ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଜୁନିୟର ମହିଳା ମହାବିଦ୍ୟାଳୟ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁରର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ୱାନ ଦେବା ସତ୍ତେ୍ୱ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ମାନପତ୍ର ସହ ପୁରସ୍କାରରେ ସମ୍ମାନୀତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଅତିରିକୁ ଜିଲ୍ଲାପାଳ ଡ଼ଃ.ପ୍ରମୋଦ କୁମାର ପୃଷ୍ଟି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ବ୍ରହ୍ମପୁର)ର ଉପସଚିବ ଡ଼ଃ. କୁଳମଣି ଓଝା ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଅନେକ ଦିଗଦର୍ଶନ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସାମନ୍ତରାୟ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଅନୁଷ୍ଠାନର ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ନାୟକ ଅନୁଷ୍ଠାନର ଭିତ୍ତିଭୂମିକୁ ଅନୁଧ୍ୟାନ କରିଥିବା ସାଂଗକୁ ଏହି ମହାବିଦ୍ୟାଳୟର ବିବଧ ଉନ୍ନତି କରିବା ଦିଗରେ ଆର୍ଥିକ ଅନୁଦାନ ପ୍ରଦାନ କରିବେ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଶିକ୍ଷାର ମୌଳିକତାକୁ ନିଜ ଜୀବନରେ ସଠିକ ବ୍ୟବହାର କରିବା ପାଇଁ ଛାତ୍ରୀମାନଙ୍କୁ ଉପଦେଶ ଦେଇଥିବା ବେଳେ ସମ୍ମାନୀତ ଅତିଥି ଡ଼ଃ. ଓଝା ଛାତ୍ରୀମାନଙ୍କୁ ଶିକ୍ଷିତ ହେବା ସହିତ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ଅଧ୍ୟାପିକା ଶ୍ରୀମତୀ ପ୍ରମିତା ଚୌଧୁରୀ ସାଂସ୍କୃତିକ ପ୍ରତିଯୋଗିତା ଏବଂ କୃିତତ୍ଵ ଅର୍ଜନ କରିଥିବା ପ୍ରତିଯୋଗୀଙ୍କ ନାମ ଘୋଷଣା କରିଥିଲେ । ଅଧ୍ୟାପିକା ଜ୍ୟୋସ୍ନାରାଣୀ ବେହେରା କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କ ନାମ ଘୋଷଣା କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠିତ ସଦସ୍ୟ ଭାବେ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟନାରାୟଣ ସାମନ୍ତରାୟଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅଧ୍ୟାପିକା କୀରଣବାଳା ରଥଙ୍କ ପରିଚାଳନାରେ ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅତିଥିମାନେ କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ।