ଭିନ୍ନକ୍ଷମ ହିରୋ ସୁନାଙ୍କୁ ଆବାସ ଘର ସାତ ସପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା ପଂଚାୟତ ଡୁଙ୍ଗୁରିପାଲି ଗାଁର ବାସିନ୍ଦା ହିରୋ ସୁନା (୩୭) ଜନ୍ମରୁ ସେ ଭିନ୍ନକ୍ଷମ ଅଟନ୍ତି । ଡାହାଣ ଗୋଡ଼ ସରୁ ହୋଇ ବାମ ଗୋଡ଼ରୁ ଛୋଟ ଥିବାରୁ ଠିକ୍‌ରେ ଚାଲି ପାରନ୍ତି ନାହିଁ କି କୌଣସି କାମ ଧନ୍ଦା କରି ପାରନ୍ତି ନାହିଁ । ୧୦ବର୍ଷ ହେଲା ମା, ବାପାଙ୍କ ମୃତ୍ୟୁ ହୋଇ ସାରିଛି । ବଡଭାଇ ନିଜ ପରିବାରକୁ ନେଇ ଅଲଗା ରହୁଛନ୍ତି । ଭାଗ ପାଇଥିବା ଦୁଇ ବଖରା ମାଟି ଛପର ଘରେ ନିଜେ ରୋଷେଇ କରି ଚଳୁଥିଲେ ଅବିବାହିତ ହିରୋ ସୁନା । ହେଲେ ଅର୍ଥାଭାବ ତଥା ନିଜେ ଅକ୍ଷମ ଥିବାରୁ ଘରକୁ ମରାମତି କରି ପାରିଲେ ନାହିଁ ଫଳରେ ଘର ଭାଙ୍ଗି ରୁଜି ଗଲାଣି । ଏବେ ବର୍ଷେ ହେବ ସମ୍ପକୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି । ସରକାରଙ୍କ ଆବାସ ଯୋଜନା ତଥା ଭିନ୍ନକ୍ଷମ କୋଟାରୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ପ୍ରଶାସନକୁ ବହୁବାର ଜଣେଇଥିଲେ ବି ଏପର୍ଯ୍ୟନ୍ତ ପ୍ରଶାସନ ତାଙ୍କ କଥା ପ୍ରଶାସନ ଶୁଣିନାହିଁ । ଭିନ୍ନକ୍ଷମ ଭତ୍ତା ବାବଦକୁ ୧୦୦୦ ଟଙ୍କା ଓ ୫ କେଜି ରାସନ ଚାଉଳକୁ ଛାଡିଦେଲେ ଆଉ କୌଣସି ସରକାରୀ ସହାୟତା ପାଇନଥିବା କହିଛନ୍ତି ୫୫% ଭିନ୍ନକ୍ଷମ ହିରୋ ସୁନା । ଭିନ୍ନକ୍ଷମ ହିରୋ ସୁନାକୁ ଆବାସ ଘର ସାତ ସପନ । ମାଟି, ଛପର ଘର ଭାଙ୍ଗି ଯିବାରୁ ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି । ଅନିୟମିତତା ଘେରରେ କୁଟାସିଂହା ଗ୍ରାମ ପଞ୍ଚାୟତ । ଗୋଟିଏ, ଗୋଟିଏ ପରିବାରରେ ଏକାଧିକ ଘର, ପୁଣି ଷ୍ଟଲ୍‌ ନିର୍ମାଣ କରିଛନ୍ତି । ବହୁ ଅଯୋଗ୍ୟ ହିତାଧିକାରୀ ଏଥିରେ ସାମିଲ ହୋଇ ଆବାସ ଘର ହାତେଇ ନିଜର ପ୍ରଭାବ ଜାହିର କରିଥିବା ବେଳେ ଅସହାୟ ହିରୋ ସୁନାଙ୍କୁ ମିଳିନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳ ମାଳ ଯୋଜନା କିନ୍ତୁ ଉପଯୁକ୍ତ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଥିବା ଉଦାହରଣ, ଯେପରିକି ଭାତ ହାଣ୍ଡିରେ ଗୋଟିଏ ଭାତ ଚିପିଲେ ଯାହା, ସେଭଳି ଅବସ୍ଥା କୁଟାସିଂହା ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ, କୁଟାସିଂହା କଣ୍ଟାପାଲି ପଡ଼ା ଗ୍ରାମର ଭୂମିହୀନ, ସୁରଜ ବାଗଙ୍କୁ ମଧ୍ୟ ଘର ମିଳିପାରି ନାହିଁ । ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Leave A Reply

Your email address will not be published.