ୟୁକ୍ରେନ୍‌କୁ ଭୀଷ୍ମ କ୍ୟୁବ୍ ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନ୍ ସରକାରଙ୍କୁ ଚାରିଟି ଭୀଷ୍ମ (ଭାରତ ହେଲଥ୍‌ ଇନିସିଏଟିଭ୍ ଫର୍ ସହଯୋଗ ହିତ ଏବଂ ମୈତ୍ରୀ) କ୍ୟୁବ୍ ପ୍ରଦାନ କରିଛନ୍ତି । ୟୁକ୍ରେନ୍‌ର ରାଷ୍ଟ୍ରପତି ମହାମହିମ ଭୋଲୋଦିମିର ଜେଲେନସ୍କି ମାନବିକ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆହତଙ୍କ ଶୀଘ୍ର ଚିକିତ୍ସା କରିବା ସହ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଏହା ସହାୟକ ହେବ । ପ୍ରତ୍ୟେକ ଭୀଷ୍ମ କ୍ୟୁବ୍‌ରେ ସମସ୍ତ ପ୍ରକାର ଆଘାତ ଏବଂ ଚିକିତ୍ସା ପରିସ୍ଥିତି ପାଇଁ ପ୍ରାଥମିକ ଯତ୍ନ, ଔଷଧ ଏବଂ ଉପକରଣ ଆଦି ରହିଛି । ଏଥିରେ ଏକ ସାଧାରଣ ଅପରେସନ୍ ରୁମ୍ ପାଇଁ ଅସ୍ତ୍ରୋପଚାର ଉପକରଣ ମଧ୍ୟ ଅନ୍ତର୍ଭୁକ୍ତ ଯାହା ଦୈନିକ ୧୦-୧୫ଟି ଛୋଟକାଟର ଅସ୍ତ୍ରୋପଚାର ପରିଚାଳନା କରିପାରିବ । ଆଘାତ, ରକ୍ତସ୍ରାବ, ପୋଡ଼ି, ହାଡ଼ ଭାଙ୍ଗିବା ଇତ୍ୟାଦି ଜରୁରୀକାଳୀନ ପରିସ୍ଥିତିରେ ବିଭିନ୍ନ ପ୍ରକୃତିର ପ୍ରାୟ ୨୦୦ ଟି ମାମଲାକୁ ସମ୍ଭାଳିବା ପାଇଁ କ୍ୟୁବ୍‌ର କ୍ଷମତା ରହିଛି । ଏହା ମଧ୍ୟ ସୀମିତ ପରିମାଣରେ ନିଜର ଶକ୍ତି ଏବଂ ଅମ୍ଳଜାନ ଉତ୍ପାଦନ କରିପାରିବ । କ୍ୟୁବ୍ ପରିଚାଳନା ପାଇଁ ୟୁକ୍ରେନ୍ ପକ୍ଷକୁ ପ୍ରାରମ୍ଭିକ ପ୍ରଶିକ୍ଷଣ ଦେବା ପାଇଁ ଭାରତର ଏକ ବିଶେଷଜ୍ଞ ଦଳ ନିୟୋଜିତ ହୋଇଛନ୍ତି । ୟୁକ୍ରେନ୍‌କୁ ମାନବିକ ସହାୟତା ଯୋଗାଇଦେବା ପାଇଁ ଭାରତର ନିରନ୍ତର ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ଦର୍ଶାଉଛି ।

Leave A Reply

Your email address will not be published.