ଭାରତୀୟ ରେଲୱେ ମଜଦୁର ସଂଘ ସହବନ୍ଧିତ ଇଷ୍ଟ କୋଷ୍ଟ ରେଲୱେ ମଜଦୁର ୟୁନିୟନର ବଲାଙ୍ଗିର ଶାଖା ତରଫରୁ ବଲାଙ୍ଗିର ଷ୍ଟେସନ ପରିସରରେ ସ୍ଵଚ୍ଛତା ଅଭିଯାନ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଭାରତୀୟ ରେଲୱେ ମଜଦୁର ସଂଘ ସହବନ୍ଧିତ ଇଷ୍ଟ କୋଷ୍ଟ ରେଲୱେ ମଜଦୁର ୟୁନିୟନର ବଲାଙ୍ଗିର ଶାଖା ତରଫରୁ ବଲାଙ୍ଗିର ଷ୍ଟେସନ ପରିସରରେ ଏକ ସ୍ଵଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ତତ୍ ସହିତ ବଲାଙ୍ଗିର ଶାଖାର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସାମ୍ପ୍ରତିକ ପରିସ୍ଥିତିରେ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଯଥା : ଘରୋଇକରଣ, ବଲାଙ୍ଗିରରେ ଷ୍ଟାଫ୍ ରିକ୍ରିଏସନ କ୍ଲବ, ଖେଳ ପଡିଆ, ଚିଲଡ୍ରେନ ପାର୍କର ଉନ୍ନତିକରଣ, ଜିମ, ଇଣ୍ଡୋର୍ ହଲ୍, ଟିଟି ମାନଙ୍କ ପାଇଁ ବିଶ୍ରାମ ଗୃହ ଏବଂ କାର୍ୟ୍ୟାଳୟର ସୁବିଧା ଇତ୍ୟାଦି ମୁଖ୍ୟ ଦାବୀ ଗୁଡିକୁ ଡିଆରଏମଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ଉପାସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଏହି ସାଧାରଣ ଅଧିବେଶନରେ ଆଗାମୀ ବର୍ଷ ପାଇଁ ଶାଖା କମିଟି ଘୋଷଣା କରାଯାଇଥିଲା । ଉକ୍ତ ସଭାରେ ଇଷ୍ଟ କୋଷ୍ଟ ରେଲୱେ ମଜଦୁର ୟୁନିୟନର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ, ଭାରତୀୟ ମଜଦୁର ସଂଘର ଅରୁଣ ସାହୁ, ସଂଘର ଉପସଭାପତି ସୀତାକାନ୍ତ ମହାପାତ୍ର, ସମ୍ବଲପୁର ମଣ୍ଡଳ ସମ୍ପାଦକ ସନ୍ତୋଷ ପାଣିଗ୍ରାହୀ, ସଙ୍ଘର କର୍ମକର୍ତ୍ତା ତରୁଣ ସାହୁ, ସୁଦର୍ଶନ ସାହୁ, ଜାମି ପ୍ରସାଦ, ନଟବର ସ୍ଵାଇଁ, ଶରତ କୁମାର ନାୟକ, ଜୟନ୍ତ କୁମାର ଦାସ, ତ୍ରିଲୋଚନ ସାହୁ, ତପନ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକର୍ତ୍ତା ମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ସୁରେଶ ଚନ୍ଦ୍ର ଦାସ, ଷ୍ଟେସନ ମାଷ୍ଟର, ବଲାଙ୍ଗିର ଏବଂ ଜୋନାଲ କାର୍ୟ୍ୟକାରିଣୀ ସଦସ୍ୟ ଉକ୍ତ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।