ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ମହାମହିମ ରାଷ୍ଟ୍ରପତି ଜୀ,

ଦୁଇଦେଶର ପ୍ରତିନିଧିଗଣ,

ଗଣମାଧ୍ୟମର ବନ୍ଧୁଗଣ,

ନମସ୍କାର!

ମାବୁ-ହାୟ!

ନୂଆଦିଲ୍ଲୀ, (ପିଆଇବି) : ସର୍ବପ୍ରଥମେ, ମୁଁ ରାଷ୍ଟ୍ରପତି ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତକୁ ହାର୍ଦ୍ଦିକ ସ୍ୱାଗତ କରୁଛି । ଏହି ବର୍ଷ ଭାରତ ଏବଂ ଫିଲିପାଇନ୍ସ ସେମାନଙ୍କର କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛନ୍ତି । ଏବଂ ଏହି ପରିପ୍ରେକ୍ଷୀରେ, ତାଙ୍କର ଗସ୍ତର ବିଶେଷ ଗୁରୁତ୍ୱ ରହିଛି । ଆମର କୂଟନୈତିକ ସମ୍ପର୍କ ନୂତନ ହୋଇପାରେ, କିନ୍ତୁ ଆମର ସଭ୍ୟତାଗତ ସମ୍ପର୍କ ପ୍ରାଚୀନ ସମୟରୁ ରହିଆସିଛି । ଫିଲିପାଇନ୍ସର ରାମାୟଣ – “ମହାରାଦିଆ ଲୱାନା” – ଆମର ଶତାବ୍ଦୀ ପୁରୁଣା ସାଂସ୍କୃତିକ ସମ୍ପର୍କର ଏକ ଜୀବନ୍ତ ସାକ୍ଷ୍ୟ । ଉଭୟ ଦେଶର ଜାତୀୟ ଫୁଲକୁ ନେଇ ସଦ୍ୟ ଉନ୍ମୋଚିତ ଡାକଟିକଟ, ଆମ ବନ୍ଧୁତାର ସୁଗନ୍ଧକୁ ଦର୍ଶାଏ ।
ବନ୍ଧୁଗଣ,
ପ୍ରତ୍ୟେକ ସ୍ତରରେ ଆଲୋଚନା, ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ, ଦୀର୍ଘ ଦିନ ଧରି ଆମ ସମ୍ପର୍କର ପ୍ରମୁଖ ପରିଚୟ ହୋଇଆସିଛି । ଆଜି, ରାଷ୍ଟ୍ରପତି ଏବଂ ମୁଁ ପାରସ୍ପରିକ ସହଯୋଗ, ଆଞ୍ଚଳିକ ପ୍ରସଙ୍ଗ ଏବଂ ଅନ୍ତର୍ଜାତୀୟ ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା କରିଛୁ । ଏହା ଖୁସିର ବିଷୟ ଯେ ଆଜି ଆମେ ଆମର ସମ୍ପର୍କକୁ ରଣନୈତିକ ସହଭାଗୀତାର ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛୁ । ଏହି ସହଭାଗୀତାର ସମ୍ଭାବନାକୁ ଫଳାଫଳରେ ପରିଣତ କରିବା ପାଇଁ ଏକ ବ୍ୟାପକ କାର୍ଯ୍ୟ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି । ଆମର ଦ୍ୱିପାକ୍ଷିକ ବାଣିଜ୍ୟ ନିରନ୍ତର ବୃଦ୍ଧି ପାଉଛି ଏବଂ ଏହା ୩ ବିଲିୟନ ଡଲାର ଅତିକ୍ରମ କରିଛି । ଏହାକୁ ଆହୁରି ମଜବୁତ କରିବା ପାଇଁ, ଭାରତ-ଆସିଆନ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ସମୀକ୍ଷା ଯଥାଶୀଘ୍ର ସମାପ୍ତ କରିବା ଆମର ପ୍ରାଥମିକତା । ଏହା ସହିତ, ଆମେ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ପାଇଁ କାର୍ଯ୍ୟ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛୁ । ଆମର କମ୍ପାନୀଗୁଡ଼ିକ ପ୍ରତ୍ୟେକ କ୍ଷେତ୍ରରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି – ସୂଚନା ଏବଂ ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, ଅଟୋମୋବାଇଲ୍, ଭିତ୍ତିଭୂମି, ଖଣିଜ ପଦାର୍ଥ । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ, ଭାଇରୋଲୋଜି ଠାରୁ ଆରମ୍ଭ କରି ଏଆଇ ଏବଂ ଆଡିଟିଭ୍ ମାନୁଫାକଚରିଂ ପର୍ଯ୍ୟନ୍ତ ମିଳିତ ଗବେଷଣା ଚାଲିଛି । ଆଜି ସମାପ୍ତ ହୋଇଥିବା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ଯୋଜନା ଏହାକୁ ଆହୁରି ତ୍ବରାନ୍ବିତ କରିବ । ବାରାଣସୀର ଅନ୍ତର୍ଜାତୀୟ ଚାଉଳ ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର ଅଲଟ୍ରା ଲୋ ଗ୍ଲାଇସେମିକ୍ ଇଣ୍ଡେକ୍ସ ସହିତ ଚାଉଳର ବିକାଶ ଉପରେ କାମ କରୁଛି । ଅର୍ଥାତ୍, ଆମେ ସ୍ୱାଦ ଏବଂ ସ୍ୱାସ୍ଥ୍ୟ ଉଭୟ ଉପରେ ଏକାଠି କାମ କରୁଛୁ । ମୁଁ ଖୁସି ଯେ ବିକାଶ ସହଭାଗୀତା ଅଧୀନରେ, ଆମେ ଫିଲିପାଇନ୍ସରେ କ୍ୱିକ୍ ଇମ୍ପାକ୍ଟ ପ୍ରୋଜେକ୍ଟ ସଂଖ୍ୟା ବୃଦ୍ଧି କରିବୁ । ଏବଂ, ଆମେ ଫିଲିପାଇନ୍ସରେ ସାର୍ବଭୌମ ଡାଟା କ୍ଲାଉଡ୍ ଭିତ୍ତିଭୂମି ବିକାଶରେ ମଧ୍ୟ ସହାୟତା କରିବୁ । ଆମର ସହଭାଗୀତା ଭୂପୃଷ୍ଠରେ ତ ଦୃଢ ଏବଂ ଏବେ ଆମେ ମହାକାଶ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛୁ । ଏଥିପାଇଁ ଆଜି ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି ।
ବନ୍ଧୁଗଣ,
ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ଗଭୀର ପାରସ୍ପରିକ ବିଶ୍ୱାସର ପ୍ରତୀକ । ସାମୁଦ୍ରିକ ରାଷ୍ଟ୍ର ଭାବରେ, ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସହଯୋଗ ସ୍ୱାଭାବିକ ଅଟେ ଏବଂ ଆବଶ୍ୟକ ମଧ୍ୟ। ଆମେ ମାନବୀୟ ସହାୟତା, ବିପର୍ଯ୍ୟୟ ସହାୟତା ଏବଂ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ଏକାଠି କାମ କରିଆସୁଛୁ । ଆଜି, ଯେତେବେଳେ ରାଷ୍ଟ୍ରପତିଜୀ ଭାରତରେ ଅଛନ୍ତି, ଭାରତୀୟ ନୌସେନାର ତିନୋଟି ଜାହାଜ ପ୍ରଥମ ଥର ପାଇଁ ଫିଲିପାଇନ୍ସରେ ଏକ ନୌସେନା ଅଭ୍ୟାସରେ ଅଂଶଗ୍ରହଣ କରୁଛନ୍ତି । ଭାରତର ହାଇଡ୍ରୋଗ୍ରାଫି ଜାହାଜ ମଧ୍ୟ ଏଥିରେ ସାମିଲ ହୋଇଛି । ଭାରତରେ ପ୍ରତିଷ୍ଠିତ ଭାରତ ମହାସାଗର କ୍ଷେତ୍ର ପାଇଁ ଇଣ୍ଟରନ୍ୟାସନାଲ ଫ୍ୟୁଜନ୍ ସେଣ୍ଟରରେ ଯୋଗଦାନ ପାଇଁ ଆମେ ଫିଲିପାଇନ୍ସକୁ ସ୍ୱାଗତ କରୁଛୁ । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ଏବଂ ଆତଙ୍କବାଦ ବିରୋଧରେ ଆମର ଲଢ଼େଇରେ ଆମ ସହିତ ଠିଆ ହେବା ପାଇଁ ଆମେ ଫିଲିପାଇନ୍ସ ସରକାର ଏବଂ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଉଛୁ । ଆଜି ପାରସ୍ପରିକ ଆଇନଗତ ସହାୟତା ଏବଂ ଦଣ୍ଡିତ ବ୍ୟକ୍ତିମାନଙ୍କୁ ହସ୍ତାନ୍ତର କରିବା ପାଇଁ ସ୍ୱାକ୍ଷରିତ ଚୁକ୍ତିନାମା ଆମର ସୁରକ୍ଷା ସହଭାଗୀତାକୁ ଆହୁରି ମଜବୁତ କରିବ ।
ବନ୍ଧୁଗଣ,
ଭାରତୀୟ ପର୍ଯ୍ୟଟକଙ୍କୁ ଭିସା-ମୁକ୍ତ ପ୍ରବେଶ ପ୍ରଦାନ କରିବା ପାଇଁ ଫିଲିପାଇନ୍ସର ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । ଭାରତ ମଧ୍ୟ ଫିଲିପାଇନ୍ସର ପର୍ଯ୍ୟଟକମାନଙ୍କୁ ମାଗଣା ଇ-ଭିସା ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି । ଏହି ବର୍ଷ, ଦିଲ୍ଲୀ ଏବଂ ମାନିଲା ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ଦିଗରେ ମଧ୍ୟ କାର୍ଯ୍ୟ କରାଯିବ । ଆଜି ସମାପ୍ତ ହୋଇଥିବା ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଆମର ଐତିହାସିକ ସାଂସ୍କୃତିକ ସମ୍ପର୍କକୁ ପ୍ରୋତ୍ସାହିତ କରିବ ।
ବନ୍ଧୁଗଣ,
ଫିଲିପାଇନ୍ସ ଆମର ଆକ୍ଟ-ଇଷ୍ଟ ନୀତି ଏବଂ “ମହାସାଗର” ଦୃଷ୍ଟିକୋଣରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ଆମେ ଇଣ୍ଡୋ-ପାସିଫିକ କ୍ଷେତ୍ରରେ ଶାନ୍ତି, ସୁରକ୍ଷା, ସମୃଦ୍ଧି ଏବଂ ଆଇନ ଆଧାରିତ ବ୍ୟବସ୍ଥା ପ୍ରତି ପ୍ରତିବଦ୍ଧ । ଆମେ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସାମୁଦ୍ରିକ ଚଳାଚଳରେ ସ୍ୱାଧୀନତାକୁ ସମର୍ଥନ କରୁଛୁ ।
ଆଗାମୀ ବର୍ଷ, ଫିଲିପାଇନ୍ସ ଆସିଆନର ଅଧ୍ୟକ୍ଷତା କରିବ । ଆମେ ଏହାର ସଫଳତା ପାଇଁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବୁ ।
ମହାମହିମ,
ଭାରତ ଏବଂ ଫିଲିପାଇନ୍ସ ପସନ୍ଦ ଅନୁସାରେ ବନ୍ଧୁ ଏବଂ ଭାଗ୍ୟ ଅନୁସାରେ ଅଂଶୀଦାର । ଭାରତ ମହାସାଗରଠାରୁ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ଅଂଚଳରେ ଆମେ ସମାନ ମୂଲ୍ୟବୋଧକୁ ନେଇ ଏକଜୁଟ । ଏହା କେବଳ ଆମର ଅତୀତର ବନ୍ଧୁତା ନୁହେଁ, ଭବିଷ୍ୟତ ପାଇଁ ଏକ ପ୍ରତିଶ୍ରୁତି ।

ମାରାମିଂ ସଲାମତ ପୋ ।

jittmm
Leave A Reply

Your email address will not be published.