
ଭୁବନେଶ୍ୱର : ଯୁକ୍ତ୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍ଟପ୍ ବଦଳରେ ଦିଆଯିବ ୩୦ ହଜାର ଟଙ୍କା । କ୍ଷତେବେ ଏହି ଅର୍ଥ ସିଧାସଳଖ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଜରିଆରେ ବିଦ୍ୟାର୍ଥୀଙ୍କୁ ଦିଆଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥରାଶି ପ୍ରଦାନ କରାଯିବ । ୨୦୨୦-୨୧ ଶିକ୍ଷାବର୍ଷଠାରୁ ଏହି ନୂତନ ଯୋଜନା କାର୍ୟ୍ୟକ୍ଷମ ହେବ । ମେଧାବୀ ଛାତ୍ରଛାତ୍ରୀଙ୍କ ତାଲିକା ଓ ନୂଆ ନିୟମ ସମ୍ବନ୍ଧୀୟ ମାର୍ଗଦର୍ଶିକା ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍ ‘www.dhe.odisha.gov.in’ ରେ ଉପଲବ୍ଧ ରହିଛି । ଏହାକୁ ଆଧାର କରି ମେଧାବୀ ଛାତ୍ରଛାତ୍ରୀ ଉକ୍ତ ଯୋଜନାର ଲାଭ ନେଇପାରିବେ । ଆସନ୍ତା ୧୮ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏହି ଟଙ୍କା ଦ୍ୱାରା ଛାତ୍ରଛାତ୍ରୀ ନିଜ ମନ ମୁତାବକ ଲାପ୍ଟପ୍, ଡେସ୍କଟପ୍, ଟାବ୍ଲେଟ୍ ସହଜରେ କିଣିପାରିବେ । ଏହାଦ୍ୱାରା ସେମାନଙ୍କୁ ଆଉ ନୋଡାଲ୍ ସେଣ୍ଟର୍କୁ ଲାପ୍ଟପ୍ ସଂଗ୍ରହ କରିବାକୁ ଯିବାକୁ ପଡ଼ିବନି ।