ବୌଦ୍ଧ, (ବଂଶୀଧର ମାଝୀ) : ଅଗ୍ନିକାଣ୍ତ ଘଟି ୧୨ଟି ଛେଳି ଓ ଖାସିଙ୍କ ଜୀବନ୍ତ ଦଗ୍ଧ । ଏପରି ଏକ ଦୁଃଖଦାୟକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ । ଗତକାଲି ରାତ୍ର ୨ ଘଣ୍ଟା ସମୟରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଚାଷୀ କୁଶ ପ୍ରଧାନ ଓ ମୃତ୍ୟୁଜୟ ପ୍ରଧାନଙ୍କ ଗୁହାଳରେ ନିଆଁ ଲାଗିଯାଇଥିଲା । ଫଳରେ ୧୨ଟି ଛେଳି ଜୀବନ୍ତ ଦଗ୍ଧ ହେବା ସହିତ ଉଭୟ ଚାଷୀଙ୍କ ଲଙ୍ଗଳ, ଜିଁଆଲି, ଶଗଡ଼ ପ୍ରଭୁତି ଚାଷ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ବୌଦ୍ଧ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଖୁଣ୍ଟବନ୍ଧ ଜ.ଓ ସତ୍ୟ ନାରାୟଣ ପ୍ରଧାନ, ବାଉଁଶୁଣୀ ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରା, ନାରାୟଣ ନଗର ପ୍ରାଣୀଧନ ନିରୀକ୍ଷକ ସୂର୍ୟ୍ୟକାନ୍ତ ମେହେର ଓ ମୁଣ୍ଡାପଡ଼ା ପ୍ରାଣୀଧନ ନିରୀକ୍ଷକ ସ୍ଵଭାଗ୍ୟ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ତେବେ କ୍ଷୟକ୍ଷତିର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଅନ୍ୟପଟେ କୁଶ ପ୍ରଧାନ ଓ ମୃତୁଜୟ ପ୍ରଧାନ ଉଭୟ ଗରିବ ଚାଷୀ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।