ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆ ନାମ ଫଳକ ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଏପ୍ରିଲ ମାସ ଏକ ତାରିଖ ଓଡ଼ିଶା ଦିବସଠାରୁ ଆରମ୍ଭ ହେଉଛି ‘ଓଡ଼ିଆ ପକ୍ଷ–୨୦୨୬’ । ଏହି କ୍ରମରେ ଆଜି ତଥା ଚାରି ଏପ୍ରିଲରେ ପାଳନ କରାଯାଇଥିଲା ଓଡ଼ିଆରେ ନାମଫଳକ ଲେଖା ଅଭିଯାନ । ଏହି ପରିପ୍ରେକ୍ଷୀ ରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ, ସୁନ୍ଦରଗଡଙ୍କ ଦ୍ୱାରା ରାଉରକେଲାରେ ଆୟୋଜନ କରାଯାଇଥିଲା ଓଡ଼ିଆ ନାମ ଫଳକ ସଚେତେନତା ପଦଯାତ୍ରା ଅଭିଯାନ । ଏହି ଅଭିଯାନରେ ଯୋଗଦାନ କରିଥିଲେ ଶାରଦା ପ୍ରସାଦ ନାୟକ, ବିଧାୟକ, ରାଉରକେଲା, ବିଜୟ ନାୟକ, ଉପ ଜିଲ୍ଲାପାଳ, ପାନପୋଷ, ଘାସିରାମ ଟୁଡୁ, ଅତିରିକ୍ତ ଶ୍ରମ ଆୟୁକ୍ତ, ଭୁବନେଶ୍ୱର, ପ୍ରଣବ ରଞ୍ଜନ ଜେନା, ଯୁଗ୍ମ ଶ୍ରମ ଆୟୁକ୍ତ, ରାଉରକେଲା ଶ୍ରୀମତୀ ସୁନିତା କିଷାନ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ରାଉରକେଲା, ଗୋପାଳ କୃଷ୍ଣ ମଙ୍ଗରାଜ, ଜିଲ୍ଲା ଶ୍ରମ ଅଧିକାରୀ, ରାଉରକେଲା ଓ କାର୍ଯ୍ୟାଳୟର ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀ ବୃନ୍ଦ । ଏତଦ ବ୍ୟତୀତ ଜିଲ୍ଲାର ସମସ୍ତ ଓଡ଼ିଆ ଭାଷା ଆନ୍ଦୋଳନର ଅଗ୍ରଣୀ ଅନୁଷ୍ଠାନ ଯଥା ଉତ୍କଳ ସମ୍ମିଳନୀ, ପ୍ରଗତି ଉତ୍କଳ ସଂଘ, ସାଂସ୍କୃତିକ ପରିଷଦ ରାଉରକେଲା, ଇସ୍ପାତ ସାହିତ୍ୟ ସଂସଦ, ଆଦର୍ଶ ପାଠାଗାର, ଭଞ୍ଜ କଳାକେନ୍ଦ୍ର, ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ, ଏକତ୍ର ରାଉରକେଲା, ଓଡ଼ିଆ ଭାଷା ବିକାଶ ମଂଚ, ଗାରିମା, ଶାସ୍ତ୍ରୀ ସାହିତ୍ୟ ସଂସଦ, ଜଗଦା ସାଂସ୍କୃତିକ ପରିଷଦ, ବାସନ୍ତୀ ପାଠାଗାର, ବାସନ୍ତୀ ସାଂସ୍କୃତିକ ପରିଷଦ, ଧାମରା ସଂଘ, ସୁବର୍ଣ୍ଣରେଖା, ଗୋପବନ୍ଧୁ ପାଠାଗାର, ମଧୁସୂଦନ ପାଠାଗାର, ସ୍ୱାଭିମାନୀ ଓଡ଼ିଆ, ନୀଳଚକ୍ର, ନୀଳଶୈଳ, ମୁଁ ଓଡ଼ିଆ ମୁଁ ଗର୍ବିତ, ରାଉରକେଲା ହୋଟେଲ ଆସୋସିଏସନ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକତ୍‌ର୍ତ୍ତା ବୃନ୍ଦ ଯୋଗଦାନ କରିଥିଲେ । ଓଡ଼ିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ (ସଂଶୋଧନ) ଅଧିନିୟମ ଅନୁଯାୟୀ, ପ୍ରତିଟି ବ୍ୟବସାୟିକ ଅନୁଷ୍ଠାନର ନାମଫଳକରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେବା ଏକ ସାମ୍ବିଧାନିକ ତଥା ନୈତିକ ଦାୟିତ୍ୱ । ଏହି ପଦଯାତ୍ରାର ମୂଳ ଲକ୍ଷ୍ୟ ହେଉଛି ବ୍ୟବସାୟୀ ଭାଇଭଉଣୀମାନଙ୍କୁ ସଚେତନ କରାଇବା ଯେ, ଓଡ଼ିଆରେ ନାମଫଳକ ଲେଖିବା କେବଳ ଏକ ନିୟମ ନୁହେଁ, ବରଂ ଆମ ମାତୃଭାଷା ପ୍ରତି ଏକ ସମ୍ମାନ । ଏହି ପାଦଯାତ୍ରା ମଧୁସୂଦନ ମାର୍ଗ ରୁ ବାହାରି ଆମ୍ବେଦକର ଛକରେ ଶେଷ ହୋଇଥିଲା । ଏହି ପଦଯାତ୍ରା ଦ୍ୱାରା ବ୍ୟବସାୟୀଙ୍କ ମଧ୍ୟରେ ଓଡ଼ିଆରେ ନାମ ଫଳକ ଲେଖିବା ପାଇଁ  ସଚେତନତା ସୃଷ୍ଟି କରାଯିବ ସହିତ ଏହି ସମ୍ବନ୍ଧୀୟ ଥିବା ଆଇନର ବ୍ୟବସ୍ଥା ଓ ଏହାର ଉଲଂଘନ କଲେ ଦଣ୍ଡ ବିଧାନ ସମ୍ବନ୍ଧରେ ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଇଥିଲା । ଏହି ପଦଯାତ୍ରାରେ ବ୍ୟବସାୟୀ ମାନଙ୍କୁ ସୂଚନା ଦିଆଯାଇଥିଲା ଯେ, ସେମାନଙ୍କର ବ୍ୟବସାୟିକ ପ୍ରତିଷ୍ଠାନର ନାମଫଳକର ସବୁଠାରୁ ଉପର ଭାଗରେ କିମ୍ବା ବାମ ପାର୍ଶ୍ୱରେ ଓଡ଼ିଆ ଅକ୍ଷର ବଡ଼ ଏବଂ ସ୍ପଷ୍ଟ ଭାବରେ ରହିବା ଆବଶ୍ୟକ । ଓଡ଼ିଶା ସରକାରଙ୍କ ନିୟମ ଅନୁଯାୟୀ, ଓଡ଼ିଆରେ ନାମ ଲେଖିବା ବାଧ୍ୟତାମୂଳକ । ଏହାର ଉଲ୍ଲଂଘନ କଲେ ଜରିମାନାର ପ୍ରାବଧାନ ରହିଛି । ସ୍ଥାନୀୟ ଭାଷାରେ ନାମ ରହିଲେ ସାଧାରଣ ଲୋକ ଓ ଗ୍ରାହକମାନେ ଅନୁଷ୍ଠାନ ସହ ଅଧିକ ନୀବିଡ଼ ଭାବେ ଯୋଡ଼ି ହୋଇପାରନ୍ତି । ସର୍ବଶେଷରେ ଶ୍ରୀମତୀ ସୁନିତା କିଷାନ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ରାଉରକେଲା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.