jayashree

ବନ୍ଦ ସ୍କୁଲ ଘରେ ଚାଲିଥିଲା ମଦ ପ୍ରସ୍ତୁତି : ଅବକାରୀ ବିଭାଗର ଚଢାଉରେ ହେଲା ପର୍ଦ୍ଦାଫାସ

ସୁନ୍ଦରଗଡ : ସ୍କୁଲ ଘରୁ ମିଳିଲା ଦେଶୀ ମଦ, ମହୁଲପୋଚ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ବନ୍ଧବାହାଲ ଗାଁ ସ୍କୁଲରୁ ଏପରି ଜିନିଷ ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ଅବକାରୀ ବିଭାଗ ଏହି ଘଟଣାରେ କାହାକୁ ଗିରଫ କରିନାହିଁ । ଖବର ଅନୁଯାୟୀ ବନ୍ଧବାହାଲ ଗାଁରେ ଛାତ୍ରଛାତ୍ରୀ ନହେବାରୁ ସରକାରୀ ନିୟମ ଅନୁସାରେ ପ୍ରାୟ ୩ ବର୍ଷ ହେବ ବନ୍ଦ ହୋଇ ପଡ଼ିରହିଛି ଏହି ସରକାରୀ ସ୍କୁଲ୍ । ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ବନ୍ଦ ଥିବା ସ୍କୁଲରେ ପହଞ୍ଚିଥିଲା । ଆଉ ଚଢାଉରେ ସ୍କୁଲର ଶୌଚାଳୟ ଭିତରୁ ବହୁ ମାତ୍ରାରେ ମହୁଲ ପୋଚ ସାଙ୍ଗକୁ ଦେଶୀ ମଦ ଭର୍ତ୍ତି ଜାର ଏବଂ ମଦତିଆରି ପାଇଁ ବ୍ୟବହାର ହେଉଥିବା ଉପକରଣ ଗୁଡିକୁ ଜବତ କରିଛି । ସ୍କୁଲ୍ ଗୃହ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିଲା । ଏହାସହିତ ବିଦ୍ୟାଳୟର ଚାବି ପଞ୍ଚାୟତ କାର୍ଯ୍ୟାଳୟରେ ରହିଛି । ତେବେ କିଏ କେବେଠାରୁ ଏହି ବନ୍ଦ ବିଦ୍ୟାଳୟକୁ ମଦ ତିଆରି ସ୍ଥାନରେ ପରିଣତ କରିଛି ତାହା ଜଣାପଡିନାହିଁ । ସେପଟେ ଅବକାରୀ ବିଭାଗ ପକ୍ଷରୁ ସମସ୍ତ ମଦ, ସାମଗ୍ରୀକୁ ଜବତ କରାଯାଇ ଘଟଣାର ତଦନ୍ତ କରାଯାଉଛି । ବନ୍ଦ ସରକାରୀ ସ୍କୁଲ୍ ଗୃହକୁ ନିଜ ସ୍ୱାର୍ଥ ସାଧନ ପାଇଁ ବ୍ୟବହାର କରାଯାଉଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏକ ବନ୍ଦ ଥିବା ବିଦ୍ୟାଳୟରେ ଏଭଳି ମଦ କାରବାର ପାଇଁ ବ୍ୟବହାର କରାଯିବା ଘଟଣାକୁ ସ୍ଥାନୀୟ ସରପଞ୍ଚ ନିନ୍ଦା କରିଛନ୍ତି । ଏହାସହିତ ଯିଏ ଏହି କାର୍ଯ୍ୟରେ ଲିପ୍ତ ଥିବେ ତାକୁ ଅବକାରୀ ବିଭାଗ ତୁରନ୍ତ ଗିରଫ କରିବାର ଅ।ବଶ୍ୟକତା ଥିବା କହିଛନ୍ତି ସରପଞ୍ଚ ।

Leave A Reply

Your email address will not be published.