ls

କଂଟାବାଂଜି କେ.ଭି.କଲେଜ ପଡିଆରେ ଫାଇଭ୍‌-ଟି ତଥା ଆମ ଓଡିଶା ନବୀନ ଓଡିଶାଙ୍କ କାର୍ଯ୍ୟକ୍ରମ

sb
  • ଅଂଚଳର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ : ଶ୍ରୀ ପାଣ୍ଡିଆନ
  • ଜିଲ୍ଲାର ବିକାଶରେ ବିରୋଧୀ ବାଧା ସୃଷ୍ଟି କରୁଛନ୍ତି : ଶ୍ରୀ ପାଣ୍ଡିଆନ
  • କଂଟାବାଂଜି ନିର୍ବାଚନ ମଣ୍ଡଳୀ ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନା ଗମନ, ଜଳସେଚନର ବିକାଶ ପାଇଁ ୬୦ କୋଟିର ଅନୁଦାନ
  • ମହିଳାମାନଙ୍କ ପ୍ରତି ସରକାର ମିଶନ ଶକ୍ତି, ଲକ୍ଷ୍ମୀ ବସ ଓ ବ୍ୟାଙ୍କ ସୁବିଧା
  • ରାସନ କାର୍ଡ ହିତାଧିକାରୀ ନ ଥିବା ଲୋକେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ସାମିଲ ହେବେ : ଶ୍ରୀ ପାଣ୍ଡିଆନ
  • ବାର୍ଦ୍ଧକ୍ୟ, ବିକଳାଙ୍ଗ ଓ କଳାକାର ଭତ୍ତା ବୃଦ୍ଧି ହେବ : ଶ୍ରୀ ପାଣ୍ଡିଆନ
  • ଆଗାମୀ ୧୦ ଦିନ ମଧ୍ୟରେ ମନ୍ଦିର, ମସଜିଦ, ଗୀର୍ଜା, କମ୍ୟୁନିଟି ସେଂଟର ପାଇଁ ଅନୁଦାନ ପ୍ରଦାନ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି କେ.ଭି.କଲେଜ ପଡିଆରେ ବିଧାନ ସଭାସ୍ତରୀୟ ନିର୍ବାଚନ ମଣ୍ଡଳୀର ଜନ ଶୁଣାଣି ସଭା ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ୫ଟି ତଥା ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ହେଲିକେପ୍ଟର ଯୋଗେ ଓହ୍ଲାଇଥିଲେ । ସଭାସ୍ଥଳରେ ଶ୍ରୀ ପାଣ୍ଡିଆନ ଜୟ ଜଗନ୍ନାଥ, ଜୟ ମା’ ସମଲେଶ୍ୱରୀ, ଜୟ ମା’ ପାଟଣେଶ୍ୱରୀ ବୋଲି ସମ୍ବୋଧନ କରି ନିଜର ବକ୍ତବ୍ୟ ରଖିଥିଲେ । ବଲାଙ୍ଗିର ଜିଲ୍ଲା ତଥା କଂଟାବାଂଜି ନିର୍ବାଚନ ମଣ୍ଡଳୀର ବହୁମୁଖି ସର୍ବାଙ୍ଗୀନ ଉନ୍ନତି ପାଇଁ ୬୦ କୋଟି ଟଙ୍କା ଅନୁଦାନ ଦେଇଥିବା କହିଛନ୍ତି । ଏହି ଅନୁଦାନ ଟଙ୍କାରେ ରାଣୀପୁର ଝରିଆଲ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ ପାଇଁ ଟଙ୍କା ମଂଜୁର କରିଥିବା କହିଥିଲେ । ଆମ ଓଡିଶା ନବୀନ ଓଡିଶା ଏବଂ ୫ଟି ଯୋଜନାରେ ଅଂଚଳର ପ୍ରତ୍ୟେକ ସ୍କୁଲ କଲେଜର ଉନ୍ନତିକରଣ କରାଯାଇଥିବା କହିଥିଲେ । ଏପରିକି ବଲାଙ୍ଗିର ଜିଲ୍ଲାର ବିକାଶରେ ବିରୋଧୀ ଦଳର ବିଧାୟକ କଂଟା ସାଜୁଥିବା କହିଥିଲେ । ମହିଳାମାନଙ୍କର ବିକାଶ ପାଇଁ ମିଶନ ଶକ୍ତି, ଲକ୍ଷ୍ମୀ ବସ ଏବଂ ବ୍ୟାଙ୍କର ସୁବିଧା ଯୋଗାଯାଇଥିବା କହିଥିଲେ । ଆଗାମୀ ୧୦ ଦିନ ମଧ୍ୟରେ ପ୍ରତ୍ୟେକ ଆବେଦନ ମଧ୍ୟରୁ ମନ୍ଦିର, ମସଜିଦ, ଗୀର୍ଜା, ଚର୍ଚ୍ଚ ତଥା କମ୍ୟୁନିଟି ସେଂଟର ଗୁଡିକର ଅନୁଦାନ ଯଥା ଶୀଘ୍ର ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ ବୋଲି କହିଥିଲେ । କଂଟାବାଂଜି ଅଂଚଳର ବିକାଶରେ କୌଣସି ଅର୍ଥ ବାଧକ ରହିବ ନାହିଁ ବୋଲି କହିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ନିଜ ବକ୍ତବ୍ୟରେ କଂଟାବାଂଜି ଅଂଚଳର ବିକାଶ ସହିତ ଜିଲ୍ଲାର ବିକାଶ ଉପରେ ନିଜର ମତ ଦେଇ ଓଡିଶା ସରକାରଙ୍କ ବିଭିନ୍ନ ଜନ ମଙ୍ଗଳ ଯୋଜନା ଉପରେ କହି ଗତ ଲୋୟର ସୁକତେଲ ପ୍ରକଳ୍ପର ଉଦ୍‌ଘାଟନ ବେଳେ ବଲାଙ୍ଗିର ବିଧାୟକ ମହିଳାମାନଙ୍କୁ ଅସମ୍ମାନ କରିଥିବାରୁ ଏହାର ଦୃଢ ନିନ୍ଦା କରି ମହିଳାମାନଙ୍କ ସମ୍ମାନ ହାନୀ କରିଥିବା କହିଥିଲେ । ସେହିପରି ପୂର୍ବତନ ବିଧାୟକ ଅୟୁବ ଖାନ୍‌ ନବୀନ ସରକାରଙ୍କ ଯୋଜନା ଉପରେ ନିଜର ମତ ଦେଇ ତାଙ୍କ ବିଧାୟକ ଥିବା ବେଳେ ନିର୍ବାଚନ ମଣ୍ଡଳୀର ଉନ୍ନୟନ ପାଇଁ ଅନେକ ଯୋଜନା କରିଥିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଉପରେ ଗୁରୁତ୍ୱ ଦେଇଥିବା କହିଥିଲେ । ବରିଷ୍ଠ ନେତା ଅଜୟ ଦାଶ ମଧ୍ୟ ଅଂଚଳର ବିକାଶ ଉପରେ ଗୁରୁତ୍ୱ ଦେଇ ନବୀନ ସରକାରଙ୍କ ଜନ ମଙ୍ଗଳ ଯୋଜନାରେ ଜନସାଧାରଣଙ୍କୁ ଭାଗିଦାର କରୁଥିବା କହିଥିଲେ । ପାଟଣାଗଡ ବିଧାୟକ ସରୋଜ ମେହେର ମଧ୍ୟ ଅଂଚଳର ବିକାଶ କଥା କହି କଂଟାବାଂଜି ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ସରକାରୀ ଅନୁଦାନ ନିରନ୍ତର ମୁଖ୍ୟମନ୍ତ୍ରୀ ଯୋଗାଇଦେବେ ବୋଲି କହିଥିଲେ । ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ମଧ୍ୟ ଓଡିଶା ସରକାରଙ୍କ ଯୋଜନା ଉପରେ ନିଜର ମତ ଦେଇ ଆଦିବାସୀମାନଙ୍କ ହକ୍‌ ଅଧିକାର, ଜଂଗଲ ଜମି ଅଧିକାର ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଥିବା କହିଥିଲେ । ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ମଧ୍ୟ ବଲାଙ୍ଗିର ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିରୋଧୀ ମହିଳାମାନଙ୍କୁ ଅସମ୍ମାନ କରିଥିବାରୁ ତାର ନିନ୍ଦା କରିଥିଲେ ଏବଂ ମହିଳାମାନଙ୍କ ବିକାଶ କଥା କହିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଗିରିରାଜ ମାଝି, ବଲାଙ୍ଗିର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ନିରୁପମା ମାଝି, ବିଜେଡି ରାଜ୍ୟ ସଂପାଦକ ଉଦ୍ଧବ ବେହେରା, ଜିଲ୍ଲା ସଂପାଦକ ଫିରୋଜ ଖାନ, ଅମଜଦ ଖାନ, ଡବ୍ଲୁଓଡିସି ଏକ୍ସପର୍ଟ ମେମ୍ବର ହଂସରାଜ ଜୈନ, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଗୋପା ମହାନନ୍ଦଙ୍କ ସହ ସହସ୍ରାଧିକ ବିଜେଡି କର୍ମୀ ସାମିଲ ଥିଲେ । ଏହି ଜନ ଶୁଣାଣି ଶିବିରରେ ଜିଲ୍ଲାର ଅନେକ ବରିଷ୍ଠ ଅଧିକାରୀ, ପୋଲିସ ଅଧିକାରୀ ସହ କଂଟାବାଂଜି, ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ସମସ୍ତ ଅଧିକାରୀ ସାମିଲ ଥିଲେ । ଏହି ସଭାରେ ଜିଲ୍ଲା ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ଥିବା ବେଳେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା । କଂଟାବାଂଜି କେ.ଭି.କଲେଜରେ ଡିଗ୍ରୀ ଏବଂ ପି.ଜି ପରୀକ୍ଷା ଆରମ୍ଭ ହେବାର ନିର୍ଦ୍ଧାରିତ ସମୟର ଅଧ ଘଂଟା ପୂର୍ବରୁ ପାଣ୍ଡିୟାନଙ୍କ ହେଲିକେପ୍ଟର ଚାଲି ଯାଇଥିବାରୁ ଜଣସାଧାରଣରେ ପ୍ରଶଂସାର ବାତାବରଣ ଦେଖାଦେଇଥିଲା ।

pc pk
Leave A Reply

Your email address will not be published.