ଡେପୁଟି କଲେକ୍ଟରଙ୍କ ଅବସର ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ଡେପୁଟି କଲେକ୍ଟର (ସାଧାରଣ ଓ ବିବିଧ) ସଚିଦାନନ୍ଦ ମିଶ୍ର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଅପରାହ୍ନରେ ତାଙ୍କୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଶ୍ରୀ ମିଶ୍ର ଜଣେ ଦକ୍ଷ ଓ ପରୋପକାରୀ ଅଧିକାରୀ ଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ସୋମବାର ହେଉଥିବା ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅତି ସୂଚାରୁ ରୂପେ ପରିଚାଳନା କରୁଥିଲେ । ସେ ଜିଲ୍ଲା କାର୍ଯ୍ୟାଳୟର ଜନସୂଚନା ଅଧିକାରୀ ତଥା ବୌଦ୍ଧ–ବଲାଙ୍ଗିର ଏବଂ ସୋନପୁର ବନ୍ଦୋବସ୍ତ ଓ ଚକବନ୍ଦୀ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ଶ୍ରୀ ମିଶ୍ର ପୂର୍ବରୁ ନୟାଗଡ ଜିଲ୍ଲାର ନୂଆଗାଁ ବ୍ଲକର ବିଡିଓ ତଥା ଓଡ଼ିଶା ରାଜସ୍ୱ ପର୍ଷଦର କୋର୍ଟ ଅଧିକାରୀ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି । ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଗୌରବ ଶିବାଜୀ ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ପବିତ୍ର ବେହେରାଙ୍କ ଉପସ୍ଥିତିରେ ଜିଲ୍ଲା କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ଶ୍ରୀ ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେଇଥିଲେ । ଏହା ସହ ତାଙ୍କ ଉତ୍ତମ ଏବଂ ସୁସ୍ଥ ସ୍ଵାସ୍ଥ୍ୟ କାମନା କରିଥିଲେ ।

Leave A Reply

Your email address will not be published.