
ବଲାଙ୍ଗିର, (କେପିଏନ୍ଏସ୍) : ଦୀର୍ଘ ୧୪ ଦିନ ହେଲା ଗାଁରେ ବିଜୁଳି ନାହିଁ, ରାସ୍ତା ଅବରୋଧ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଏପରିକି ଦାବୀ ପୂରଣ ନହେଲେ ରାସ୍ତାରୋକ ହଟିବି ନାହିଁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି ଗ୍ରାମବାସୀ । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ନିକଟସ୍ଥ ବାଦିଘୋର ଗାଁରେ ଦୀର୍ଘ ୧୪ ଦିନ ହେଲା ବିଜୁଳି ନଥିବା ବେଳେ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରି କରି ଗ୍ରାମବାସୀମାନେ ଥକି ସାରିଲେଣି । ଟ୍ରାନ୍ସଫର୍ମର୍ ଲଗାଇବା ଦିଗରେ ବିଭାଗୀୟ ଅଧିକାରୀମାନେ ନାହିଁ ନଥିବା ଅବହେଳା କରୁଛନ୍ତି । ଆଜି ବାଧ୍ୟ ହୋଇ ବାଦିଘୋର ଗାଁରେ ବିଜୁଳି ସଂଯୋଗ ଦାବୀ କରି ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି । ଏହି ଆନ୍ଦୋଳନରେ ବଲାଙ୍ଗିର ସଦର ବ୍ଲକ ୨୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଅନାମିକା ହୋତାଙ୍କ ସହ ଗ୍ରାମବାସୀମାନେ ସାମିଲ୍ ରହିଛନ୍ତି । ଅନ୍ୟପକ୍ଷରେ ରାସ୍ତାରୋକ ଆନ୍ଦୋଳନ ଯୋଗୁଁ ଯାନବାହାନ ଚଳାଚଳ ତଥା ସାଧାରଣ ଲୋକଙ୍କ ଯିବା ଆସିବାରେ ବାଧା ସୃଷ୍ଟି ହୋଇଥିବା ଜଣାପଡ଼ିଛି ।