
ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟି ସହ ଅଲ୍ ଇଣ୍ଡିଆ ମାଝୀ-ପାର୍ଗାନା ମାଡୱା ଓଡିଶା ପ୍ରଦେଶ କମିଟିର ସେଙ୍ଗେଲ ପାର୍ଗାନା ନାରାନ ମୁର୍ମୁଙ୍କ ତତ୍ତ୍ୱାବଧାନରେ ମୟୁରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାବିପତ୍ର ପ୍ରଦାନ କରାଯାଇଛି । କୁହାଯାଇଛି ଯେ ଆସନ୍ତା ୯ ମେ ୨୦୨୫ ରିଖ ଶୁକ୍ରବାର ଦିନ ବାଙ୍ଗିରିପୋଷି ରେଳଷ୍ଟେସନ ମଝିଗାଁ ପୁରୁଣା ଶିଶୁ ମନ୍ଦିର ପଡ଼ିଆ ଠାରେ ସଂଗଠନ ତରଫରୁ “ସେଙ୍ଗେଲ ସମାଜ ସୁଧାର ସଭା” ଆୟୋଜନ କରାଯାଇଛି । କାରଣ- ସମାଜରେ ରୁଢିପ୍ରଥା, ପରମ୍ପରା ନାମରେ ହାଣ୍ଡିଆ, ମଦ ଭଳି ନିଶାଦ୍ରବ୍ୟକୁ ପୂଜାର୍ଚ୍ଚନା ଏବଂ ସେବନ କରିବା, ଡାହାଣୀ ନାମରେ ହତ୍ୟା ଏବଂ ପ୍ରତାରଣା କରିବା, ଅନ୍ଧବିଶ୍ୱାସକୁ ପ୍ରୋତ୍ସାହନ ଦେବା, ମାଝୀ-ପାର୍ଗାନାଙ୍କର କଙ୍ଗାରୁ କୋର୍ଟ ଦ୍ୱାରା ମନ-ଇଚ୍ଛା ଜରିମାନା କରିବା, ସାମାଜିକ ବାସନ୍ଦ କରିବା, ରାଜତାନ୍ତ୍ରୀକ ଆଦିବାସୀ ଶାସନ ବ୍ୟବସ୍ଥା ଚଲାଇବା ଆଦି ଅସାମ୍ବିଧାନିକ କାର୍ଯ୍ୟକଳାପ ପରମ୍ପରା ଚାଲୁଅଛି । ଉକ୍ତ କୁ ପ୍ରଥା ଏବଂ କୁ-କାର୍ଯ୍ୟରେ ସୁଧାର ଆଣିବା ପାଇଁ ଅଧିକାଂଶ ଆଦିବାସୀ ନେତା, ମନ୍ତ୍ରୀ, ଗଖଇ , ଗଚ, ସାମାଜିକ ସଂଗଠନ, ସାମାଜିକ ଲିଡର ଆଦି ମୁକ ଦର୍ଶକ ସାଜିଛନ୍ତି । ତେଣୁ ସେଙ୍ଗେଲ’ର ରାଷ୍ଟ୍ରୀୟ ସଭାପତି ସାଲଖାନ ମୁର୍ମୁଙ୍କ ମାର୍ଗଦର୍ଶନରେ ସେଙ୍ଗେଲ କାର୍ଯ୍ୟକର୍ତ୍ତାଙ୍କ ନେତୃତ୍ୱରେ ସମାଜ ସୁଧାର କରିବାର ଲକ୍ଷ୍ୟ ରଖି ଉକ୍ତ ଜନସଚେତନତା ସଭା ଆୟୋଜନ କରାଯାଇଛି ବୋଲି, ପ୍ରକାଶ କରାଯାଇଛି । ଉକ୍ତ ସଭାରେ ପ୍ରଶାସନର ସହଯୋଗ ପାଇଁ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ବାରିପଦା ସବଡିବିଜନାଲ ସେଙ୍ଗେଲ ସଭାପତି ବିକାଶ ଚନ୍ଦ୍ର ହେମ୍ବ୍ରମ, ବାରିପଦା ଜୋନାଲ ସେଙ୍ଗେଲ ଉପସଭାପତି ବାହାଦୁର ମୁର୍ମୁ, ସେଙ୍ଗେଲ ସେନା ଲକ୍ଷ୍ମଣ ଟୁଡୁ ପ୍ରମୁଖ ସେଙ୍ଗେଲ ନେତାମାନେ ଉପସ୍ଥିତ ଥିଲେ ।