“ଏକ୍ ପେଡ୍ ମା କେ ନାମ୍” ଅଭିଯାନ ଅନ୍ତର୍ଗତ ଜିଲ୍ଲାରେ ବୃକ୍ଷରୋପଣ ଅନୁଷ୍ଠିତ

  • ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଲାଗିଲା ୧୦ ଲକ୍ଷରୁ ଅଧିକ ଗଛ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଏକ ସୁସ୍ଥ ଜୀବନ ପାଇଁ ଗୋଟିଏ ସୁସ୍ଥ ପରିବେଶ ନିହାତି ଜରୁରୀ ଏବଂ ଆମ ପରିବେଶର ସୁରକ୍ଷା ପାଇଁ ଗଛ, ଜଙ୍ଗଲ ନିତ୍ୟାନ୍ତ ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ ପେଡ୍ ମା’ କେ ନାମ୍’ ବା ‘ମା ପାଇଁ ଗଛ ଟିଏ ‘ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନ ଅନ୍ତର୍ଗତ ଆଜି ସାରା ରାଜ୍ୟରେ ଚାରାରୋପଣ ଅନୁଷ୍ଠିତ ହୋଇଛି । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ୧୦ ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇଛି । ଜିଲ୍ଲା ମୁଖ୍ୟାଳୟ, ରାଉରକେଲା ମହାନଗର ନିଗମ ସମେତ ଜିଲ୍ଲାର ସମସ୍ତ ବ୍ଲକ ଅନ୍ତର୍ଗତ ପ୍ରାୟ ୫ ହଜାରରୁ ଅଧିକ ସ୍ଥାନ ମାନଙ୍କରେ ଆଜି ଏହି ଅଭିଯାନ ଅନ୍ତର୍ଗତ ଚାରା ରୋପଣ କରାଯାଇଅଛି । ବିଦ୍ୟାଳୟ, ଅଙ୍ଗନୱାଡ଼ି, ହଷ୍ଟେଲ ପରିସର, ବିଭିନ୍ନ କାର୍ଯ୍ୟାଳୟ ପରିସର, ଶିଳ୍ପ ପ୍ରତିଷ୍ଠାନ ପରିସର ମାନଙ୍କରେ ମଧ୍ୟ ଚାରା ଲଗାଯାଇଛି । ଏହି ଚାରା ଗୁଡ଼ିକ ମଧ୍ୟରେ ଆମ୍ବ, ପଣସ, ବେଲ, ପିଜୁଳି, ଔଷଧୀୟ ବୃକ୍ଷ ସହିତ ଅନ୍ୟାୟ ଜଙ୍ଗଲ ଜାତୀୟ ବୃକ୍ଷ ମଧ୍ୟ ରହିଛି । ଏହି ବିଶାଳ ଅଭିଯାନରେ ବିଭିନ୍ନ ବିଭାଗ ଯଥା – ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ, କୃଷି ଓ କୃଷକ ସଶକ୍ତିକରଣ, ଗଣଶିକ୍ଷା, ଉଚ୍ଚଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ବିକାଶ, ସଂଖ୍ୟା ଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ଷ୍ଟିଲ ଓ ଖଣି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶିଳ୍ପ, ଅର୍ଥ ବିଭାଗ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଆଜି ସଦର ସ୍ଥାନୀୟ ତଳସଙ୍କରା ଠାରେ ଜିଲ୍ଲାସ୍ତରୀୟ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଓଡ଼ିଶା ବିଧାନ ସଭାର ମାନ୍ୟବର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର, ଆରକ୍ଷୀ ଅଧିକ୍ଷକ ଅମୃତପାଲ କୌର, ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଖୁସୱନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ ସୁରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ସୁଶ୍ରୀ ତେଜସ୍ଵିନୀ ବେହେରା, ଆଇଏଏସ୍‌ ଶିକ୍ଷାନବିଷ ସୁଶ୍ରୀ ଫାବୀ ରସିଦ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଜନ ପ୍ରତିନିଧି, ଛାତ୍ରଛାତ୍ରୀ ଯୋଗ ଦେଇ ନିଜ ମା’ଙ୍କ ପାଇଁ ଗଛ ଲଗାଇଥିଲେ । ସେହିଭଳି ପରେ ପରେ ଭବାନୀପୁର ପଡିଆ, ସେମନା, ଉଜଲପୁର ଫରେଷ୍ଟ ନର୍ସରୀ ଠାରେ ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରରେ ଅତିଥିମାନେ ପରିବେଶ ସୁରକ୍ଷା ନିମନ୍ତେ ନିଜ ମା’ଙ୍କ ନାମରେ ଅତି କମ୍‌ରେ ଗୋଟିଏ ଗୋଟିଏ ଗଛ ଲଗାଇବା ଉପରେ ଗୁରୁତ୍ଵାରୋପ କରିଥିଲେ । ସେହିଭଳି ବୃକ୍ଷ ଏବଂ ଜଙ୍ଗଲର ମହତ୍ତ୍ଵ ଉପରେ ବର୍ଣ୍ଣନା କରିବା ସହିତ ଗଛ ଗୁଡ଼ିକର ଉପଯୁକ୍ତ ଯତ୍ନ ନେଇ ଗଛ ଓ ପରିବେଶକୁ ସୁରକ୍ଷିତ ରଖିବା ଦାୟିତ୍ଵ ମଧ୍ୟ ଆମ ସମସ୍ତଙ୍କର ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସେହିଭଳି ସମସ୍ତେ ଏହି ମହତ୍ ଅଭିଯାନରେ ସାମିଲ ହୋଇ ଏହି ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ଅତିଥିମାନେ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ସେହିଭଳି ସମସ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ ଏହି ଅଭିଯାନ ଅନ୍ତର୍ଗତ ଚାରା ରୋପଣ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ସ୍ଥାନୀୟ ପ୍ରତିନିଧି, ପଞ୍ଚାୟତିରାଜ ଅନୁଷ୍ଠାନର ସଭ୍ୟ/ସଭ୍ୟା, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସଫେଇ କର୍ମଚାରୀ, ବନ ସୁରକ୍ଷା ସମିତି, ଗ୍ରାମ୍ୟ ଗୃହର ହିତାଧିକାରୀ, ତୃତୀୟଲିଙ୍ଗୀ ସମୁଦାୟ, କୃଷକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ଗ୍ରାମବାସୀ, ବିଭିନ୍ନ ବ୍ୟାଙ୍କ, ଆସ୍ଥା ଗୃହର ଅନ୍ତେବାସୀ, ସାର୍ଥକ ସ୍କୁଲର ମୁକ ବଧିର ଛାତ୍ରଛାତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.