‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଅନୁଷ୍ଠିତ

  • ଗୋଟିଏ ସ୍ଥାନରେ ସରକାରଙ୍କ ସମସ୍ତ ସୁବିଧାର ଲାଭ ପାଇ ପାରୁଛନ୍ତି ହିତାଧିକାରୀ
  • ୩୨୧ ଜଣଙ୍କୁ ମିଳିବ ଦିବ୍ୟାଙ୍ଗ ପ୍ରମାଣପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲା ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସନ୍ଥ ନିରଙ୍କାରୀ ସତସଙ୍ଗ ଭବନ ଠାରେ ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି । ଭିନ୍ନକ୍ଷମଙ୍କୁ ଚିହ୍ନଟ କରି ସେମାନଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରିବା ତଥା ସେମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ବିଭିନ୍ନ ଦିବ୍ୟାଙ୍ଗ କଲ୍ୟାଣମୂଳକ ଯୋଜନାର ଲାଭାର୍ଥି କରାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ ଥିଲା । ଏହି ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ରେ ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଏହାର ପ୍ରମାଣପତ୍ର ଦେବା ନିମନ୍ତେ ବରିଷ୍ଠ ଡାକ୍ତରଙ୍କ ଦ୍ଵାରା ଡାକ୍ତରୀ କ୍ୟାମ୍ପର ଆୟୋଜନ କରାଯଇଥିଲା । ଶ୍ରବଣ ଓ ବାକ୍ ବାଧିତ ସହ ଦୃଷ୍ଟି ବାଧିତ, ଶାରୀରିକ ଭିନ୍ନକ୍ଷମ ଏବଂ ମାନସିକ ଭିନ୍ନକ୍ଷମତା ଚିହ୍ନଟ କରିବା ନିମନ୍ତେ ଡାକ୍ତରୀ ଦଳ ଉପସ୍ଥିତ ରହିଥିଲେ । ଏଥି ନିମନ୍ତେ ମୋଟ ୩୩୪ ଜଣ ପଞ୍ଜୀକରଣ କରାଇଥିବା ବେଳେ ଆଗାମୀ ଦିନରେ ୩୨୧ ଜଣଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯିବ । ଏଥିରେ ଚିହ୍ନଟ ହୋଇଥିବା ୨୭ ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ, ଟ୍ରାଇ ସାଇକେଲ ଓ ହୁଇଲ ଚେୟାର ଭଳି ବିଭିନ୍ନ ସହାୟକ ଉପକରଣ ପ୍ରଦାନ କରାଯିବ । ଏଥିସହ ୫୨ ଜଣଙ୍କୁ ବସ୍ ପାସ୍, ୧୩ ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହାସହ ଏହି ଅଭିଯାନରେ ବିବାହ ପ୍ରୋତ୍ସାହନ ଅର୍ଥ ରାଶି, ଭିନ୍ନକ୍ଷମ ସହାୟକ ଉପକରଣ ପ୍ରଦାନ ନିମନ୍ତେ କାଉଣ୍ଟରର ବ୍ୟବସ୍ଥା କରାଯାଇଥିଲା । ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଉରକେଲା ମହାନଗର ନିଗମର ଉପ ପୌରାୟୁକ୍ତ ତରୁଣ କାନ୍ତ ମୁଖ୍ୟ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମୀନୁ ତାଣ୍ଡିଆ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମାକ୍ସୱେଲ୍ ଟପ୍ନୋଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଏବଂ ଅଙ୍ଗନବାଡ଼ି ଓ ଆଶାକର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.