oum

ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ଓଡିଶା ଇତିହାସର ହିନ୍ଦୀ ସଂସ୍କରଣ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

jsm

● ଉତ୍କଳ କେଶରୀଙ୍କ ମହାନ ଅବଦାନର ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ
● ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଅବଦାନ ପ୍ରତି ସମ୍ମାନ ପ୍ରଦର୍ଶନ କଲେ
● ଓଡିଶାର ଇତିହାସ ସମଗ୍ର ଭାରତବର୍ଷର ଐତିହାସିକ ଶକ୍ତିକୁ ପ୍ରତିନିଧିତ୍ୱ କରେ –ପ୍ରଧାନମନ୍ତ୍ରୀ

ନୂଆଦି‌ଲ୍ଲୀ, (ପିଆଇବି) : ଉତ୍କଳ କେଶରୀ ଡକ୍ଟର ହରକେୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ଓଡିଶାର ଇତିହାସର ହିନ୍ଦୀ ଅନୁବାଦ ଓ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଛନ୍ତି । ଓଡିଆ ଏବଂ ଇଂରାଜୀରେ ଉପଲବ୍ଧ ଏହି ପୁସ୍ତକକୁ ଶ୍ରୀ ଶଙ୍କରଲାଲ ପୁରୋହିତ ହିନ୍ଦୀରେ ଅନୁବାଦ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଟକ ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଏହି ଅବସରରେ ଉପସ୍ଥିତ ଥିଲେ ।

ଏଥିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରାୟ ଦେଢବର୍ଷ ତଳେ ଦେଶ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୦ତମ ଜନ୍ମବାର୍ଷିକୀ ପାଳନ କରିଥିଲା । ପ୍ରସିଦ୍ଧ ଓଡିଶା ଇତିହାସର ହିନ୍ଦୀ ସଂସ୍କରଣକୁ ଉତ୍ସର୍ଗ କରି ଓଡିଶାର ବିବିଧ ଓ ବିସ୍ତୃତ ଇତିହାସ ଦେଶବାସୀଙ୍କ ନିକଟରେ ପହଞ୍ଚିବା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଦେଶର ସ୍ୱାଧୀନତା ସଂଗ୍ରାମ ଓ ସାମାଜିକ ପରିବର୍ତନରେ ଡକ୍ଟର ମହତାବଙ୍କ ଅବଦାନର ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଯେଉଁ ଦଳରୁ ଡକ୍ଟର ମହତାବ ଦିନେ ମୁଖ୍ୟମନ୍ତ୍ରୀ ହୋଇଥିଲେ ତାହାକୁ ଜରୁରୀକାଳୀନ ପରିସ୍ଥିତିରେ ବିରୋଧ କରି ସେ କାରାବରଣ କରିଥିଲେ । ଉଭୟ ସ୍ୱାଧୀନତା ଓ ଦେଶର ଗଣତନ୍ତ୍ରକୁ ବଂଚାଇବାକୁ ସେ ଜେଲ ଯାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡକ୍ଟର ମହତାବଙ୍କ ଭାରତୀୟ କଂଗ୍ରେସ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ଓ ସେ ଓଡିଶାକୁ ଜାତୀୟସ୍ତର ପର୍ୟ୍ୟନ୍ତ ନେଇ ଯାଇଥିଲେ । ତାଙ୍କର ଅବଦାନର ବିବରଣୀ ଓଡିଶା ସଂଗ୍ରହାଳୟ, ଅଭିଲେଖାଗାର ଓ ପ୍ରତ୍ନତତ୍ୱ ବିଭାଗରେ ରହିଛି ।

ପ୍ରଧାନମନ୍ତ୍ରୀ ଇତିହାସର ବ୍ୟାପକ ଅଧ୍ୟୟନର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଇତିହାସ କେବଳ ଅତୀତର ଶିକ୍ଷାର ବିଷୟ ନୁହେଁ, ଏହା ଭବିଷ୍ୟତ ପାଇଁ ଦର୍ପଣ ସଦୃଶ ବୋଲି ସେ କରିଛନ୍ତି । ଦେଶ ଯେତେବେଳେ ଆମ ସ୍ୱାଧୀନତା ସଂଗ୍ରାମର ଇତିହାସକୁ ଉଦ୍ଜୀବିତ କରି ଆଜାଦ କୀ ଅମୃତ ମହୋତ୍ସବ ପାଳନ କରୁଛି ସେତେବେଳେ ଦେଶ ଏହି ଭାବନା ଉପରେ ଆଲୋକପାତ କରୁଛି । ସ୍ୱାଧୀନତା ସଂଗ୍ରାମୀର ଅନେକ ବାସ୍ତବ ତଥ୍ୟ ଦେଶ ସମ୍ମୁଖରେ ସଠିକ୍ଭାବେ ଉପସ୍ଥାପିତ ହୋଇପାରି ନ ଥିବାରୁ ଶ୍ରୀ ମୋଦୀ ସେଥିନେଇ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଭାରତୀୟ ପରମ୍ପରାରେ ଇତିହାସ କେବଳ ରାଜା ମହାରାଜ ଓ ନଅର ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ । ଇତିହାସ ହଜାର ହଜାର ବର୍ଷ ଧରି ଲୋକଙ୍କ ସହ ରହିଆସିଛି । ବିଭିନ୍ନ ରାଜବଂଶ ଓ ଉଆସକୁ ନେଇ ଇତିହାସ ରଚନା କରିବା ଏକ ବୈଦେଶିକ କଳ୍ପନା ପ୍ରସୂତ ବିଷୟ । ଆମେ ସେଭଳି ଲୋକ ନୋହୁଁ । ରାମାୟଣ ଓ ମହାଭାରତର ଉଦାହରଣଦେଇ ଶ୍ରୀ ମୋଦୀ ଅଧିକ ବର୍ଣ୍ଣନା ଲୋକମାନଙ୍କୁ ଆଧାରିତ କରି ହୋଇଛି ବୋଲି କହିଛନ୍ତି । ଆମ ଜୀବନରେ ସାଧାରଣ ବ୍ୟକ୍ତି ଆମର ଆଲୋଚନାର କେନ୍ଦ୍ରବିନ୍ଦୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପାଇବ ବିଦ୍ରୋହ, ଗଞ୍ଜାମ ମେଳିଠାରୁ ଆରମ୍ଭ କରି ସମ୍ବଲପୁର ବିଦ୍ରୋହ ପର୍ୟ୍ୟନ୍ତ ଓଡିଶା ମାଟି ଇଂରେଜ ଶାସନ ବିରୁଦ୍ଧରେ ବିଦ୍ରୋହର ବହ୍ନି ପ୍ରଜ୍ଜଳିତ ରଖି ଦେଶକୁ ଏକ ନୂତନ ଶକ୍ତି ପ୍ରଦାନ କରିଥିଲା । ସମ୍ବଲପୁର ଆନ୍ଦୋଳନର ବୀର ସୁରେନ୍ଦ୍ର ସାଏ ଆମ ସମସ୍ତ ନିମନ୍ତେ ପ୍ରେରଣାର ଉତ୍ସ । ପଣ୍ଡିତ ଗୋପବନ୍ଧୁ, ଆଚାର୍ୟ୍ୟ ହରିହର ଓ ଡକ୍ଟର ହରେକୃଷ୍ଣ ମହତାବ ଭଳି ନେତାମାନଙ୍କ ବିଶେଷ ଅବଦାନର ଶ୍ରୀ ମୋଦି ସ୍ମୃତିଚାରଣ କରିଥିଲେ । ସେହିପରି ଶ୍ରୀ ମୋଦୀ ରମା ଦେବୀ, ମାଳତୀ ଦେବୀ, କୋକିଳା ଦେବୀ, ରାଣୀ ଭାଗ୍ୟବତୀଙ୍କ ଅବଦାନ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ନିଜର ଦେଶପ୍ରେମ ଓ ପରାକ୍ରମ ଯୋଗୁଁ ଇଂରେଜ ଶାସନକୁ ଅସ୍ତବ୍ୟସ୍ତ କରିଥିବା ଆଦିବାସୀମାନଙ୍କ ଅବଦାନର ମଧ୍ୟ ପ୍ରଧାନମନ୍ତ୍ରୀ ଅବତାରଣା କରିଥିଲେ । ଭାରତ ଛାଡ ଆନ୍ଦୋଳନର ମହାନ୍ ଆଦିବାସୀ ନେତା ଶହୀଦ ଲକ୍ଷ୍ମଣ ନାୟକଙ୍କ ମଧ୍ୟ ସେ ସ୍ମୃତିଚାରଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଓଡିଶାର ଇତିହାସ ସମଗ୍ର ଭାରତବର୍ଷର ଇତିହାସ ଶକ୍ତିର ପ୍ରତିନିଧିତ୍ୱ କରେ । ଇତିହାସରେ ପ୍ରଦର୍ଶିତ ଶକ୍ତି ଆମର ବର୍ତ୍ତମାନ ଓ ଭବିଷ୍ୟତର ସମ୍ଭାବନା ସହ ସଂଶ୍ଳିଷ୍ଟ ଥିବାବେଳେ, ଆମ ପାଇଁ ପଥ ପ୍ରଦର୍ଶକର କାର୍ୟ୍ୟ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ରାଜ୍ୟର ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବ୍ୟବସାୟ ଓ ଶିଳ୍ପ ନିମନ୍ତେ ଭିତିଭୂମି ହେଉଛି ସର୍ବପ୍ରଥମ ଆବଶ୍ୟକତା । ହଜାର ହଜାର କିଲୋମିଟର ଦୀର୍ଘ ଜାତୀୟ ଓ ଉପକଳ ରାଜପଥ ଓଡିଶାରେ ନିର୍ମିତ ହେଉଛି ଓ ଏହା ରାଜ୍ୟକୁ ଦେଶର ଅନ୍ୟାନ୍ୟ ପ୍ରାନ୍ତ ସହ ଯୋଡିବ । ଗତ ଛଅସାତବର୍ଷ ମଧ୍ୟରେ ରାଜ୍ୟର ଶହ ଶହ କିଲୋମିଟର ଦୀର୍ଘ ରେଳଲାଇନ ମଧ୍ୟ ବିଛା ହୋଇଛି । ଭିତ୍ତିଭୂମି ପରେ ଶିଳ୍ପ ଉପରେ ଧ୍ୟାନ କେନ୍ଦ୍ରୀତ ହେଉଛି । ସେଥିପାଇଁ ଶିଳ୍ପାନୁଷ୍ଠାନ ଓ କମ୍ପାନୀଗୁଡିକୁ ପ୍ରୋତ୍ସାହିତ କରାଯାଉଛି । ରାଜ୍ୟର ତୈଳ ଓ ଇସ୍ପାତ କ୍ଷେତ୍ରରେ ଥବା ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖବ ହଜାର ହଜାର କୋଟି ଟଙ୍କା ଏଥିରେ ବିନିଯୋଗ କରାଯାଉଛି । ସେହିପରି ନୀଳ ବିପ୍ଳବ ଜରିଆରେ ଓଡିଶାର ମତ୍ସ୍ୟଜୀବୀମାନଙ୍କ ଜୀବନ ମାନର ଉନ୍ନତି ପାଇଁ ଉଦ୍ୟମ ଅବ୍ୟାହତ ରହିଛି ।

ପ୍ରଧାନମନ୍ତ୍ରୀ କୌଶଳ ବିକାଶ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ଉପରେ ସୂଚନା ଦେଇଥିଲେ । ରାଜ୍ୟରେ ଯୁବଗୋଷ୍ଠୀର ସୁବିଧା ପାଇଁ ଆଇଆଇଟି, ଭୁବନେଶ୍ୱର, ଆଇଜର ବ୍ରହ୍ମପୁର, ଭାରତୀୟ କୌଶଳ ବିକାଶ ପ୍ରତିଷ୍ଠାନ ଓ ଆଇଆଇଏମ ସମ୍ବଲପୁରର ମୂଳଦୁଆ ସ୍ଥାପନ ହୋଇଛି ।

ଓଡିଶାର ଇତିହାସ ଓ ଏହାର ଉତ୍କର୍ଷକୁ ବିଶ୍ୱର ଚାରିଆଡେ ପହଂଚାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ‘ଆଜାଦୀ କୀ ଅମୃତ’ ମହୋତ୍ସବକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହ ଏହି ଅଭିଯାନରେ ସ୍ୱାଧୀନତା ସଂଗ୍ରାମ କାଳରେ ଯେଉଁ ଉନ୍ମାଦନା ଥିଲା ତାହା ଉଦ୍ଜୀବିତ କରିବ। ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ।

Leave A Reply

Your email address will not be published.