jayashree

ଭିଡିଓ ବାର୍ତ୍ତା ମାଧ୍ୟମରେ କୌଶଳ ଦୀକ୍ଷାନ୍ତ ସମାରୋହ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

● “କୌଶଳ ଦୀକ୍ଷାନ୍ତ ସାମରୋହ ଆଜିକାର ଭାରତର ଅଗ୍ରାଧିକାର ପ୍ରତିଫଳିତ କରୁଛି”
● ‘ସଶକ୍ତ ଯୁବ ଶକ୍ତି ଦ୍ୱାରା ଦେଶ ଅଧିକ ଉନ୍ନତି କରେ, ଏହା ଦ୍ୱାରା ରାଷ୍ଟ୍ରର ସମ୍ବଳ ପ୍ରତି ଉପଯୁକ୍ତ ନ୍ୟାୟ ଦେଇ ହୁଏ”
● “ଏବେ ସମଗ୍ର ବିଶ୍ୱ ବିଶ୍ୱାସ କରୁଛି ଯେ ଏହି ଶତାବ୍ଦୀ ଭାରତର ଶତାବ୍ଦୀ ହେବାକୁ ଯାଉଛି”
● “ଆମ ସରକାର କୁଶଳତା ଓ ଦକ୍ଷତାର ମହତ୍ୱ ବୁଝିପାରିଛନ୍ତି; ସେଥିପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରିଛନ୍ତି । ଏଥି ନିମନ୍ତେ ସ୍ୱତନ୍ତ୍ର ବଜେଟ୍ର ବ୍ୟବସ୍ଥା କରାଯାଇଛି”
● ଗବେଷଣା ଓ ଦକ୍ଷତା ବିକାଶ ଉଭୟ ଉଦ୍ୟୋଗ ପାଇଁ ଗୁରୁତ୍ୱପୂର୍ଣ୍ଣର୍; ସେଥି ନିମନ୍ତେ ଏହି କ୍ଷେତ୍ରର ଅନୁଷ୍ଠାନଗୁଡିକୁ ସମୟ ଉପଯୋଗୀ କରିବାକୁ ପଡିବ”
● “ଭାରତର ବେକାରୀ ହାର ବିଗତ ୬ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ଅଛି”
● “ଆସନ୍ତା ୩-୪ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତି ବିଶ୍ୱର ଶ୍ରେଷ୍ଠ ତିନି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବା ଘେନି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଦୃଢ ବିଶ୍ୱାସୀ”

ନୂଆଦିଲ୍ଲୀ, (ପିଆଇବି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କୌଶଳ ଦୀକ୍ଷାନ୍ତ ସମାରୋହରେ ଉଦ୍ବୋଧନ ଦେଇଛନ୍ତି ।
ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଦକ୍ଷତା (କୌଶଳ) ବିକାଶର ଏକ ଉତ୍ସବ । ଏହା ଆପଣା ଢଙ୍ଗରେ ଅଦ୍ୱିତୀୟ । ଦେଶର ବିଭିନ୍ନ ଦକ୍ଷତା ବିକାଶ ଅନୁଷ୍ଠାନ ପକ୍ଷରୁ ଆଜି ଯେଉଁ ମିଳିତ ଦୀକ୍ଷାନ୍ତ ସମାରୋହ ଆୟୋଜନ କରାଯାଇଛି ତାହା ବେଶ୍ ସ୍ୱାଗତଯୋଗ୍ୟ । ଏହି କୌଶଳ ଦୀକ୍ଷାନ୍ତ ସମାରୋହ ଆଜିକାର ଭାରତର ଅଗ୍ରାଧିକାରକୁ ପ୍ରତିଫଳିତ କରୁଛି । ଏହି ସମାରୋହରେ ଭାଗ ନେଇଥିବା ହଜାର ହଜାର ଯୁବକ ଯୁବତୀଙ୍କୁ ସେ ଶୁଭେଚ୍ଛା ଜ୍ଞାପନ କରିଥିଲେ ।
ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଯୁବଶକ୍ତିର ଗୁରୁତ୍ୱ ଉପରେ ଅଧିକ ଜୋର୍ ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁ ଦେଶର ଯୁବଶକ୍ତି ଯେତେ ଅଧିକ ସଶକ୍ତ ଓ ଉନ୍ନତ ହେବ ସେ ଦେଶ ସେତେ ଉନ୍ନତି କରିବ । ଏହା ଦ୍ୱାରା ରାଷ୍ଟ୍ରର ପ୍ରାକୃତିକ ସମ୍ବଳର ସୁବିନିଯୋଗ ହୋଇ ଏ କ୍ଷେତ୍ରରେ ଉପଯୁକ୍ତ ନ୍ୟାୟ ପ୍ରଦାନ କରିହେବ । ଦେଶର ଦୀର୍ଘ ବେଳାଭୂମି ଓ ଖଣିଜ ସମ୍ପଦ ସବୁର ଉପଯୁକ୍ତ ବିନିଯୋଗ ପାଇଁ କୁଶଳୀ ଓ ସୁଦୃଢ ଲୋକଶକ୍ତିର ବିଶେଷ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଭାରତ ଏବେ ଏଭଳି ବିଚାରକୁ ଗୁରୁତ୍ୱ ଦେଇ ଯୁବଶକ୍ତିକୁ ସୁଦୃଢ ତଥା କୁଶଳୀ କରୁଛି । ଏହା ଫଳରେ ସମଗ୍ର ବ୍ୟବସ୍ଥାରେ ଅଭୂତପୂର୍ବ ଉନ୍ନତି ପରିଲକ୍ଷିତ ହେଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏ କ୍ଷେତ୍ରରେ ଦ୍ୱିମୁଖୀ ଆଭିମୁଖ୍ୟ ଗ୍ରହଣ କରି କାମ କରିଛନ୍ତି । ଦୀର୍ଘ ଚାଳିଶ ବର୍ଷ ପରେ ଦେଶରେ ନୂଆ ଶିକ୍ଷାନୀତି ଏଥି ପାଇଁ ସରକାର କାର୍ଯ୍ୟକାରୀ କରିଛନ୍ତି । ଦୀର୍ଘ ଚାଳିଶବର୍ଷ ପରେ ଦେଶରେ ନୂଆ ଶିକ୍ଷାନୀତି ପରିବର୍ତ୍ତିତ ସମୟର ଆବଶ୍ୟକତା ପୂରଣ ପାଇଁ ପ୍ରବର୍ତ୍ତିତ ହୋଇଛି । ସରକାର ଏବେ ଦେଶରେ ବହୁ ସଂଖ୍ୟାରେ ମେଡିକାଲ କଲେଜ, ଆଇଆଇଟି, ଆଇଆଇଏମ୍ ଓ ଆଇଟିଆଇ ଭଳି ଅନେକ ବୈଷୟିକ ଶିଷାନୁଷ୍ଠାନ ପ୍ରତିଷ୍ଠା କରୁଛନ୍ତି । କୋଟି କୋଟି ଯୁବକ ଯୁବତୀଙ୍କୁ ପ୍ରଧାନମନ୍ତ୍ରୀ କୁଶଳ ବିକାଶ ଯୋଜନାରେ ତାଲିମ ପ୍ରଦାନ କରାଯାଉଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ପାରମ୍ପରିକ କ୍ଷେତ୍ର ଯାହା ଲୋକଙ୍କୁ ନିଯୁକ୍ତି ଦେଇଥାଏ ସେସବୁକୁ ସରକାର ସୁଦୃଢ କରୁଛନ୍ତି । ଏହାଛଡା ନୂଆ ନୂଆ କ୍ଷେତ୍ରଗୁଡିକୁ ପ୍ରୋତ୍ସାହିତ କରାଯାଉଛି । ନିଯୁକ୍ତି ସୃଷ୍ଟି ଓ ଉତ୍ପାଦନ ବୃଦ୍ଧି ପାଇଁ ଉଦ୍ୟମିତାକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି । ବିଭିନ୍ନ ପ୍ରକାର ଜିନିଷ, ମୋବାଇଲ, ପ୍ରତିରକ୍ଷା ସାମଗ୍ରୀ, ମାନୁଫ୍ୟାକଚରିଂ ସାମଗ୍ରୀ ଭାରତ ଏବେ ଅଧିକ ରପ୍ତାନୀ କରୁଛି ବୋଲି ସେ କହିଛନ୍ତି । ଏବେ ଦେଶର ମହାକାଶ, ଷ୍ଟାର୍ଟଅପ୍, ଡ୍ରୋନ୍ସ, ଆନିମେସନ, ବୈଦ୍ୟୁତିକ ଯାନ ଓ ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ବିପୁଳ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱ ଏବେ ବିଶ୍ୱାସ କରୁଛି ଯେ ଚଳିତ ଶତାବ୍ଦୀ ଭାରତର ଶତାବ୍ଦୀ ହେବାକୁ ଯାଉଛି । ଏହି ବିଶ୍ୱାସ ଓ ଭାବନା ପଛରେ ରହିଛି ଭାରତର ଉଲ୍ଲେଖନୀୟ ସଫଳତା ଓ ପ୍ରଦର୍ଶନ । ଏହି ସଫଳତାର ଶ୍ରେୟ ଦେଶର ଯୁବବର୍ଗଙ୍କୁ ଯାଉଛି । ସେମାନେ ଭାରତର ଭାବମୂର୍ତ୍ତି ଓ ସାମର୍ଥ୍ୟ ବୃଦ୍ଧିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ବିଶ୍ୱର ପ୍ରାୟ ସବୁ ଦେଶରେ ବୟସ୍କ ଲୋକଙ୍କ ସଂଖ୍ୟା ବଢୁଥିବାବେଳେ ଭାରତ ଦିନକୁ ଦିନ ଯୁବକ ହେଉଛି । ଅର୍ଥାତ ଆମର ଯୁବବର୍ଗର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଭାରତ ଏହି ବିପୁଳ ଯୁବଶକ୍ତିର ସୁଯୋଗ ନେବା ସ୍ୱାଭାବିକ । ଭାରତର ଦକ୍ଷ ଲୋକଶକ୍ତିଙ୍କ ଉପରେ ସମଗ୍ର ବିଶ୍ୱର ନଜର ରହିଛି । ଗ୍ଲୋବାଲ ସ୍କିଲ ମ୍ୟାପିଙ୍ଗ ପାଇଁ ଭାରତ ଜି-୨୦ରେ ଯେଉଁ ପ୍ରସ୍ତାବ ଦେଇଥିଲା ତାହା ଗୃହୀତ ହୋଇଛି । ଏହା ଫଳରେ ଲକ୍ଷ ଲକ୍ଷ ଯୁବବର୍ଗଙ୍କ ପାଇଁ ନୂଆ ସୁବିଧା ସୁଯୋଗ ସୃଷ୍ଟି ହେବ । ଏବେ ଦେଶରେ ଯେଉଁ ସୁଯୋଗ ସୃଷ୍ଟି ହୋଇଛି ତାହା ଯେପରି ଅକାରଣ ନ ଯାଏ ସେଥି ପାଇଁ ସରକାର ସତର୍କ ଅଛନ୍ତି ବୋଲି ସେ କହିଛନ୍ତି । ଆମ ସରକାର ଦକ୍ଷତା ବିକାଶର ଗୁରୁତ୍ୱ ଅନୁଭବ କରି ଏଥି ପାଇଁ ଏକ ନୂଆ ମନ୍ତ୍ରଣାଳୟ ସୃଷ୍ଟି କରିଛି ଓ ଏଥି ପାଇଁ ସ୍ୱତନ୍ତ୍ର ବଜେଟ୍ର ବ୍ୟବସ୍ଥା ହୋଇଛି । କୁଶଳ ବିକାଶ ଯୋଜନା ଦ୍ୱାରା କ୍ଷେତ୍ର ସ୍ତରରେ ଯୁବକ ଯୁବତୀ ଓ ଶ୍ରମଶକ୍ତି ଅଧିକ କୁଶଳୀ, ଦକ୍ଷ ଏବଂ ସମର୍ଥ ହେଉଛନ୍ତି । ଏହାର ଉତ୍ତମ ପ୍ରଭାବ ଉତ୍ପାଦନ ଉପରେ ପଡୁଛି ଓ ଅର୍ଥନୀତି ସମୃଦ୍ଧ ହେଉଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉଦ୍ୟୋଗ ବିକାଶ ଓ ସାମଗ୍ରିକ ଉନ୍ନତିରେ ଗବେଷଣା ଓ ଦକ୍ଷତା ବିକାଶର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ସେଥି ପାଇଁ କୌଶଳ ବିକାଶ ଯୋଜନା କାର୍ଯ୍ୟକାରୀ ହେଉଛି । ଏହା ଆମ ଶ୍ରମ ଓ ଯୁବ ଶକ୍ତିକୁ ସୁଦୃଢ କରୁଛି । ଏହା ମଧ୍ୟ ଆମ ଉଦ୍ୟୋଗକୁ ଉପଯୁକ୍ତ ମାନବ ସମ୍ବଳ ଯୋଗାଉଛି । ଦକ୍ଷତା ବିକାଶ ଦ୍ୱାରା ଯୁବବର୍ଗଙ୍କ ନିଯୁକ୍ତି ସୁଯୋଗ ବଢୁଛି । ସେମାନଙ୍କୁ ଚାକିରିର ପରିବର୍ତ୍ତନୀୟ ଆବଶ୍ୟକତା ଉପଯୋଗୀ କରାଯାଉଛି । ସେ କହିଛନ୍ତି ଯେ ଗତ ନ’ବର୍ଷ ମଧ୍ୟରେ ଦେଶରେ ୫୦୦୦ ଆଇଟିଆଇ ସ୍ଥାପନ କରାଯାଇଛି । ଏଥିରେ ୪ଲକ୍ଷ ଆଇଟିଆଇ ଆସନ ଅତିରିକ୍ତ ଭାବେ ସୃଷ୍ଟି ହୋଇଛି । ଏସବୁ ପ୍ରତିଷ୍ଠାନକୁ ଯୁଗର ଆବଶ୍ୟକତା ଅନୁସାରେ ନିୟମିତ ଭାବେ ଉନ୍ନୀତ କରାଯାଇଛି । ଏସବୁ ପ୍ରତିଷ୍ଠାନକୁ ଯୁଗର ଆବଶ୍ୟକତା ଅନୁସାରେ ନିୟମିତଭାବେ ଉନ୍ନୀତ କରାଯାଉଛି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତରେ ଦକ୍ଷତାର ବିକାଶର ସ୍ତର ନିରନ୍ତର ବଢୁଛି । ଆମେ ମେକାନିକ, ଇଞ୍ଜିନିୟର୍ସ, ଟେକ୍ନୋଲୋଜି ଓ ଅନ୍ୟାନ୍ୟ ସେବା କ୍ଷେତ୍ରରେ ସୀମିତ ନୋହୁଁ । ଆମ ସେବା ଓ କାର୍ଯ୍ୟ ପରିସର ବ୍ୟାପକ ଓ ନିରବଚ୍ଛିନ୍ନ । ଭାରତରେ ବେକାରୀ ହାର ବିଗତ ଛ’ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ରହିଛି । ଭାରତର ଅର୍ଥନୀତି ସଂପ୍ରସାରିତ ହେଉଥିବାରୁ ନିଯୁକ୍ତି ସୁଯୋଗ ବଢିଛି । ଏକ ନୂତନ ସର୍ଭେ ଅନୁସାରେ ବେକାରୀ ହାର ସବୁଠୁ କମ୍ ସ୍ତରରେ ଅଛି । ଉଭୟ ସହର ଓ ଗ୍ରାମାଞ୍ଚଳରେ ବେକାରୀ ହ୍ରାସ ପାଇଛିି । ଉଭୟ ଗ୍ରାମ ଓ ସହରାଞ୍ଚଳରେ ନୂଆ ସୁବିଧା ସୁଯୋଗ ସୃଷ୍ଟି ହେବା ଫଳରେ ଲୋକେ ଅଧିକରୁ ଅଧିକ କାମ ଧନ୍ଦା ପାଉଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଶ୍ରମ ଶକ୍ତିରେ ମହିଳାଙ୍କ ଅଭୂତପୂର୍ବ ଯୋଗଦାନ । ସେମାନଙ୍କ ସଂଖ୍ୟ।। ଅବିଶ୍ୱସନୀୟଭାବେ ବଢିଛି । ମହିଳା ସଶକ୍ତିକରଣ ପାଇଁ ବିଗତ ବର୍ଷଗୁଡିକରେ ସରକାର ନେଇଥିବା ପଦକ୍ଷେପର ସୁଫଳ ମିଳୁଛି ।
ନିକଟରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଦ୍ୱାରା ପ୍ରକାଶିତ ତଥ୍ୟକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ରିପୋର୍ଟ ଅନୁସାରେ ଆସନ୍ତା ୩-୪ବର୍ଷ ମଧ୍ୟରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବାର ଆଶା ଅଧିକ । ଏହା ସମ୍ଭବ ହେଲେ ଦେଶରେ ନିଯୁକ୍ତି ଓ ଆତ୍ମନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି ହେବ ।
ନିଜର ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତକୁ ବିଶ୍ୱର ସର୍ବବୃହତ୍ ଦକ୍ଷତା ବିକାଶ କେନ୍ଦ୍ରରେ ପରିଣତ କରିବାକୁ ସରକାର କାମ କରୁଛନ୍ତି । ଏହା ଫଳରେ ଭାରତ ଦକ୍ଷ ଲୋକଶକ୍ତି କ୍ଷେତ୍ରରେ ଘରୋଇ ଆବଶ୍ୟକତା ପୂରଣ କରି ବିଶ୍ୱର ଚାହିଦା ମଧ୍ୟ ମେଣ୍ଟାଇ ପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିକ୍ଷଣ, ଶିକ୍ଷାଦାନ ଓ ଆଗକୁ ବଢିବାର ପ୍ରକ୍ରିୟା ଜାରି ରହିବା ଆବଶ୍ୟକ । ଜୀବନର ପ୍ରତ୍ୟେକ ସ୍ତରରେ ବିଦ୍ୟାର୍ଥୀ ଓ ପ୍ରଶିକ୍ଷାର୍ଥୀମାନେ ସଫଳ ହୁଅନ୍ତି ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି ।

Leave A Reply

Your email address will not be published.