ତାମିଲନାଡ଼ୁରେ ବନ୍ୟା ବିତ୍ପାତ

ଚେନ୍ନାଇ : ତାମିଲନାଡ଼ୁରେ ବନ୍ୟା ସ୍ଥିତି ଭୟଙ୍କର । ପ୍ରବଳ ବର୍ଷା ଓ ବନ୍ୟା ପାଇଁ ଛାରଖାର ହୋଇଛି ଦକ୍ଷିଣ ପ୍ରାନ୍ତ । ଘରଦ୍ୱାର ଭାଙ୍ଗିବା ସହିତ ରାସ୍ତାଘାଟ ଧୋଇ ହୋଇଯାଇଛି । ବନ୍ୟା ସ୍ଥିତି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସବୁଠି ହାହାକାର ପରିସ୍ଥିତି ଦେଖାଦେଇଛି । ପାଣି ଘେରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ବାୟୁସେନା ଓ ନୌ-ସେନା ଉଦ୍ୟମ ଜାରି ରଖିଛନ୍ତି । ତାମିଲନାଡ଼ୁ ସରକାର ସ୍ଥିତି ଉପରେ ନଜର ରଖିବା ସହିତ ବନ୍ୟା ପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି । ବୁଧବାର ମଦୁରାଇ ଓ ତୁତିକୋରିନରେ ବନ୍ୟା ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ ସହିତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି । ବନ୍ୟା ଓ ବର୍ଷା ଜନିତ ଦୁର୍ଘଟଣାରେ ଥିରୁନେଲଭେଲି ଓ ତୁତିକୋରିନ୍‌ ଜିଲ୍ଲାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ କିଛି କାନ୍ଥପଡ଼ି ମୃତ୍ୟୁ ହୋଇଥିବା ବେଳେ କିଛି ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି ବୋଲି ତାମିଲନାଡ଼ୁ ମୁଖ୍ୟ ଶାସନ ସଚିବ କହିଛନ୍ତି । ବିଶେଷକରି ଉପରୋକ୍ତ ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି । ସେପଟେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯଥା ସମ୍ଭବ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସରକାର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ଥିତି ସମୀକ୍ଷା କରିବା ସହିତ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି । ବନ୍ୟାରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ବାୟୁସେନା ହେଲିକପ୍ଟର ନିୟୋଜିତ ହୋଇଛି ବୋଲି ରାଜନାଥ ସିଂହ କହିଛନ୍ତି । ପ୍ରବଳ ବର୍ଷାରେ ତାମିଲନାଡ଼ୁର ତୁତିକୋରିନ୍ ଜିଲ୍ଲାର ଅଲନଥଳାଈରେ ଜଳବନ୍ଦୀ ଅବସ୍ଥା ଦେଖିବାକୁ ମିଳିଛି । ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଅନ୍ୟପଟେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ଅଗ୍ରୀମ ସୂଚନା ତାମିଲନାଡ଼ୁବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଆଗାମୀ ୬ଦିନ ପର୍ଯ୍ୟନ୍ତ ତାମିଲନାଡ଼ୁ, ପୁଡୁଚେରୀ ଓ କରାଈକଲର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.