
- ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ଗଛ କାଟି ସଫା କରିବା ପରେ ଯାତାୟାତ ସ୍ଵାଭାବିକ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ଅଞ୍ଚଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବୋହିଥିଲା । ପବନ ଦ୍ଵାରା ଏହି ପଞ୍ଚାୟତ ଜଏଁତରା ଗ୍ରାମର ଛକରେ ଥିବା ଏକ ବିରାଟ ବରଗଛ ହଠାତ୍ ଭାଙ୍ଗି ଯାଇଥିଲା । ଫଳରେ ଗଛ ତଳେ ରଖାଯାଇଥିବା ଗ୍ରାମର ଜଗନ୍ନାଥ ବାଗଙ୍କ ଏକ ଟ୍ରାକ୍ଟର ଓ ଟ୍ରଲି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇ ଭାଙ୍ଗି ଯାଇଥିଲା । ସେହିପରି ଛକ ପାର୍ଶ୍ଵରେ ଥିବା ହରି ମାଝୀ ଓ ଚଞ୍ଚଳ ଖର୍ସେଲ ନାମକ ଦୁଇ ଜଣଙ୍କ ଘର ମଧ୍ୟ ଭାଙ୍ଗି ଯାଇ କ୍ଷତିଗ୍ରସ୍ତ ହୋଇଥିଲା । ମୁଖ୍ୟ ରାସ୍ତା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ମୁରିବାହାଲ ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଗଛ କାଟି ସଫା କରିବା ପରେ ରାସ୍ତାରେ ଯାତାୟାତ ସ୍ଵାଭାବିକ ହୋଇଥିଲା ।