ଦିଲ୍ଲୀ ଅର୍ଡିନାନ୍ସକୁ ଆଇନ ବିଲ୍ ଏକ ଅଗଣତାନ୍ତ୍ରିକ ପଦ୍ଧତି : ଆପ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ମୋଦୀ ସରକାର ଆଣିଛନ୍ତି ଏକ ନୂତନ ଆଇନ । ଯାହା ଦିଲ୍ଲୀ ଅର୍ଡିନାନ୍ସକୁ ଆଇନରେ ପରିଣତ କରିବା ପାଇଁ ଏକ ବିଲ ଆଣୁଛନ୍ତି ବୋଲି କୁହାଯାଏ । ଏହି ବିଲ ସମ୍ପୂର୍ଣ୍ଣ ଭାବରେ ଅଗଣତାନ୍ତ୍ରିକ, ଅସମ୍ବିଧାନିକ ଏବଂ ଦିଲ୍ଲୀବାସୀଙ୍କର ସ୍ବାର୍ଥ ବିରୋଧୀ ଅଟେ ବୋଲି ଆମ୍ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି ।

ବ୍ରହ୍ମପୁରଠାରେ ଏ ସଂକ୍ରାନ୍ତୀୟ ଏକ ପ୍ରେସମିଟ୍ ଡକାଯାଇ ଆଞ୍ଚଳିକ ଆପ୍ ଦଳୀୟ କାର୍ଯ୍ୟକାରିଣୀ ନେତା ଜିଲ୍ଲା ସଭାପତି ସୁବାଷ ରାଉତ, ଜିଲ୍ଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ଉପ ସଭାପତି ସୁଧୀର ପ୍ରଧାନ, ଆଇନ ପରାମର୍ଶଦାତା କୈଳାଶ ସେଠୀ, ମହାନଗର ସଭାପତି ସି. ହରପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ । ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ ଦିଲ୍ଲୀର ଶାସନ ପାଇଁ ନିର୍ବାଚିତ ସରକାରଙ୍କୁ ଉତ୍ତରଦାୟୀ କରିବା ସହିତ ପ୍ରଶାସନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ନେବାର ଅଧିକାର ଦିଲ୍ଲୀ ସରକାରଙ୍କର ରହିଛି ବୋଲି ନିର୍ଣ୍ଣୟ କରିବା ପରେ ତରବରିଆ ଭାବରେ ଅଧ୍ୟାଦେଶ ଆଣି ବିଜେପି ସରକାର ସମସ୍ତ ଅଧିକାର ଦିଲ୍ଲୀର ଏଲ.ଜିଙ୍କ ହାତକୁ ଟେକି ଦେଇଛି । ଅର୍ଥାତ ନିର୍ବାଚିତ ସରକାର ବଦଳରେ ବର୍ତ୍ତମାନ ଶାସନ କ୍ଷମତା କେନ୍ଦ୍ର ସରକାର ଏବଂ ଏହା ଦ୍ବାରା ନିଯୁକ୍ତ ଏଲ.ଜିଙ୍କ ହାତରେ ରହିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ବର୍ତ୍ତମାନ ଏହି ଅର୍ଡିନାନ୍ସ ସୁପ୍ରିମକୋର୍ଟରେ ବିଚାରଧୀନ ଥିବା ସମୟରେ ଅନ୍ୟାୟପୂର୍ଣ୍ଣ ଭାବରେ ମୋଦୀ ସରକାର ପାର୍ଲିଆମେଣ୍ଟରେ ଏ ସମ୍ପର୍କିତ ବିଲ ଆଣିବା ସମ୍ବିଧାନ ଏବଂ ଏହାର ମୂଲ୍ୟବୋଧର ବିରୁଦ୍ଧାଚରଣ କରୁଛି ବୋଲି ଆପ୍‌ ପକ୍ଷରୁ କୁହାଯାଇଛି । ଅନେକ ରାଜନୈତିକ ଦଳ ଏହି ବିଲର ବିରୋଧ କରୁଥିବା ବେଳେ ଓଡ଼ିଶାର ଶାସକ ଦଳ ବିଜୁ ଜନତା ଦଳ ଏହାକୁ ସମର୍ଥନ କରିବ ବୋଲି ନିଷ୍ପତ୍ତି ନେଇଛି ବୋଲି କୁହାଯାଉଛି ।

ପ୍ରକାଶ ଥାଉକି, ମଣିପୁରରେ ଯେଉଁ ପରି ଭାବରେ ମହିଳାଙ୍କ ପ୍ରତି ହିଂସା ହେଲା ଏବଂ ଏଥିଯୋଗୁଁ ସାରା ରାଜ୍ୟରେ ଯେଉଁ ଭଳି ଭାବେ ୧୫୦ରୁ ଅଧିକ ଲୋକ ମୃତ୍ୟୁବରଣ କଲେ ତଥା ୫୦,୦୦୦ରୁ ଅଧିକ ଲୋକ ବିସ୍ଥାପିତ ହୋଇ ବିଭିନ୍ନ ରିଲିଫ କ୍ୟାମ୍ପରେ ରହିବା ପାଇଁ ବାଧ୍ୟ ହେଲେ ତାହା ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି ।

ଆପ କହିଛି ଯେ, ବିଜୁ ଜନତା ଦଳର ମଣିପୁର ହିଂସା ଘଟଣାରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ମଧ୍ୟ ବିଜେପିକୁ ସମର୍ଥନ କରିଛି ବୋଲି କୁହାଯାଇଛି । ଯାହାକି ଅମାନବିକ ମହିଳା ବିରୋଧୀ, ଆଦିବାସୀ ବିରୋଧୀ ଏବଂ ଜଣେ ସୈନିକର ସ୍ତ୍ରୀ ପ୍ରତି ହୋଇଥିବା ଅମାନବୀୟ ଘଟଣା ଅଟେ । ଏହାକୁ ସ୍ୱାଧୀନ ଭାରତର ସମସ୍ତ ଜନତାଙ୍କ ହୃଦୟକୁ ବିଦାରିତ କରିଛି ବୋଲି ଆପ କ୍ଷୋଭର ସହ କହିଛି । ଏହା ପ୍ରତ୍ୟେକ ଓଡ଼ିଆଙ୍କୁ ବ୍ୟଥିତ କରିଛି । ଏଥିରୁ ଏହା ସ୍ପଷ୍ଟ କରେ ଯେ, ବିଜୁ ଜନତା ଦଳ ମୋଦୀଙ୍କୁ ସମର୍ଥନ କରୁଛି ବୋଲି ଆମ୍ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି ।

ଯଦିଓ ବିଜେପିର ଅଘୋଷିତ ମେଣ୍ଟ ବିଜେଡି ସହିତ ରହି ଆସିଛି ଏବଂ ସବୁ ସମୟରେ ବିଜେଡି ବିଜେପିକୁ ସମର୍ଥନ ଦେଇଆସିଛି, ମାତ୍ର ଏପରି ସମ୍ବିଧାନ ଏବଂ ସଂଘୀୟ ବ୍ୟବସ୍ଥା ବିରୋଧୀ ଆଇନକୁ ସମର୍ଥନ କରିବା ଆମକୁ ଆଶ୍ଚର୍ଯ୍ୟ କରିଛି ବୋଲି ଆପ ଗଣମାଧ୍ୟମ ଆଗରେ କହିଛନ୍ତି । ଆପ ପକ୍ଷରୁ ଆହୁରି କୁହାଯାଇଛି ଯେ, ଓଡ଼ିଶାରେ ବିଜେଡି ଜଣେ ଅମଲା ଦ୍ୱାରା ପରିଚାଳିତ ହେବା ଏବଂ ଦିଲ୍ଲୀରେ ନିର୍ବାଚିତ ସରକାରଠାରୁ କ୍ଷମତା କାଢି ଏଲ.ଜି ଏବଂ ଅମଲାତନ୍ତ୍ରକୁ ଶାସନ ଦେଇ ଦେବା ଏକ ସମାନ ପ୍ରକ୍ରିୟା ଅଟେ । ଯେହେତୁ ଓଡ଼ିଶାରେ ନିର୍ବାଚିତ ବିଜେଡି ପ୍ରତିନିଧିମାନେ ନିଜର ସମସ୍ତ କ୍ଷମତା ଜଣେ ଅମଲା ହାତରେ ଦେଇ ସାରିଥିବା ଭଳି ହୋଇଛି । ତେଣୁ ଏହି ଦିଲ୍ଲୀ ବିଲକୁ ବିଜେଡ଼ି ସମର୍ଥନ କରୁଛି ବୋଲି ଆପ କଟୁକ୍ତି କରି କହିଛି । ବର୍ତ୍ତମାନ ବିଜୁ ଜନତା ଦଳ ବିଜେପି ସହିତ ନିଜର ମେଣ୍ଟ ଭଳି ସଂଗଠନ ପ୍ରଦର୍ଶନ କରିଆସୁଛି, ତାହାକୁ ସାର୍ବଜନୀନ କରିବା ପାଇଁ ଆମ୍ ଆଦମୀ ପାର୍ଟି ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଏହାର ଦୃଢ଼ ଦାବୀ କରିଛନ୍ତି ।

Leave A Reply

Your email address will not be published.