
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଶାଖୁ ପଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦନ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୋଶଲ ସାମ୍ବାଦିକ ସଙ୍ଘ ସଭାପତି ବିପ୍ର ସାହୁ ମୁଖ୍ୟ ଅତିଥି, ସାମ୍ବାଦିକ ରତ୍ନାକର ସେଠ ମୁଖ୍ୟ ବକ୍ତା, ବରିଷ୍ଠ ସଂସ୍କୃତ ଶିକ୍ଷକ ବୀରେନ୍ଦ୍ର ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଧାନଙ୍କ କୃତିତ୍ୱ ଅବତାରଣା କରିଥିଲେ । ଡୁଙ୍ଗୁରିପାଲି ବ୍ଲକକୁ ବିଜ୍ଞାନ ଓ ଗଣିତ କ୍ଷେତ୍ରରେ ଆଗେଇ ନେବା ପାଇଁ ତାଙ୍କ ଅବଦାନ ଥିଲା ଅନନ୍ୟ । ସେ ପ୍ରଥମେ ଦିଗଶିରା ଉଚ୍ଚ ବିଦ୍ୟାଳୟରେ ଗଣିତ ଶିକ୍ଷକ ଓ ପରେ ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କରିଯାଇଥିବା ଉତ୍ତମ କାର୍ଯ୍ୟ ଶିକ୍ଷକ ସମାଜର ପଥ ପ୍ରଦର୍ଶକ ହୋଇ ରହିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ପଧାନ ନିଜ ଶିକ୍ଷକତା ଜୀବନର ବିଗତ ଦିନର କଥାର ସ୍ମୃତି ଚାରଣ କରିବା ସହ ଛାତ୍ରଛାତ୍ରୀଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଫୁଲତୋଡ଼ା, ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ଆଶୀର୍ବାଦ ନେଇଥିଲେ । ଛାତ୍ରଛାତ୍ରୀମାନେ ସଭା ପ୍ରାରମ୍ଭରେ ସ୍ୱାଗତ ସଂଗୀତ ଓ ଶେଷରେ ବିଦାୟ ସଂଗୀତ ଗାଇ ନିଜର ଗୁରୁଭକ୍ତି ପ୍ରଦର୍ଶନ କରିଥିଲେ । ଶିକ୍ଷକ କୁମୁଦ କୁମାର ମଟାରୀ ସଭା ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ନିହାରିକା ଗୁରୁ ମାନପତ୍ର ପଠନ କରିଥିଲେ । ଶିକ୍ଷୟିତ୍ରୀ ସୌଦାମିନୀ ଭୋଇ, ମଞ୍ଜୁଲତା ରଣା, ଦିପ୍ତିମୟୀ ସିହ୍ନା, ଗୀତିକା ବିଶ୍ୱାଳ, ସବିତା ସେଠୀ, ଶିକ୍ଷକ ବିବେକକୁମାର ଭୋଇ, କରୁଣା ମେହେର, ମୁକେଶକୁମାର ରାଉତ, ଗରୁଡ଼ଧ୍ୱଜ ପଧାନ, ଅବିଭାବକ, ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଶେଷରେ କ୍ରୀଡା ଶିକ୍ଷକ ଦେବରାଜ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ ।