ଶିକ୍ଷକ ବଦଳି ଓ ଡେପୁଟେସନ୍‌ ପ୍ରତିବାଦରେ ସ୍କୁଲରେ ତାଲା ଠୁଙ୍କିଲେ ଗ୍ରାମବାସୀ : ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଅନ୍ତର୍ଗତ କେଉଁମାଲ ଗ୍ରାମବାସୀ ୟୁପି ସ୍କୁଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖବର ପାଇ ସିଆର୍‌ସିସି ଶମ୍ଭୁପ୍ରସାଦ ନାଏକ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ, ସ୍କୁଲର ବିଜ୍ଞାନ ଶିକ୍ଷକ ବିଜୟ ସୁନାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ହେଲେ ଅନ୍ୟ ବିଜ୍ଞାନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନାହିଁ । ଯାହାକୁ ନେଇ ଗ୍ରାମବାସୀ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି । ଗ୍ରାମବାସୀ ସଂପୃକ୍ତ ଶିକ୍ଷକଙ୍କୁ ପୁନଃ ସ୍କୁଲକୁ ଫେରାଇ ନଆଣିବା ଯାଏ ତାଲା ବନ୍ଦ ରହିବ ବୋଲି କହିଛନ୍ତି । ସୂଚନା ଅନୁସାରେ, ସ୍କୁଲରେ ୮ଟି ଶ୍ରେଣୀ ଥିବାବେଳେ ୮୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଠାରେ ଚାରିଜଣ ଶିକ୍ଷକ ନିଯୁକ୍ତ ହୋଇଥିଲେ । ଏବେ ବିଜ୍ଞାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବା ପରେ କେବଳ ୩ ଜଣ ଶିକ୍ଷକ ରହିବେ । ଯଦ୍ଵାରା ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବ ବୋଲି ଗ୍ରାମବାସୀ କହିଛନ୍ତି । ସ୍କୁଲରେ ତାଲା ପକାଇବା ସମୟରେ ପରିଚାଳନା ସମିତି ସଭାପତି ଯଶୋବନ୍ତ ପ୍ରଧାନ, ସଭ୍ୟ ଡିଙ୍ଗର ଭୋଇ, ଭୋଳାରାମ ଧରୁଆ, ସୁରୁ ସିଂ ମାଝୀ, ୱାର୍ଡ଼ ସଭ୍ୟ ସିଦ୍ଧେଶ୍ୱର ତାଣୁଙ୍କ ସହ ବହୁ ଅଭିଭାବକ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଜୁରାବନ୍ଧ ପଞ୍ଚାୟତ ଖର୍ସେଲବାଞ୍ଜି ଗ୍ରାମର ପ୍ରାଥମିକ ସ୍କୁଲରେ ୫ଟି ଶ୍ରେଣୀ ପାଇଁ ଜଣେ ମାତ୍ର ଶିକ୍ଷକ ଥିବା ଯୋଗୁଁ ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ଶ୍ରୀ ମୁନାଙ୍କୁ ଉକ୍ତ ବିଦ୍ୟାଳୟକୁ ବଦଳି କରାଯାଇଥିବା ସିଆର୍‌ସିସି ଶ୍ରୀ ନାଏକ କହିଛନ୍ତି ।

Leave A Reply

Your email address will not be published.