କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ‘ୟାସ’ ଘୂର୍ଣ୍ଣିବାତ୍ୟା ଯୋଗୁଁ ରାଜ୍ୟରେ ଅତି କମରେ ୧ କୋଟି ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ରାଜ୍ୟରେ ତିନି ଲକ୍ଷ ଘର କ୍ଷତିଗ୍ରସ୍ତ ହୋଇଛି । ସେ କହିଛନ୍ତି ଯେ, ମାଛ ଧରିବାକୁ ଯାଇଥିବା ଜଣେ ବ୍ୟକ୍ତି ହଠାତ୍ ମୃତ୍ୟୁ ବରଣ କରିଛନ୍ତି । ବାନାର୍ଜୀ ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ ଝଡ଼ ଯୋଗୁଁ ସମୁଦ୍ରରେ ଉଚ୍ଚ ତରଙ୍ଗ ବୃଦ୍ଧି ପାଇଛି । ଏହି ବାତ୍ୟା ଦ୍ୱାରା ବେଙ୍ଗଲ ସର୍ବାଧିକ ପ୍ରଭାବିତ ହୋଇଛି ବୋଲି ସେ ଦାବୀ କରିଛନ୍ତି । ୧୫,୦୪,୫୦୬ ଲୋକଙ୍କୁ ସମ୍ବେଦନଶୀଳ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ମମତା ବାନାର୍ଜୀ କହିଛନ୍ତି ଯେ, ଶୀଘ୍ର ପୂର୍ବ ମେଦିନୀପୁର, ଦକ୍ଷିଣ ୨୪ ପରଗାନା ଏବଂ ଉତ୍ତର ୨୪ ପରଗାନା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ଉପରେ ଏକ ଏରିଏଲ୍ ସର୍ଭେ କରାଯିବ । କ୍ଷୟକ୍ଷତି ସମ୍ପର୍କରେ ସଠିକ୍ ସୂଚନା ପାଇବାକୁ ଅତି କମରେ ୭୨ ଘଣ୍ଟା ଲାଗିବ ବୋଲି ସେ କହିଛନ୍ତି ।
ଘୂର୍ଣ୍ଣିବଳୟ ‘ୟାସ୍’ ଯୋଗୁଁ ପଶ୍ଚିମବଙ୍ଗର ନଦୀରେ ଜଳ ସ୍ତର ପୂର୍ବ ମେଦିନୀପୁର ଏବଂ ଦକ୍ଷିଣ ୨୪ ପରଗାନାର ଉପକୂଳବର୍ତ୍ତୀ ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ବନ୍ୟା ଜଳର ଉତ୍ତାଳ ତରଂଗ ନଡିଆ ଗଛ ଶିଖରକୁ ଛୁଇଁଥିଲା ଓ ଅନେକ କାର୍ ବନ୍ୟାଜଳରେ ଭାସୁଥିବା ଦେଖିବାକୁ ମିଳିଛି । ଏହି ଘୂର୍ଣ୍ଣିବାତ୍ୟା ଯୋଗୁଁ ସମୁଦ୍ରରେ ଦୁଇ ମିଟରରୁ ଅଧିକ ଉଚ୍ଚ ତରଙ୍ଗ ଉଠିଥିଲା ଏବଂ ପୂର୍ବ ମେଦିନୀପୁରର ଦିଘା ଏବଂ ମନ୍ଦାରମଣି ଏବଂ ଦକ୍ଷିଣ ୨୪ ପରଗାନାର ଫ୍ରେସରଗଞ୍ଜ ଏବଂ ଗୋସାବା ଅଂଚଳ ପ୍ରଭାବିତ ହୋଇଥିଲା ।