ବରଗଡ଼ ପୁରୁଣା ହସ୍ପିଟାଲର ୩୩/୦.୪ କେଭି ଗ୍ରୀଡ଼ ସବ୍‌ଷ୍ଟେସନ କାର୍ଯ୍ୟକ୍ଷମ କରାଯାଉ : ଆମ୍ ଆଦମୀ ପାର୍ଟି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ଯୋଗେଇ ଦେବା ପାଇଁ ସରକାର ୩୩/୦.୪ କେଭି ଗ୍ରୀଡ଼ ସବ୍ ଷ୍ଟେସନ ସ୍ଥାପନ କରିଥିଲେ । କିନ୍ତୁ ତାହା କାର୍ଯ୍ୟକ୍ଷମ ନହୋଇ ମୃତ ହୋଇ ପଡିରହିଛି । ଏହାକୁ କାର୍ଯ୍ୟକ୍ଷମ କରିବାକୁ ଏସ୍ .ଇ ଏଲେକ୍ଟ୍ରିକାଲ ବରଗଡ଼ ସୁରେନ୍ଦ୍ର ହୋତାଙ୍କୁ ଆପ୍ ତରଫରୁ ଏକ ସ୍ମାରକପତ୍ର ଦିଆଯାଇଛି । ସୂଚନା ଅନୁସାରେ ୭/୧୨/୨୦୧୩ ମସିହାରେ ଏହି ଗ୍ରୀଡ଼କୁ ତତ୍କାଳୀନ ରାଜସ୍ୱ କମିଶନର ପ୍ରମୋଦ କୁମାର ମେହେର୍ଦ୍ଦା ଉଦ୍‌ଘାଟନ କରିଥିଲେ ଯାହାକି ୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ଏଥିରେ ଦୁଇଟି ୫୦୦ କେଭିର ଟ୍ରାନ୍ସଫରମର ଲାଗିଥିବା ବେଳେ ସିଧାସଳଖ ପଧାନପାଲି ଗ୍ରୀଡ଼ ସହ ଏହାକୁ ସଂଯୋଗ କରିବାକୁ ଯୋଜନା କରାଯାଇଥିଲା କିନ୍ତୁ ଦୀର୍ଘ ୮ ବର୍ଷ ବିତିଯାଇଥିଲେ ବି ଏହି ଗ୍ରୀଡ଼ଟି ସମ୍ପୂର୍ଣ୍ଣ ଖତ ଖାଉଛି । ଅନ୍ୟପଟେ ପୁରୁଣା ୧୦୦ କେଭି ଟ୍ରାନ୍ସଫର୍ମରରେ ହସ୍ପିଟାଲ ଚାଲୁଛି ଯାହାକି ରୋଗୀ ଏବଂ ବରଗଡ଼ବାସୀଙ୍କ ପାଇଁ ଉପହାସ ପାଲଟିଛି । ଅନେକ ସମୟରେ ଡାକ୍ତରଖାନାରେ ବିଜୁଳି ରହୁନଥିବାରୁ ଟର୍ଚ୍ଚ ଲାଇଟ ମାଧ୍ୟମରେ ରୋଗୀଙ୍କୁ ଡାକ୍ତର ଚିକିତ୍ସା କରୁଥିବା ଖବର ଆସୁଛି କିନ୍ତୁ ଅନ୍ୟପଟେ ୨ କୋଟି ଟଙ୍କାର ଗ୍ରୀଡ଼ ସବ୍ ଷ୍ଟେସନ ୮ ବର୍ଷ ହେଲା ଖତ ଖାଉଛି କାହାର ନଜର ନାହିଁ ଯାହାକି ଦୁଃଖର ବିଷୟ ଅଟେ ବୋଲି ମତ ପ୍ରକାଶ ପେଉଛି । ଏହି ଗ୍ରୀଡ଼କୁ ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ନକଲେ ଆନ୍ଦୋଳନ କରିବାକୁ ଆମ୍ ଆଦମୀ ପାର୍ଟି ଚେତାବନୀ ଦେଇଛି । ଜିଲ୍ଲା ଆବାହକ ଭବାନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମହିଳା ନେତ୍ରୀ ମରିୟମ ବାର୍ଳା, ସ୍ୱରୂପ ଭୋଇ, ସଚେତନ ନାଗରିକ ମଂଚର ସିବାନନ୍ଦ ମଟାରି ଉପସ୍ଥିତ ଥିଲେ ।

Leave A Reply

Your email address will not be published.