ରାଜ୍ୟସଭା ଅଧ୍ୟକ୍ଷ ତଥା ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଜଗଦୀପ ଧନଖଡ଼ଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ, (ପିଆଇବି) : ଜଗଦୀପ ଧନଖଡ଼ ଆଜି (୧୧-ଠ୮-୨ଠ୨୨) ଭାରତର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କରିଛନ୍ତି । ଜଣେ ସ୍ୱନାମଧନ୍ୟ ଆଇନଜ୍ଞ ଓ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଶ୍ରୀ ଧନଖଡ଼ଙ୍କୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ଶପଥ ପାଠ କରାଇଥିଲେ । ଶପଥ ଗ୍ରହଣ କରିବା ପୂର୍ବରୁ ଶ୍ରୀ ଧନଖଡ଼ ଗତକାଲି ସକାଳେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । “ପୂଜ୍ୟ ବାପୁଙ୍କୁ ସମ୍ମାନ ପ୍ରଦର୍ଶନ କରି ନିଜକୁ ଅନୁପ୍ରାଣିତ ଓ ଉତ୍ସାହୀ ହୋଇ ରାଜଘାଟର ପୂଣ୍ୟ ପରିବେଶରେ ଭାରତର ସେବା ପାଇଁ ବ୍ରତୀ ହେବେ” ବୋଲି ଟ୍ୱିଟ୍ କରିଛନ୍ତି ।

ଜଗଦୀପ ଧନଖଡ଼ଙ୍କ ସମ୍ପର୍କରେ ସମ୍ୟକ ସୂଚନା ନିମ୍ନରେ ପ୍ରଦତ୍ତ ହୋଇଛି-
ଶ୍ରୀ ଧନଖଡ଼ ତାଙ୍କର ପ୍ରାଥମିକ ଶିକ୍ଷା କିଥନା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଲାଭ କରିଥିଲେ । ତା’ପରେ ସେ ଗର୍ଧନାର ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଚିତ୍ତୋରଗଡ଼ର ସୈନିକ ସ୍କୁଲରୁ ଶିକ୍ଷା ଲାଭ କରିଥିଲେ । ମହାବିଦ୍ୟାଳୟ ଶିକ୍ଷା ପାଇଁ ଶ୍ରୀ ଧନଖଡ଼ ମହାରାଜା କଲେଜରେ ଯୋଗଦେଇ ପଦାର୍ଥ ବିଜ୍ଞାନ ସମ୍ମାନ ସହ ବିଏସସି ଉତ୍ତୀର୍ଣ୍ଣ ହେଲେ । ତା’ପରେ ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ହେଲେ ।
ଜଗଦୀପ ଧନଖଡ଼ ଜଣେ ଆଇନଜୀବୀ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ତାଙ୍କ ବଂଶର ପ୍ରଥମ ବୃତ୍ତିଧାରୀ ହେବା ସତ୍ତ୍ୱେ ସେ ଦେଶର ଜଣେ ବିଶିଷ୍ଟ ଆଇନ ବିଶାରଦ ଭାବେ ଖ୍ୟାତି ଅର୍ଜନ କରିଥିଲେ । ୧୯୯ଠ ମସିହାରେ ସେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବରିଷ୍ଠ ଆଡଭୋକେଟ ମାନ୍ୟତା ପାଇଥିଲେ । ତା’ ପରଠାରୁ ଶ୍ରୀ ଜଗଦୀପ ଧନଖଡ଼ ସୁପ୍ରିମକୋର୍ଟରେ ପ୍ରାଥମିକ ଆଇନ ବ୍ୟବସାୟ କରୁଥିଲେ । ଇସ୍ପାତ, କୋଇଲା, ଖଣିଜ ଓ ଅନ୍ତର୍ଜାତୀୟ ବାଣିଜ୍ୟିକ ମଧ୍ୟସ୍ଥତା ଇତ୍ୟାଦି ତାଙ୍କର ପ୍ରମୁଖ କ୍ଷେତ୍ର ଥିଲା । ସେ ଦେଶର ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ନ୍ୟାୟିକ ସେବା କରିବା ସହ ଜୁଲାଇ ୩ଠ, ୨ଠ୧୯ରେ ପଶ୍ଚିମବଙ୍ଗର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ରାଜ୍ୟର ବରିଷ୍ଠତମ ଆଡଭୋକେଟ ଭାବେ କାର୍ଯ୍ୟ କରିଥିଲେ । ଆଇନ ବୃତ୍ତି କାଳରେ ଶ୍ରୀ ଧନଖଡ଼ ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସନ ଜୟପୁରର ସର୍ବକନିଷ୍ଠ ସଭାପତି ଭାବେ ୧୯୮୭ ମସିହାରେ ନିର୍ବାଚିତ ହୋଇଥିଲେ । ବର୍ଷକ ପରେ ସେ ୧୯୮୮ରେ ରାଜସ୍ଥାନ ବାର କାଉନସିଲର ଜଣେ ସଦସ୍ୟ ମଧ୍ୟ ହୋଇ ପାରିଥିଲେ ।

ସଂସଦ ଓ ସାଧାରଣ ଜୀବନ
ଜଗଦୀପ ଧନଖଡ଼ ୧୯୮୯ରେ ଝୁନଝୁନ ସଂସଦୀୟ କ୍ଷେତ୍ରରୁ ସଂସଦକୁ ନିର୍ବାଚିତ ହୋଇଥିଲେ । ପରେ ସେ ୧୯୯ଠ ମସିହାରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଥିଲେ । ୧୯୯୩ ମସିହାରେ ସେ ଆଜମେର ଜିଲ୍ଲା କିଶନଗଡ଼ ନିର୍ବାଚନ ମଣ୍ଡଳୀରୁ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଧାୟକ ଭାବେ ଶ୍ରୀ ଧନଖଡ଼ ଲୋକସଭା ଓ ରାଜସ୍ଥାନ ବିଧାନସଭାର ଅନେକ ଗୁରୁତ୍ୱପୂର୍ଣ୍ଣ କମିଟିର ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ । କେନ୍ଦ୍ରମନ୍ତ୍ରୀ ଭାବେ ସେ ସଂସଦୀୟ ପ୍ରତିନିଧି ଦଳର ଉପନେତା ଭାବେ ୟୁରୋପୀୟ ସଂସଦକୁ ଯାଇଥିଲେ । ଜୁଲାଇ ୨ଠ୧୯ରେ ଶ୍ରୀ ଧନଖଡ଼ ପଶ୍ଚିମବଙ୍ଗ ରାଜ୍ୟପାଳ ନିଯୁକ୍ତ ହୋଇଥିଲେ ।

ବ୍ୟକ୍ତିଗତ ବୃତ୍ତାନ୍ତ
ନାମ: ଜଗଦୀପ ଧନଖଡ଼
ପିତାଙ୍କ ନାମ: ସ୍ୱର୍ଗତଃ ଗୋଲଖ ଚାନ୍ଦ
ମାତାଙ୍କ ନାମ: ସ୍ୱର୍ଗତଃ ଶ୍ରୀମତୀ କେଶରୀ ଦେବୀ
ଜନ୍ମ ତାରିଖ: ମେ’ ୧୮, ୧୯୫୧
ଜନ୍ମ ସ୍ଥାନ: ଗ୍ରାମ- କିଥନା, ଜିଲ୍ଲା ଝୁନଝୁନ, ରାଜସ୍ଥାନ
ବୈବାହିକ ସ୍ଥିତି: ବିବାହିତ (୧୯୭୯ ମସିହା)
ପତ୍ନୀଙ୍କ ନାମ: ଡକ୍ଟର ସୁଦେଶ ଧନଖଡ଼
ସନ୍ତାନ: ଏକମାତ୍ର କନ୍ୟା (ଶ୍ରୀମତୀ କାମନା)

ପୁସ୍ତକ ପଠନ ପ୍ରବୀଣ ଶ୍ରୀ ଧନଖଡ଼ ମଧ୍ୟ ଜଣେ କ୍ରୀଡ଼ାପ୍ରେମୀ । ସେ ରାଜସ୍ଥାନ ଅଲିମ୍ପିକ ସଂଘ ଓ ରାଜସ୍ଥାନ ଟେନିସ୍ ସଂଘର ସଭାପତି ଥିଲେ । ସଂଗୀତ ଓ ଭ୍ରମଣରେ ତାଙ୍କର ଅନ୍ୟତମ ରୁଚି ରହିଛି । ସେ ଯୁକ୍ତରାଷ୍ଟ, କାନାଡ଼ା, ୟୁକେ, ଇଟାଲୀ, ସ୍ୱିଜରଲାଣ୍ଡ, ଜର୍ମାନୀ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଚୀନ, ହଂକଂ ଓ ସିଙ୍ଗାପୁର ଇତ୍ୟାଦି ଦେଶ ସମେତ ଅନେକ ରାଷ୍ଟ୍ର ଗସ୍ତ କରିଛନ୍ତି ।

Leave A Reply

Your email address will not be published.