ବାଲିଗୁଡାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ : ଉପଖଣ୍ଡ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମଗ୍ର ଭାରତର ନାଗରିକଙ୍କୁ ସାମିଲ କରି ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପ୍ରଶାସନ ଆନୁକୂଲ୍ୟରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଠାରୁ ମିନି ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ବାଲିଗୁଡାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ଆଶା କର୍ମୀ, ଅଙ୍ଗନାୱାଡି କର୍ମୀ ପୋଲିସ, ତହସିଲ ପ୍ରଶାସନ ଯୋଗଦେଇ ଲୋକଙ୍କୁ ଘର ଘର ତ୍ରିରଙ୍ଗା ଉଡାଇବା ଓ ସ୍ୱାଧୀନତା ଦିବସକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ସଚେତନ କରିଥିଲେ । ଉକ୍ତ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଡ. ରୀନା ପ୍ରଧାନ ଯୋଗଦେଇ କାନ୍‌ଭାସ୍‌ରେ ଜୟ ହିନ୍ଦ, ଘରେ ଘରେ ତ୍ରିରଙ୍ଗା ଲେଖିବା ସହ ସେଲ୍‌ଫି ନେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସୂଚନାଯୋଗ୍ୟ କି, କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ ଏବଂ ପଞ୍ଚାଯତ ସ୍ତରରେ ପ୍ରଶାସନ ତରଫରୁ ଆଗାମୀ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଏଭଳି ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜନ କରି ଲୋକଙ୍କୁ ସଚେତନ କରାଯିବ । ଉପଖଣ୍ଡ ପ୍ରଶାସନ ତରଫରୁ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବା ସହ ତ୍ରିରଙ୍ଗା ପତାକା ସହ ସେଲ୍‌ଫି ଫୋଟୋ ୱେବ୍‌ସାଇଡରେ ଅପ୍‌ଲୋଡ୍‌ କରି ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ବିଡ଼ିଓ ଅଚ୍ୟୁତାନନ୍ଦ ଜାନି, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧୀରଜ କୁମାର ପାତ୍ର, ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଅନ୍ୟ ଏକ ଶୋଭାଯାତ୍ରାରେ ସାଇକେଲ, ବାଇକ୍‌ ଓ ଚାରିଚକିଆ ଗାଡିରେ ଅନେକ ଲୋକ ସାମିଲ ହୋଇଥିଲେ ।

Leave A Reply

Your email address will not be published.