଣ ସଫା କରି, ଜଙ୍ଗଲି ଘାସ, ଅନାବଶ୍ୟକ ଗଛଗୁଡ଼ିକୁ ହଟାଇଥିଲେ । ତା’ ସହିତ ଝଲପ ଗ୍ରାମ ବସଷ୍ଟାଣ୍ଡ ମଧ୍ୟ ସଫା କରିଥିଲେ । ପରେ ବିଭିନ୍ନ ସ୍ଥାନରେ ଗଛ ଲଗାଇ ବିଦ୍ୟାଳୟ ପରିବେଶକୁ ସବୁଜ ଓ ସୁନ୍ଦର କରିବାର ପଦକ୍ଷେପ ଗ୍ରହଣ କରାଯାଇଥିଲା । ନାଏବ ସରପଞ୍ଚ ଝସକେତନ ବାରିକ କହିଥିଲେ – “ବିଦ୍ୟାଳୟ ଆମର ଆଦର୍ଶ ଓ ଆମର ଶିକ୍ଷାର ମୂଳକେନ୍ଦ୍ର । ଏହି ପବିତ୍ର ସ୍ଥାନକୁ ସଫା ଓ ସୁନ୍ଦର ରଖିବା ପ୍ରତ୍ୟେକ ପୁରାତନ ଓ ବର୍ତ୍ତମାନ ଛାତ୍ରଙ୍କ ଦାୟିତ୍ୱ । ଆଜିର ଏହି ପ୍ରୟାସ କେବଳ ସ୍ୱଚ୍ଛତାର ଅଭିଯାନ ନୁହେଁ, ବରଂ ଏକତା, ସହଭାଗୀତା ଓ ସାମାଜିକ ଦାୟିତ୍ୱର ଜୀବନ୍ତ ଉଦାହରଣ । ”ଅଭିଯାନରେ ଯୋଗଦେଇଥିବା ପୁରାତନ ଛାତ୍ରଛାତ୍ରୀମାନେ କହିଥିଲେ ଯେ, ବିଦ୍ୟାଳୟରେ ଏଭଳି ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ଉଦ୍ୟମକୁ ପ୍ରତ୍ୟେକ ମାସ ସାଧାରଣ ପରମ୍ପରାରେ ପରିଣତ କରାଯିବ । ସେମାନେ ଏହାକୁ “ଆମ ବିଦ୍ୟାଳୟ, ଆମ ଦାୟିତ୍ୱ” ବୋଲି ବ୍ୟାଖ୍ୟା କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଗଛଗୁଡ଼ିକର ସୁରକ୍ଷା କରିବା ପାଇଁ ବିଦ୍ୟାଳୟର ବର୍ତ୍ତମାନ ଛାତ୍ରଛାତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସମସ୍ତଙ୍କର ସ୍ୱଇଚ୍ଛା ସହଭାଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମଗ୍ର ଗ୍ରାମବାସୀଙ୍କୁ ପ୍ରେରଣା ଦେଇଛି । ଏହା ଫଳରେ ଝଲପ ବିଦ୍ୟାଳୟ କେବଳ ଶିକ୍ଷାର କେନ୍ଦ୍ର ନୁହେଁ, ସମାଜିକ ଦାୟିତ୍ୱ ଓ ସ୍ୱଚ୍ଛତାର ପ୍ରତୀକରେ ପରିଣତ ହେଉଛି ।

Leave A Reply

Your email address will not be published.