ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ତୃତୀୟ ଦିବସ ବୁଧବାର ଦିନ ସୁବର୍ଣ୍ଣପୁର ଜିଲ୍ଲାରେ ଏକକ ସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ୍ ସାହୁଙ୍କୁ ଏକକ ଅଭିଯାତ୍ରୀ, ଯୁଗଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ ସାକ୍ଷାତ୍ କରିବା ପରେ ବୀରମହାରାଜପୁରରେ ଥିବା ସପ୍ତଦୀପା ସାହିତ୍ୟ ସଂସଦକୁ ଯାଇ ଉକ୍ତ ଅନୁଷ୍ଠାନର ସଭାପତି ଦ୍ଵିତୀକୃଷ୍ଣ ପଣ୍ଡାଙ୍କ ସହ ସାକ୍ଷାତ ଓ ଆଲୋଚନା କରିଥିଲେ । ଜିଲ୍ଲାପାଳ ଡ. ସାହୁ ଯାତ୍ରାର ଶୁଭକାମନା ଜଣାଇବା ସହ ସଫଳତା କାମନା କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର ସଭାପତି ଡ. ସୌରଭ ରଂଜନ ଖମାରୀ ଓ ସମ୍ପାଦକ ଲକ୍ଷ୍ମୀ ନାରାୟଣ ସାହୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିବା ପରେ ଶ୍ରୀ ସାହୁ ଏହି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପରେ ସଭାପତି ଶ୍ରୀ ଖମାରୀ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ଯୁଗଯାତ୍ରୀ ସାହିତ୍ୟ ସଂସଦ ୩୦ ଜିଲ୍ଲାର ସାହିତ୍ୟ ଅନୁଷ୍ଠାନକୁ ସମ୍ପର୍କ ଅଭିଯାନ କରୁଥିବା କହିଥିଲେ । ସେ ମଧ୍ୟ ଉଲ୍ଲେଖ କରିଥିଲେ ଯେ ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ଓ ସାହିତ୍ୟିକଙ୍କ ମଧ୍ୟରେ ଏହା ଏକ ନିବିଡ଼ ସମ୍ପର୍କ ତିଆରି କରିବା ପରେ ଏହି ଅନୁଷ୍ଠାନର ସମସ୍ତ ତଥ୍ୟ ଲିଖିତ ଆକାରରେ ଶ୍ରୀ ସାହୁଙ୍କୁ ସଭାପତି ଓ ସଂପାଦକ ପ୍ରଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଶ୍ରୀ ସାହୁ ମହାନଦୀ ସାହିତ୍ୟ ସଂସଦର ବିଭିନ୍ନ ନିଆରା କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖିଥିଲେ । ମହାନଦୀ ସାହିତ୍ୟ ସଂସଦର ପୂର୍ବତନ ସଭାପତି ଓ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ସାହୁ ଏହି ଅଭିଯାନ ଆଗକୁ କିଭଳି ଆହୁରି ସୁନ୍ଦର ଏବଂ ସଂଗଠିତ ହୋଇପାରିବ ସେ ଦିଗରେ ଗଠନମୂଳକ ପ୍ରସ୍ତାବମାନ ରଖିଥିଲେ । କବି ନରେନ୍ଦ୍ର କୁମାର ଭୋଇ ଏବଂ ଯୁବ ଗାଳ୍ପିକ ଅବକାଶ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅଭିଯାନରେ ଓଡ଼ିଶାର ୩୦ ଗୋଟି ଜିଲ୍ଲାରେ ଥିବା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକୁ ସାରସ୍ଵତ ସମ୍ପର୍କର ଏକସୂତ୍ରରେ ବାନ୍ଧିବାର ପ୍ରୟାସ ତଥା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକର ତଥ୍ୟ ସଂଗ୍ରହ ପୂର୍ବକ ” ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ” ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ଅବଦାନ” ଶୀର୍ଷକରେ ଏକ ପୁସ୍ତକ ପ୍ରକାଶ କରିବାର ଯୋଜନା ରହିଥିବା କହିଥିଲେ, ଏକକ ଅଭିଯାତ୍ରୀ ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ । ଏହି ଅଭିଯାନ ମ.ରାମପୁରରୁ ବାହାରି କନ୍ଧମାଳ ଜିଲ୍ଲାରୁ ଆରମ୍ଭ ହୋଇ ଆଜି ବୌଦ୍ଧ ଜିଲ୍ଲା ଦେଇ ସୁବର୍ଣ୍ଣପୁର ଜିଲ୍ଲା ପରିଭ୍ରମଣ ପୂର୍ବକ ପର୍ଯ୍ୟାୟ କ୍ରମେ ସମସ୍ତ ଜିଲ୍ଲା ଯିବାପରେ କଳାହାଣ୍ଡିରେ ମାର୍ଚ୍ଚ ମାସ ୧୮ ତାରିଖରେ ଶେଷ ହେବାର ଯୋଜନା ରହିଛି । ଏହି ଅଭିଯାନଟି ସମ୍ପାଦକ ନିଜ ଉଦ୍ୟମରେ କରିଥିବା ଜଣାପଡିଛି ।