ଓଡ଼ିଆ ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଆ ପକ୍ଷ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟଶଳୟ ପରିସରରେ “ଆସ ବହିଟିଏ କିଣିବା ଦିବସ ଅଭିଯାନ” ଶୀର୍ଷକରେ ଏକ ପୁସ୍ତକ ଷ୍ଟଲ ଜିଲ୍ଲା ସଂସ୍କୃତି ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଏହାକୁ ଶୁଭ ଉଦ୍‌ଘାଟନ କରିଥିଲା ବେଳେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗଦେଇ ଅନେକ ଗୁଡ଼ିଏ ବହି କିଣିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଉପ ଜିଲ୍ଲାପାଳ ଡ଼. ସୌମ୍ୟରୁପା ରଥ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଉଷାରଣୀ ଦାସ ଷ୍ଟଲକୁ ପରିଦର୍ଶନ କରି ବହି କ୍ରୟ କରିଥିଲେ । ଜିଲ୍ଲାର ବିଭିନ୍ନ ଅଧିକାରୀ, ବୁଦ୍ଧିଜୀବୀ, ସାମ୍ୱାଦିକ, ପାଠକ, ଛାତ୍ରଛାତ୍ରୀମାନେ ମଧ୍ୟ ଷ୍ଟଲକୁ ଯାଇ ବହି କିଣିଥିଲେ । ଏହି ପୁସ୍ତକ ବିକ୍ରୟ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ପରିଚାଳନା କରିଥିଲେ । ପୂର୍ବାହ୍ନ ୧୦ ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବହି ବିକ୍ରୟ ଚାଲିଥିଲା । ଷ୍ଟଲରେ ଓଡିଶା ଓ ସୁବର୍ଣ୍ଣପୁରର କଳା, ସଂସ୍କୃତି ଓ ଇତିହାସ ଉପରେ ଆଧାରିତ ଆଞ୍ଚଳିକ କବି, କବୟିତ୍ରୀ, ଲେଖକ ଓ ଲେଖିକାଙ୍କ ପୁସ୍ତକ ଉପଲବ୍ଧ ଥିଲା । ଏହା ମାଧ୍ୟମରେ ଆଞ୍ଚଳିକ ଲେଖକମାନଙ୍କୁ ପ୍ରୋତ୍ସାହନ ମିଳିଥିବା ବେଳେ ସେମାନଙ୍କ ରଚନାର ପ୍ରଚାର ପ୍ରସାର ହୋଇଥିଲା । ମୋଟ ୨୦୦ ଖଣ୍ଡ ପୁସ୍ତକ ବିକ୍ରୟ ହୋଇଥିଲା । ଏହି ଦିବସକୁ ସଫଳ କରିବାରେ ଜିଲ୍ଲାପାଳଙ୍କ କାର୍ଯ୍ରାଳୟର ସମସ୍ତ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.