ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବରିଷ୍ଠ ଶିକ୍ଷକ ନିର୍ମଳ ପ୍ରସାଦ ସାହୁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସାହୁ ଦୀର୍ଘ ଦିନରୁ ମୁରିବାହାଲ୍ ବ୍ଲକ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ କରି ପରିଶେଷରେ ବିଟାବନ୍ଧ କ୍ଲଷ୍ଟର ଅଧିନସ୍ଥ ମାଳିଶିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତ ଜୁଲାଇ ୩୧ ତାରିଖ ୨୦୨୫ରେ ନିଜର ଚାକିରି ସେବାରୁ ନିବୃତ୍ତି ହୋଇଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବରେ ସମସ୍ତଙ୍କଠାରେ ପ୍ରସଂଶିତ ଏବଂ ପ୍ରିୟଭାଜନ ହୋଇଥିଲେ । ଆଜିର ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ସାହୁ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗ, ବିଟାବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲକ୍ଷପତି ହରପାଲ୍,ବିଟାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯୋଗିତା ଶବର ମଞ୍ଚରେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ବିଟାବନ୍ଧ କ୍ଲଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ମଞ୍ଚ ସଂଯୋଜନା ଦାୟିତ୍ୱ ଭରତ ତାଣ୍ଡି ସମ୍ପାଦନ କରିଥିବା ବେଳେ ପରିଶେଷରେ ଡେଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଞ୍ଜନ ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
