ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଗମ୍ଭାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଟିଖାଇ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଦୟନୀୟ ଅବସ୍ଥା ଆଜି ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ଆଇନା ଦେଖାଇଛି । ୧୯୫୪ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ବର୍ତ୍ତମାନ ୧୫୧ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ, ଶିକ୍ଷାଦାନ ପାଇଁ କେବଳ ଦୁଇଜଣ ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତ ରହିବା ଏକ ଲଜ୍ଜାଜନକ ସତ୍ୟ । “ଶିକ୍ଷା ସମସ୍ତଙ୍କ ପାଇଁ” ବୋଲି ସରକାରଙ୍କ ନାରା କେବଳ କାଗଜରେ ସୀମିତ ରହିଛି ବୋଲି ଏହି ଘଟଣା ସ୍ପଷ୍ଟ କରିଦେଇଛି । ଦୀର୍ଘଦିନ ଧରି ଲିଖିତ ଅଭିଯୋଗ, ଆବେଦନ, ଦାବି ସବୁ କରି ସାରିଥିଲେ ମଧ୍ୟ ପ୍ରଶାସନ ଓ ସରକାରଙ୍କ ନିରବତା ଅଭିଭାବକମାନଙ୍କୁ ଶେଷରେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ କରିଛି । ଗୁରୁବାର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ରାସ୍ତା ଅବରୋଧ କରିବା ପରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିଲା । ପ୍ରଶ୍ନ ଉଠୁଛି ୧୫୪ ଛୁଆଙ୍କ ଭବିଷ୍ୟତ ପାଇଁ ସରକାର କେବେ ଜାଗିବ ? ଶିକ୍ଷାର ଅଧିକାର କ’ଣ କେବଳ ଆଇନରେ ସୀମିତ ? ଯଦି ତୁରନ୍ତ ନୂତନ ଶିକ୍ଷକ ନିଯୁକ୍ତି କରାନଯାଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ରୂପ ନେବ ବୋଲି ଅଭିଭାବକ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଶିକ୍ଷା ସହ ଏପରି ଅବହେଳା କେବଳ ଅନ୍ୟାୟ ନୁହେଁ, ଏହା ଏକ ପିଢ଼ିର ଭବିଷ୍ୟତ ସହ ଖେଳ ବୋଲି ଗ୍ରାମବାସୀ କହିଛନ୍ତି ।