ଛତିଶଗଡ଼ ଗସ୍ତର ପ୍ରଥମ ଦିନରେ ରାୟପୁରରେ ଛତିଶଗଡ଼ ପୋଲିସକୁ ‘ପ୍ରେସିଡେଣ୍ଟସ କଲର’ ପ୍ରଦାନ କରିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ
- ‘ପ୍ରେସିଡେଣ୍ଟ୍ସ କଲର’ ପାଇବା ଏକ ସଶସ୍ତ୍ର ବାହିନୀ ପାଇଁ ଗର୍ବର ବିଷୟ; ଛତିଶଗଡ଼ ପୋଲିସ ପ୍ରତିଷ୍ଠାର ୨୫ ବର୍ଷ ମଧ୍ୟରେ ଏହି ସମ୍ମାନ ହାସଲ କରିଛି
- ଛତିଶଗଡ଼ ପୋଲିସକୁ ‘ପ୍ରେସିଡେଣ୍ଟ୍ସ କଲର’ପୁରସ୍କାର ମିଳିବା ସେମାନଙ୍କ କଠିନ ପରିଶ୍ରମ, ସାହସିକତା ଓ ସମର୍ପଣର ପ୍ରତୀକ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଛତିଶଗଡ଼ ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲ ମୁକ୍ତ ହେବ
- ଗତ ବର୍ଷ ନକ୍ସଲଙ୍କ ବିରୋଧରେ ଲଢ଼େଇରେ ମଧ୍ୟରେ ସୁରକ୍ଷାବାହିନୀ ୨୮୭ ଜଣଙ୍କୁ ନ୍ୟୁଟ୍ରାଲାଇଜ୍ କରିବା ସହ ୧୦୦୦ ନକ୍ସଲଙ୍କୁ ଗିରଫ କରିଥିବା ବେଳେ ୮୩୭ ନକ୍ସଲ ଆତ୍ମସମର୍ପଣ କରିଛନ୍ତି
- ନକ୍ସଲ ମୁକ୍ତ ଓ ନିଶାମୁକ୍ତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଛତିଶଗଡ଼ ପୋଲିସ ଉତ୍ସାହ, ବିଶ୍ୱାସ ଓ ନିଷ୍ଠା ସହିତ ନିଜର ଭୂମିକାକୁ ନୂଆ ଶିଖରରେ ପହଞ୍ଚାଇଛି
- ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱପ୍ନରେ ଛତିଶଗଡ଼ର ବିପୁଳ ଅବଦାନ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହେବ
- ନକ୍ସଲବାଦ ବିରୋଧରେ ମୋଦୀ ସରକାରଙ୍କ କଠୋର ନୀତି ଯୋଗୁଁ ୪ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ସାଧାରଣ ନାଗରିକ ଓ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ସଂଖ୍ୟା ୧୦୦ ତଳକୁ ଖସି ଆସିଛି
- ହିଂସାର ମାର୍ଗ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଛତିଶଗଡ଼ର ବିକାଶରେ ଯୋଗଦାନ କରିବାକୁ ନକ୍ସଲମାନଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ନିବେଦନ କରିଛନ୍ତି
- ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ ; ସର୍ଦ୍ଦାର ସାହେବଙ୍କ ଅଦମ୍ୟ ସାହସ ଓ ସଂକଳ୍ପ ଏହି ଦେଶକୁ ଏକାଠି କରିଥିଲା
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ସାହେବଙ୍କ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଥିଲେ ଏବଂ ଧାରା ୩୭୦ ଉଚ୍ଛେଦ କରି ସେ କାଶ୍ମୀରକୁ ସବୁଦିନ ପାଇଁ ଭାରତ ସହ ମିଶାଇଥିଲେ
ନୂଆଦିଲ୍ଲୀ (ପିଆଇବି) : କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ରାୟପୁରରେ ଛତିଶଗଡ଼ ପୁଲିସକୁ ସମ୍ମାନଜନକ ‘ପ୍ରେସିଡେଣ୍ଟ୍ସ କଲର’ ପ୍ରଦାନ କରିଛନ୍ତି । ଏହି ଉତ୍ସବରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ ‘ପ୍ରେସିଡେଣ୍ଟ୍ସ କଲର’ ପାଇବା ଏକ ଗୌରବର ବିଷୟ, ଯାହା ଯେ କୌଣସି ସଶସ୍ତ୍ର ବାହିନୀ ପାଇଁ ଏକ ସମ୍ମାନର ସ୍ୱୀକୃତି । ଛତିଶଗଡ଼ ପୁଲିସ ପ୍ରତିଷ୍ଠାର ମାତ୍ର ୨୫ ବର୍ଷ ମଧ୍ୟରେ ଏହି ସମ୍ମାନ ହାସଲ କରିଥିବାରୁ ସେ ତାଙ୍କୁ ପ୍ରଶଂସା କରିଥିଲେ । ଶ୍ରୀ ଶାହ ଛତିଶଗଡ଼ ପୋଲିସକୁ ଦେଶର ଅନ୍ୟତମ ଶ୍ରେଷ୍ଠ ବାହିନୀ ବୋଲି କହିଥିଲେ, ଯାହା ଏହାର ଉତ୍ସାହ, ସାହସ, ବୀରତ୍ୱ ଏବଂ ସମର୍ପଣ ପାଇଁ ପ୍ରସିଦ୍ଧ । ରୌପ୍ୟ ଜୟନ୍ତୀ ବର୍ଷରେ ‘ପ୍ରେସିଡେଣ୍ଟ୍ସ କଲର’ ପାଇବା ବାହିନୀର ନିରନ୍ତର ପରିଶ୍ରମ, ପ୍ରତିବଦ୍ଧତା, ସାହସିକତା ଏବଂ ଜନସାଧାରଣଙ୍କ ସହ ଗଭୀର ସମ୍ପର୍କର ପ୍ରମାଣ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଆଇନ ଶୃଙ୍ଖଳା ବଜାୟ ରଖିବା, ନକ୍ସଲବାଦର ମୁକାବିଲା, ନିଶାମୁକ୍ତ ଭାରତ ଅଭିଯାନକୁ ଆଗେଇ ନେବା, ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ରାଜ୍ୟର ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାରେ ଛତିଶଗଡ଼ ପୁଲିସର ଉଲ୍ଲେଖନୀୟ ସେବା ପାଇଁ ସେ ପ୍ରଶଂସା କରିଥିଲେ । ଶ୍ରୀ ଶାହ ଛତିଶଗଡରେ ଶାନ୍ତି ଓ ନିରାପତ୍ତା ବୃଦ୍ଧିରେ ବାହିନୀର ଅତୁଟ ସମର୍ପଣ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ସର୍ଦ୍ଦାର ପଟେଲଙ୍କ ଅତୁଳନୀୟ ସାହସ ଓ ସଂକଳ୍ପ ହିଁ ଦେଶକୁ ଏକଜୁଟ କରିଛି ବୋଲି ସେ କହିଥିଲେ । ଶ୍ରୀ ଶାହ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧାରା ୩୭୦ ଉଚ୍ଛେଦ କରି ସର୍ଦ୍ଦାର ପଟେଲଙ୍କ ଅସମ୍ପୂର୍ଣ୍ଣ ମିଶନକୁ ପୂରଣ କରିଥିଲେ, ଯାହା ଦ୍ୱାରା କାଶ୍ମୀରକୁ ସ୍ଥାୟୀ ଭାବରେ ଭାରତ ସହ ମିଶ୍ରଣ କରାଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମଗ୍ର ଦେଶ ଆଜି ସର୍ଦ୍ଦାର ପଟେଲଙ୍କୁ ଗଭୀର କୃତଜ୍ଞତାର ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଅମିତ ଶାହ କହିଥିଲେ ଯେ ଛତିଶଗଡ଼ ଗଠନ ପାଇଁ ଦୀର୍ଘ ଦିନର ଦାବି ଅଟଳ ବିହାରୀ ବାଜପେୟୀ ପୂରଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଛତିଶଗଡ଼ ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲ ମୁକ୍ତ ହେବ ବୋଲି ଗୃହମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି । କେବଳ ଛତିଶଗଡ଼ ନୁହେଁ, ଦେଶର ଅନ୍ୟ ରାଜ୍ୟରୁ ମଧ୍ୟ ନକ୍ସଲବାଦକୁ ହଟାଇବା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ଏହି ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବାରେ ଛତିଶଗଡ଼ ପୋଲିସର ସାହସିକତାକୁ ସେ ସ୍ୱୀକାର କରିବା ସହ ଗତ ଏକ ବର୍ଷ ମଧ୍ୟରେ ନକ୍ସଲ ବିରୋଧରେ ଲଢେଇରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସଫଳତା ଉପରେ ଆଲୋକପାତ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ଏକ ବର୍ଷ ମଧ୍ୟରେ ନକ୍ସଲ ବିରୋଧୀ ଲଢ଼େଇରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ସୁରକ୍ଷା ବାହିନୀ ୨୮୭ ଜଣ ନକ୍ସଲଙ୍କୁ ନ୍ୟୁଟ୍ରାଲାଇଜ୍ କରିଥିବା ବେଳେ ୧୦୦୦ ଜଣଙ୍କୁ ଗିରଫ କରିବା ସହ ୮୩୭ ଜଣ ନକ୍ସଲଙ୍କୁ ଆତ୍ମସମର୍ପଣ କରିବାରେ ସହାୟକ ହୋଇଛନ୍ତି । ନିହତ ହୋଇଥିବା ନେତାଙ୍କ ମଧ୍ୟରେ ୧୪ ଜଣ ଶୀର୍ଷ ସ୍ତରୀୟ ନକ୍ସଲ ନେତା ବୋଲି ସେ ଉଲ୍ଲେଖ କରିଛନ୍ତି । ଗତ ୪ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ନକ୍ସଲ ହିଂସାରେ ସାଧାରଣ ନାଗରିକ ଓ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ସଂଖ୍ୟା ୧୦୦ ତଳକୁ ଖସିଆସିଛି ବୋଲି ଶ୍ରୀ ଶାହ ଆଲୋକପାତ କରି ନକ୍ସଲବାଦ ବିରୋଧରେ ମୋଦୀ ସରକାରଙ୍କ କଠୋର ନୀତିକୁ ପ୍ରଶଂସା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଗତ ଦଶନ୍ଧି ମଧ୍ୟରେ ନକ୍ସଲବାଦକୁ ପ୍ରଭାବଶାଳୀ ଭାବରେ ନିୟନ୍ତ୍ରଣ କରାଯାଇଛି, ଯାହାଫଳରେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ୭୩% ହ୍ରାସ ପାଇଛି ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ପୂର୍ବ ଦଶନ୍ଧି ତୁଳନାରେ ୭୦% ହ୍ରାସ ପାଇଛି । ଗତ ବର୍ଷକ ମଧ୍ୟରେ ନକ୍ସଲବାଦକୁ ନିର୍ଣ୍ଣାୟକ ଭାବରେ ଦମନ କରିବା ପାଇଁ ଛତିଶଗଡ଼ ପୁଲିସ ଅନ୍ୟ ସୁରକ୍ଷା ଏଜେନ୍ସି ସହ ମିଶିଥିବାରୁ ଗୃହମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଛତିଶଗଡ଼ରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପ କରାଯାଇଛି ବୋଲି ସେ ଦର୍ଶାଇଛନ୍ତି । ଅମିତ ଶାହ କହିଥିଲେ ଯେ ୧୯୫୧ ମସିହାରେ ଭାରତୀୟ ନୌସେନାକୁ ପ୍ରଥମ ‘ପ୍ରେସିଡେଣ୍ଟ୍ସ କଲର’ ପ୍ରଦାନ କରାଯାଇଥିଲା ଏବଂ ଯେ କୌଣସି ସଶସ୍ତ୍ର ବାହିନୀ ଏହି ସମ୍ମାନ ପାଇଁ ଯୋଗ୍ୟ ହେବା ପାଇଁ ୨୫ ବର୍ଷର ସେବା ପୂରଣ କରିବା ଆବଶ୍ୟକ । ଛତିଶଗଡ ପୋଲିସର ୨୫ ବର୍ଷର ସେବା, ସମର୍ପଣ, ତ୍ୟାଗ ଏବଂ ପ୍ରତିବଦ୍ଧତାକୁ ସ୍ୱୀକୃତି ଓ ସମ୍ମାନ ଦେଇଥିବାରୁ ସେ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଛତିଶଗଡ଼ରୁ ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ପ୍ରତିଶ୍ରୁତିବଦ୍ଧ । ହିଂସାର ମାର୍ଗ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପ୍ରଗତି ପଥରେ ଆଗକୁ ବଢ଼ି ଛତିଶଗଡ଼ର ବିକାଶରେ ଯୋଗଦାନ କରିବାକୁ ସେ ନକ୍ସଲମାନଙ୍କୁ ଅନୁରୋଧ କରିଛନ୍ତି । ଛତିଶଗଡ଼ ସରକାର ଏକ ଉତ୍କୃଷ୍ଟ ଆତ୍ମସମର୍ପଣ ନୀତି କାର୍ଯ୍ୟକାରୀ କରିଛନ୍ତି, ଯେଉଁଥିରେ ଆତ୍ମସମର୍ପଣ କରୁଥିବା ପ୍ରତ୍ୟେକ ନକ୍ସଲଙ୍କ ଥଇଥାନ ବ୍ୟବସ୍ଥା ରହିଛି । ଅମିତ ଶାହ କହିଥିଲେ ଯେ ସଂଗଠିତ ଅପରାଧ ଏବଂ ନିଶା ଦ୍ରବ୍ୟର ମୁକାବିଲା କରିବାରେ ଛତିଶଗଡ଼ ପୋଲିସକୁ ଦୃଢ଼ ନିଷ୍ଠାର ସହ ଉଲ୍ଲେଖନୀୟ ସଫଳତା ମିଳିଛି । ୨୦୨୪ ଜାନୁଆରୀ ୧ରୁ ୨୦୨୪ ସେପ୍ଟେମ୍ବର ୩୦ ମଧ୍ୟରେ ପ୍ରାୟ ୧୧୦୦ ନାରକୋଟିକ୍ସ ମାମଲା ରୁଜୁ ହୋଇଥିବା ବେଳେ ୨୧ ହଜାର କିଲୋଗ୍ରାମ ଗଞ୍ଜେଇ, ୬ ହଜାର କିଲୋଗ୍ରାମ ଅଫିମ ଓ ପ୍ରାୟ ୧ ଲକ୍ଷ ୯୫ ହଜାର ବେଆଇନ ନିଶା ବଟିକା ଜବତ କରାଯାଇଛି । ଏଥିସହ ଏହି ମାମଲାରେ ୧୪୦୦ ଜଣଙ୍କୁ ଗିରଫ କରାଯାଇଛି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପିଆଇଟିଏନ୍ଡିପିଏସ୍ (ନିଶାଦ୍ରବ୍ୟ ଏବଂ ସାଇକୋଟ୍ରୋପିକ୍ ପଦାର୍ଥରେ ବେଆଇନ ଚାଲାଣ ନିବାରଣ) ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତାରେ ଛତିଶଗଡ଼ ଅଗ୍ରଣୀ ରହିଛି । ଏକ ବିକଶିତ ଛତିଶଗଡ଼ ଏବଂ ସମୃଦ୍ଧ ବସ୍ତରର ସ୍ୱପ୍ନକୁ ସାକାର କରିବାରେ ଛତିଶଗଡ଼ ପୋଲିସର ପ୍ରତ୍ୟେକ ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ଦିଗରେ ଯାତ୍ରାରେ ଛତିଶଗଡ଼ର ଗୁରୁତ୍ୱପୂର୍ଣ୍ଣ ଅବଦାନ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହେବ ବୋଲି ସେ କହିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଛତିଶଗଡ଼ ପୋଲିସର ଯବାନମାନଙ୍କୁ କହିଥିଲେ ଯେ ‘ପ୍ରେସିଡେଣ୍ଟ୍ସ କଲର’ କେବଳ ଏକ ଡେକୋରେସନ ନୁହେଁ ବରଂ ସେବା, ତ୍ୟାଗ ଏବଂ ସମର୍ପଣର ପ୍ରତୀକ । ସେ କହିଛନ୍ତି ଯେ ଏହି ଚିହ୍ନ ଅଗଣିତ ଆହ୍ୱାନର ସ୍ମରଣ କରାଇଦେଉଛି ଯାହାର ମୁକାବିଲା କରିବା ଜରୁରୀ । ଅମିତ ଶାହ କହିଥିଲେ ଯେ ‘ପ୍ରେସିଡେଣ୍ଟ୍ସ କଲର’ କେବଳ ଏକ ସମ୍ମାନ ନୁହେଁ ବରଂ ଏକ ଦାୟିତ୍ୱ ଏବଂ ଛତିଶଗଡ଼ ପୋଲିସର ପ୍ରତ୍ୟେକ ଅଧିକାରୀ ଏହି ଦାୟିତ୍ୱକୁ ବଜାୟ ରଖିବେ ଏବଂ ନିଜ କର୍ତ୍ତବ୍ୟ ପାଳନ କରିବାରେ ଗୋଟିଏ ପାଦ ବି ପଛକୁ ହଟିବେ ନାହିଁ ।