ପାଲି : ରାଜସ୍ଥାନର ପାଲିରେ ସୋମବାର ସକାଳେ ସୂର୍ଯ୍ୟନଗରୀ ଏକ୍ସପ୍ରେସର ଆଠଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ଯୋଧପୁର ଡିଭିଜନର ରାଜକିୟବାସ-ବୋମଦରା ବିଭାଗ ମଧ୍ୟରେ ଭୋର୍ ପ୍ରାୟ ୩.୨୭ରେ ଘଟିଛି । ଟ୍ରେନ୍ ବାନ୍ଦ୍ରା ଟର୍ମିନାଲରୁ ଯୋଧପୁର ଯାଉଥିଲା । ଉତ୍ତର ପଶ୍ଚିମ ରେଲୱେର ସୂଚନା ଅନୁଯାୟୀ କୌଣସି କ୍ଷୟକ୍ଷତି ହୋଇନାହିଁ ।
ରେଳବାଇ ପକ୍ଷରୁ ଯୋଧପୁରରୁ ଏକ ରିଲିଫ ଟ୍ରେନ ପଠାଯାଇଛି । ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି, “ଉଚ୍ଚ ଅଧିକାରୀମାନେ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିବେ ବୋଲି ଆଶା କରାଯାଉଛି । ଉତ୍ତର ପଶ୍ଚିମ ରେଳବାଇର ଜେନେରାଲ ମ୍ୟାନେଜର ଏବଂ ଅନ୍ୟ ଉଚ୍ଚ ପଦାଧିକାରୀମାନେ ଜୟପୁର ମୁଖ୍ୟାଳୟର କଣ୍ଟ୍ରୋଲ ରୁମରେ ପରିସ୍ଥିତି ଉପରେ ନଜର ରଖିଛନ୍ତି ।”
ଉତ୍ତର ପଶ୍ଚିମ ରେଳବାଇର ସିପିଆରଓ କ୍ୟାପ୍ଟେନ୍ ଶଶି କିରଣ କହିଛନ୍ତି ଯେ, ଦୁର୍ଘଟଣା ଯୋଗୁ ପ୍ରଭାବିତ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇସାରିଛି । ଏହା ବ୍ୟତୀତ ରେଳବାଇ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି ଯେଉଁଥିରୁ ସମ୍ପର୍କୀୟମାନେ ତଥ୍ୟ ସଂଗ୍ରହ କରିପାରିବେ । ଯୋଧପୁର, ପାଲି ଓ ମାରୱାର ପାଇଁ ସ୍ୱତନ୍ତ୍ର ନମ୍ବର ଜାରୀ କରାଯାଇଥିବା ବେଳେ ଏକ ଦେୟମୁକ୍ତ ୧୩୮ ଏବଂ ୧୦୭୨ ନମ୍ବର ଜାରି କରାଯାଇଛି । ଯାହାଦ୍ୱାରା ଯୋଗାଯୋଗ କରି ସୂଚନା ପାଇପାରିବେ ।