- ଇ-ଶ୍ରମ ୱାନ୍ ଷ୍ଟପ୍ ସଲ୍ୟୁସନ ଇ-ଶ୍ରମରେ ପଂଜିକୃତ ହୋଇଥିବା ଅସଂଗଠିତ ଶ୍ରମିକମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ବିନା ବାଧାରେ ପହଞ୍ଚାଇବ : କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶ୍ରମ ଓ ରୋଜଗାର ତଥା ଯୁବ ବ୍ୟପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ନୂଆଦିଲ୍ଲୀରେ ‘ଇ-ଶ୍ରମ-ୱାନ ଷ୍ଟପ୍ ସଲ୍ୟୁସନ୍’ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଶ୍ରମ ଓ ରୋଜଗାର ରାଷ୍ଟ୍ର ମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦଲାଜେ ଏବଂ ମନ୍ତ୍ରଣାଳୟର ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ଡ. ମାଣ୍ଡଭିୟ ଇ-ଶ୍ରମ ପୋର୍ଟାଲ ପ୍ରତି ବଢ଼ୁଥିବା ଭରସା ଉପରେ ଜୋର୍ ଦେଇ କହିଥିଲେ, ‘ପ୍ରତ୍ୟେକ ଦିନ ପ୍ରାୟ ୬୦ ହଜାରରୁ ୯୦ ହଜାର ଶ୍ରମିକ ଇ-ଶ୍ରମ ପ୍ଲାଟଫର୍ମରେ ଯୋଡ଼ି ହେଉଛନ୍ତି, ଯାହାକି ଏହା ପ୍ରତି ଥିବା ବିଶ୍ୱାସକୁ ଦର୍ଶାଉଛି । ‘ସେ କହିଥିଲେ କି, ଇ-ଶ୍ରମ ୱାନ ଷ୍ଟପ୍ ସଲ୍ୟୁସନ ଇ-ଶ୍ରମରେ ପଂଜିକୃତ ହୋଇଥିବା ଅସଙ୍ଗଠିତ ଶ୍ରମିକମାନଙ୍କ ନିକଟରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାକୁ ବିନା ବାଧାରେ ପହଞ୍ଚାଇବ । ଡ. ମାଣ୍ଡଭିୟ ଏହା ମଧ୍ୟ କହିଥିଲେ, ଇ-ଶ୍ରମ ୱାନ ଷ୍ଟପ୍ ସଲ୍ୟୁସନ ପୋର୍ଟାଲର ପ୍ରାଥମିକ ଉଦ୍ଦେଶ୍ୟ ଅସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ପଂଜିକରଣ ପ୍ରକ୍ରିୟା ସରଳ କରିବା ଏବଂ ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ସେମାନଙ୍କ ନିକଟରେ ସହଜରେ ପହଞ୍ଚାଇବା । ସେ କହିଥିଲେ, ‘ଏହି ପ୍ଲାଟଫର୍ମ ଏକ ସେତୁ ଭଳି କାମ କରିବ । ଯାହାକି ଶ୍ରମିକମାନଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅନେକ ଲାଭକୁ ଯୋଡ଼ିବ ଏବଂ ପଂଜିକରଣ ପ୍ରକ୍ରିୟାକୁ ସହଜ ଓ ଅଧିକ ପାରଦର୍ଶୀ ବନାଇବ । ଡ. ମାଣ୍ଡଭିୟ ସମସ୍ତ ଅସଙ୍ଗଠିତ ଶ୍ରମିକମାନଙ୍କୁ ଇ-ଶ୍ରମ ପୋର୍ଟାଲରେ ପଂଜିକରଣ କରିବା ସହ ସେମାନଙ୍କ ପାଇଁ ଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ନେବାକୁ ପରାମର୍ଶ ଦେଇଛନ୍ତି । ସେ ଜୋର୍ ଦେଇ କହିଥିଲେ, ଏହି ପ୍ଲାଟଫର୍ମକୁ ଆସିଲେ ଶ୍ରମିକମାନେ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଉଥିବା ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନାର ସୁବିଧା ପାଇପାରିବେ, ଯାହାକି ସେମାନଙ୍କ ଜୀବିକାରେ ସୁଧାର ଓ କଲ୍ୟାଣ ଆଣିବ । ସୁଶ୍ରୀ ଶୋଭା କରନ୍ଦଲାଜେ ରାଜ୍ୟ ସରକାରଙ୍କ ପୋର୍ଟାଲ ଗୁଡ଼ିକୁ ଇ-ଶ୍ରମ ପୋର୍ଟାଲ ସହ ଏକୀକୃତ କରିବା ଉପରେ ଜୋର୍ ଦେଇଥିଲେ । ଏହା ରାଜ୍ୟ ଓ ଜିଲ୍ଲା ୱାରୀ ସମ୍ଭାବ୍ୟ ଲାଭାର୍ଥୀମାନଙ୍କୁ ଚିହ୍ନଟ କରିବା ସହ ଯୋଜନାର ଫାଇଦାକୁ ସୁନିଶ୍ଚିତ କରିବାରେ ସହାୟକ ହେବ । ୱାନ ଷ୍ଟପ୍ ସଲ୍ୟୁସନରେ ବଜେଟ ଘୋଷଣା ଏବଂ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ୧୦୦ ଦିନର କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରାଳୟ ଓ ବିଭାଗର ତଥ୍ୟକୁ ଏକୀକୃତ କରିବା ମଧ୍ୟ ସାମିଲ ରହିଛି । ଏକ ରାଷ୍ଟ୍ର-ଏକ ରାସନ କାର୍ଡ, ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ରୋଜଗାର ଗ୍ୟାରେଣ୍ଟି ଯୋଜନା, ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରାଷ୍ଟ୍ରୀୟ କ୍ୟାରିଅର ସେବା, ପ୍ରଧାନମନ୍ତ୍ରୀ ଯୋଗୀ ମାନଧନ ଇତ୍ୟାଦି କଲ୍ୟାଣକାରୀ ଯୋଜନାକୁ ଇ-ଶ୍ରମ ପୋର୍ଟାଲ ସହ ଏକୀକୃତ କରାଯାଇଛି ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସାମିଲ କରିବାକୁ ମଧ୍ୟ କାର୍ଯ୍ୟ କରାଯାଉଛି । ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସଚିବ ସୁଶ୍ରୀ ସୁମିତା ଡାୱରା କହିଥିଲେ କି, ଇ-ଶ୍ରମ ୱାନ ଷ୍ଟପ୍ ସଲ୍ୟୁସନ ଅସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନାକୁ ବିନାବାଧାରେ ପହଞ୍ଚାଇବା ଦିଗରେ ସହାୟକ ହୋଇପାରିବ । ‘ୱାନ ଷ୍ଟପ୍ ସଲ୍ୟୁସନ’ ପାଇଁ ଚାଲିଥିବା ପ୍ରକ୍ରିୟା ସମସ୍ତ ସାମାଜିକ ସୁରକ୍ଷା କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଇ-ଶ୍ରମ ପୋର୍ଟାଲ ସହ ଯୋଡ଼ିବା ଦିଗରେ ଜାରି ରଖିବ । ନୂତନ ସରକାରଙ୍କ ପ୍ରଥମ ଶହେ ଦିନରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ସାମାଜିକ ସୁରକ୍ଷା/କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଇ-ଶ୍ରମ ସହ ଏକୀକୃତ କରିବା ଦିଗରେ ଅନେକ ବୈଠକ ହୋଇଛି । ଏହା ଅସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ସରକାରଙ୍କ ଦୃଷ୍ଟିକୋଣକୁ ଦର୍ଶାଉଛି । ୨୦୨୧ ଅଗଷ୍ଟ ୨୬ ତାରିଖରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ଇ-ଶ୍ରମ ପୋର୍ଟାଲର ଶୁଭାରମ୍ଭ ହୋଇଥିଲା ଏବଂ ଏ ପର୍ଯ୍ୟନ୍ତ ୩୦ କୋଟିରୁ ଅଧିକ ଶ୍ରମିକ ଇ-ଶ୍ରମରେ ପଂଜିକରଣ କରିପାରିଛନ୍ତି ।