ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଡାକ୍ତରଙ୍କ ଅବହେଳା ଅଭିଯୋଗ, ଯୁବକ ମୃତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୋମବାର ରାତିରେ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ବଲାଙ୍ଗିର ସହର ଡୁଙ୍ଗୁରିପଡ଼ାର ନିକୁ ବାରିକ(୩୦)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣହାନୀ ଘଟିଥିବା ବେଳେ ଡାକ୍ତରଙ୍କ ଅବହେଳା ମୁଖ୍ୟ କାରଣ ବୋଲି ପରିବାରବର୍ଗ ଅଭିଯୋଗ ଆଣିଛନ୍ତି । ସୂଚନାରୁ ପ୍ରକାଶ ଯେ, ନିକୁ ବାରିକଙ୍କୁ ଗତକାଲି ସଂଧ୍ୟା ୭ଟା ସମୟରେ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ ମେଡିସିନ୍‌ ବିଭାଗରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ଉପସ୍ଥିତ ଡାକ୍ତର ନିକୁଙ୍କ ଚିକିତ୍ସା କରିବା ପରବର୍ତ୍ତୀ ଡାକ୍ତର ଆସି ଅଧିକ ଚିକିତ୍ସା କରିବେ ବୋଲି କହି ଡ୍ୟୁଟି ସାରି ଚାଲି ଯାଇଥିଲେ । କିନ୍ତୁ ଦୀର୍ଘ ୩ ଘଂଟା କାଳ ଡାକ୍ତର ଆସି ନଥିବା ବେଳେ ନିକୁଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇ ଶେଷରେ ପ୍ରାଣହାନୀ ଘଟିଥିଲା । ରାତି ୧୧ଟା ସମୟରେ ଡାକ୍ତର ଆର୍‌.ଏନ୍‌.ଦଳପତି ନିଶାରେ ଚୁର୍‌ ହୋଇ ମେଡ଼ିସିନ୍‌ ବିଭାଗକୁ ପହଂଚି ନିକୁଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତର ଏତେ ସମୟ କୁଆଡେ଼ ଯାଇଥିଲେ ବୋଲି ପରିବାରବର୍ଗ ପ୍ରଶ୍ନ କରିବାରୁ ଡାକ୍ତର ଓଲଟା ପରିବାରବର୍ଗଙ୍କୁ ଧମକ୍‌ ଚମକ୍‌ କରିଥିଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ ବାକ୍‌ ବିତଣ୍ଡା, ଠେଲାପେଲା ହୋଇଥିଲା । କେବଳ ଡାକ୍ତରଙ୍କ ଅବହେଳା ଯୋଗୁଁ ଯୁବକ ଅବସ୍ଥାରେ ନିକୁଙ୍କ ପ୍ରାଣହାନୀ ହୋଇଛି ବୋଲି ମୃତ ନିକୁଙ୍କ ଭେଣେଇ ଖ୍ରୀଷ୍ଟଦତ୍ତ ନାଗ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.