ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ଜନାଦୃତ କିମ୍ବଦନ୍ତୀ ଅନୁଯାୟୀ ୬ କୋର ବନ୍ଧ (ପୋଖରୀ) ୯ କୋର ତୋଟା ରହିଥିବା ବେଳେ କେତେକ ପୁରୁଣା ପୋଖରୀର ରକ୍ଷଣାବେକ୍ଷଣ ଶୁନ୍ ଥିବା ହେତୁ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପଡି ରହିଥିବା ଦେଖିବାକୁ ମିଳିଛି । ପାଟଣାଗଡ଼ ଜନାଦୃତ କିମ୍ବଦନ୍ତୀ ଅନୁଯାୟୀ ନଅ କୋର ବନ୍ଧ ମଧ୍ୟରୁ ପାଟଣାଗଡ଼ ସ୍ଥିତ ୧୧ ନମ୍ବର ୱାର୍ଡ ଟିକପାଲି ଠାରେ ରହିଛି ହୀରାସାଗର (ପୋଖରୀ)। ପୂର୍ବରୁ ଆର୍ଦଶ ପୋଖରୀ ଭାବେ ଏହା ଜଣାଶୁଣା ଥିଲା । ପାଟଣାଗଡ଼ ସହରର ରାମଜୀ ଛକରୁ ମେହେରପଡାର ମହିଳା ପୁରୁଷ ପ୍ରତ୍ୟହ ଗୋଧୋଇବା ପାଇଁ ହୀରାସାଗର ପୋଖରୀ ଉପରେ ନିର୍ଭର କରିଥାନ୍ତି । ହେଲେ ପରିତାପର ବିଷୟ ଯେ, ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ ଆଦର୍ଶ ପୋଖରୀ ହୀରାସାଗର ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇପଡିଛି । ପୋଖରୀ ଭିତରେ ବୁରୋ ଝାଞି, ଜଗଲ, କଇଁଫୁଲ, ଗଛର ପତ୍ରଡାଳ, ଘାସ ଆଦିରେ ପରିପୂର୍ଣ୍ଣ ହୋଇପଡ଼ିଛି । ଆଖପାଖ ଜନବସତିରେ ବସବାସ କରୁଥିବା ଲୋକେ ଏହି ପୋଖରୀ ପାଣି ବ୍ୟବହାର କରି ବିଭିନ୍ନ ଚର୍ମ ରୋଗରେ ଶିକାର ହେଉଛନ୍ତି । ସୁଚନା ଯୋଗ୍ୟ ଯେ, ୨୦୧୭ /୧୮ ମସିହାରେ ପାଟଣାଗଡ଼ ସହରରେ ମାରାତ୍ମକ ଜଣ୍ଡିସ ରୋଗରେ ବହୁ ଲୋକେ ଆକ୍ରାନ୍ତ ହୋଇଥିଲେ । ଯଦି କର୍ତ୍ତୃପକ୍ଷ ଏହା ଉପରେ ଦୃଷ୍ଟି ନ ଦେଲେ ସହରରେ ପୁଣି ମାରାତ୍ମକ ଜଣ୍ଡିସ ରୋଗ ବ୍ୟାପିବା ଆଶଙ୍କା ଦେଖାଦେଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ୨୫ ଏକର ପରିମିତ ବିଶିଷ୍ଟ ହୀରାସାଗର ପୋଖରୀ ନିଳାମରୁ ବିଜ୍ଞାପିତ ପରିଷଦ କେତେ ଟଙ୍କା ପାଉଛି, ଯଦିଓ ବିଜ୍ଞାପିତ ପରିଷଦ ଟଙ୍କା ନେଉଛି ତେବେ ପୋଖରୀ ରକ୍ଷଣାବେକ୍ଷଣ କାହାର ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏଥିପ୍ରତି ବିଜ୍ଞାପିତ ପରିଷଦ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବୀ ହେଉଛି ।