jayashree

ତାମିଲନାଡୁ ଆସନ୍ତା ମେ ୧୦ରୁ ‘ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌’

ତାମିଲନାଡୁ : ଦିନକୁ ଦିନ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି । ତେବେ ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁକୁ ମେ ୧୦ ତାରିଖରୁ ଦୁଇ ସପ୍ତାହ ନିମନ୍ତେ ରାଜ୍ୟରେ ‘ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି ତାମିଲନାଡୁ ସରକାର । ରାଜ୍ୟରେ ଗତକାଲି ରେକର୍ଡସଂଖ୍ୟକ ୨୬୦୦୦ ନୂତନ ସଂକ୍ରମଣ ଚିହ୍ନଟ ହେବାର ଦିନକ ପରେ ସରକାର ‘ଲକ୍‌ଡାଉନ୍‌’ ପାଇଁ ଆଦେଶ ଦେଇଛନ୍ତି । ଏକ ବିବୃତିରେ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ କହିଛନ୍ତି ଯେ, ‘ଅନିର୍ବାର୍ଯ୍ୟ କାରଣବଶତଃ’ ଏହି ‘ଲକ୍‌ଡାଉନ୍‌’ ଜାରି କରାଯାଇଛି । ମେ ୧୦ ତାରିଖ ପାହାନ୍ତ ୪ଟାରୁ ମେ ୨୪ ତାରିଖ ପାହାନ୍ତା ୪ଟା ପର୍ଯ୍ୟନ୍ତା‌ ରାଜ୍ୟରେ ‘ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌’ ବଳବତ୍ତର ରହିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶୁକ୍ରବାର ଦିନ ଜିଲ୍ଲାପାଳମାନଙ୍କ ସହ ତାଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରୁ ମିଳିଥିବା ତଥ୍ୟ ଓ ମତାମତ ଆଧାରରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଡାକ୍ତରୀ ବିଶେଷଜ୍ଞଙ୍କମାନେ ମଧ୍ୟ ଏଥିପାଇଁ ପରାମର୍ଶ ଦେଇଥିଲେ । ଏହି ‘ଲକ୍‌ଡାଉନ୍‌’ ଘୋଷଣା ହେଉଛି ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଏମ୍‌.କେ. ଷ୍ଟାଲିନ୍‌ଙ୍କ ଦ୍ୱାରା ଗୃହୀତ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସୂଚନାଯୋଗ୍ୟ, କୋଭିଡ୍‌ କଟକଣା ନ ମାନି ରାଜ୍ୟର ସମସ୍ତ ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ ପ୍ରଚାର ରାଲି କରାଇବା କାରଣରୁ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଇଥିବା କୁହାଯାଉଛି । ଏଥିପାଇଁ ମାଡ୍ରାସ୍‌ ହାଇକୋର୍ଟ ନିର୍ବାଚନ କମିସନ୍‌କୁ ତୀବ୍ର ସମାଲୋଚନା କରିଥିଲେ ।

Leave A Reply

Your email address will not be published.