ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମାମଲାରେ ବୃଦ୍ଧି ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ‘ଗ୍ରେଡେଡ଼ ରେସପନ୍ସ ଆକ୍ସନ୍ ପ୍ଲାନ୍’ ଅଧୀନରେ ଦିଲ୍ଲୀରେ ୟଲୋ ଆଲର୍ଟ ଜାରି କରାଯାଇଛି ଏବଂ ପ୍ରତିବନ୍ଧକ ମଧ୍ୟ ଲାଗୁ ହେବ । ସେ କହିଛନ୍ତି ଯେ, କୋଭିଡ -୧୯ ସଂକ୍ରମଣ କ୍ଷେତ୍ରରେ ବୃଦ୍ଧି ସତ୍ୱେ ଅମ୍ଳଜାନ କିମ୍ବା ଭେଣ୍ଟିଲେଟର ବ୍ୟବହାରରେ କୌଣସି ବୃଦ୍ଧି ଘଟିନାହିଁ । ଦିଲ୍ଲୀରେ କୋଭିଡ -୧୯ ମାମଲାର ବୃଦ୍ଧି ସହ ମୁକାବିଲା କରିବା ପାଇଁ ଆମେ ପୂର୍ବ ଅପେକ୍ଷା ୧୦ ଗୁଣ ଅଧିକ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଦିଲ୍ଲୀରେ କରୋନା ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ‘ଗ୍ରେଡେଡ଼ ରେସପନ୍ସ ଆକ୍ସନ୍ ପ୍ଲାନ୍’ ଅଧୀନରେ ୟଲୋ ଆଲର୍ଟ ଜାରି କରାଯାଇଛି । ଏହା ଅଧୀନରେ ବିଦ୍ୟାଳୟ, ସ୍ପା, ଜିମ୍, ଫିଟନେସ୍ ସେଣ୍ଟର ବନ୍ଦ ରହିବ, ମେଟ୍ରୋ ଏବଂ ବସ୍ ୫୦ ପ୍ରତିଶତ ଯାତ୍ରୀ କ୍ଷମତାରେ ସହିତ ଚାଲିବ । ଏଥି ସହିତ ମଲ୍ ଗୁଡିକରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରାଯାଇପାରେ । ଏ ବାବଦରେ ସରକାର ଏକ ବିସ୍ତୃତ ନିର୍ଦ୍ଦେଶ ଜାରି କରିବେ ।